ମୁମ୍ବାଇ: ବଲିଉଡରେ କ୍ୟାରିୟର କରିବା ସମସ୍ତଙ୍କ ପକ୍ଷେ ସମ୍ଭବପର ହୋଇନଥାଏ । ଏଥିପାଇଁ ଅନେକ ସଂଘର୍ଷର ସାମ୍ନା କରିବାକୁ ପଡ଼ିଥାଏ । ଅଭିନେତା ହେବାର ସ୍ୱପ୍ନ ନେଇ ଅନେକ ବ୍ୟକ୍ତି ମୁମ୍ବାଇ ଆସିଥାନ୍ତି ସେମାନଙ୍କ ଭାଗ୍ୟ ପରୀକ୍ଷା କରିବା ପାଇଁ । କିଏ ନିଜ ପରିବାର ଛାଡ଼ି ଆସିଥାଏ ତ ପୁଣି କିଏ ସବୁ କିଛି ବାଜି ଲଗାଇ ଦିଏ ନିଜ ସ୍ୱପ୍ନ ପୁରା କରିବା ପାଇଁ ।
ଆଜି ଆମେ ଏଭଳି କଳାକାରଙ୍କ ବିଷୟରେ କହିବା ଯିଏ କି ଅଭିନେତା ହେବା ପାଇଁ ନିଜ କେଶ କାଟି ଦେଇଥିଲେ । ନିଜ ପାରିବାରିକ ସମ୍ପର୍କକୁ ମଧ୍ୟ ବାଜିରେ ଲଗାଇଥିଲେ । ୧୯୯୬ରେ ଗୁଲଜାରଙ୍କ ନିର୍ଦ୍ଦେଶିତ ‘ମାଚିସ୍’ ଫିଲ୍ମରୁ ବଲିଉଡ୍ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ କେବେ ପଛକୁ ଫେରି ଚାହିଁ ନାହାଁନ୍ତି । ପଞ୍ଜାବର ରସୁଖଦାର ସିଖ୍ ଜାଟ୍ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଜିମ୍ମି ଶେରଗିଲ୍ । ତାଙ୍କ ପ୍ରକୃତ ନାଁ ଜସମିତ୍ ସିଂହ ଗିଲ୍ । ମୋହବତେଁ, ମେରେ ୟାର କି ଶାଦି ହୈ, ହମ୍ ତୁମ୍, ମୁନ୍ନା ଭାଇ ଏମବିବିଏସ୍, ତନୁ ୱେଡ୍ସ ମନୁ, ବୁଲେଟ୍ ରାଜା, ହାପି ଭାଗ୍ ଜାଏଗି ଭଳି ଅନେକ ବଲିଉଡ ଫିଲ୍ମରେ ନିଜ ଅଭିନୟର ଜଲୱା ଦେଖାଇଛନ୍ତି । ଏହା ବ୍ୟତୀତ ସେ ଧରତୀ, ମେଲ୍ କରାଦେ ରବା, ୟାରାଂ ନାଲ୍ ବହାରାଂ, ଦାନା ପାନି ଭଳି ପଞ୍ଜାବୀ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି । ଏକ ସାକ୍ଷାତକାରରେ ସେ କହିଥିଲେ କି ଅଭିନୟ ପ୍ରତି ତାଙ୍କର ଏତେ ନିଶା ଥିଲା କି ସେ ଥରେ ତାଙ୍କ କେଶ କାଟି ଦେଇଥିଲେ । ଏହା ପରେ ତାଙ୍କ ପରିବାର ବହୁତ କ୍ରୋଧିତ ହୋଇଥିଲେ । ପ୍ରାୟ ଦେଢ଼ ବର୍ଷ ତାଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଇଥିଲେ । ପରବର୍ତ୍ତି ସମୟରେ କ୍ଷମାପ୍ରାର୍ଥନା କରି କୌଣସି ମତେ ପରିବାରକୁ ବୁଝାଇଥିଲେ ।
ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ସିକନ୍ଦର କା ମୁକଦର’କୁ ନେଇ ଜିମ୍ମି ଚର୍ଚ୍ଚାରେ ଅଛନ୍ତି । ଏଥିରେ ସେ ଦକ୍ଷିଣ ସୁନ୍ଦରୀ ତମନ୍ନା ଭାଟିଆଙ୍କ ସହ ନଜର ଆସିବେ ।