ଭୟଙ୍କର ହେଉଛି ଏହି Cancer! ଲକ୍ଷ ଲକ୍ଷ ଲୋକଙ୍କୁ କରୁଛି ସଂକ୍ରମଣ, ଭାରତ ପାଇଁ କେତେ ବିପଦ?

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ବଢିବାରେ ଲାଗିଛି କୋଲୋନ କ୍ୟାନ୍ସରର ପ୍ରକୋପ । ବିଶେଷ କରି ଯୁବପିଢୀ ଙ୍କ ମଧ୍ୟରେ ଏହି ବିପଦ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ୨୫-୪୯ ବର୍ଷ ବୟସର ଲୋକଙ୍କ ଅଧିକ ଆକ୍ରାନ୍ତ କରୁଛି ଏହି କ୍ୟାନ୍ସର । ଏହି ବୟସରେ ପ୍ରାରମ୍ଭିକ ମାମଲା ଖୁବ ଅଧିକ ରହୁଥିବା ଏକ ରିସର୍ଚ୍ଚରୁ ଜାଣିବାକୁ ମିଳିଛି । କୋଲୋନ କ୍ୟାନ୍ସରକୁ କୋଲୋରେକ୍ଟାଲ କ୍ୟାନ୍ସର ବୋଲି ମଧ୍ୟ କୁହାଯାଏ । ପେଟର ତଳ ଅଂଶରେ ଥିବା କୋଲନ(ମଳାଶୟ)ରେ ଏହି କ୍ୟାନ୍ସର ହୋଇଥାଏ । ତେବେ ଉପଯୁକ୍ତ ସମୟ ପୂର୍ବରୁ ଏହି ରୋଗ ଚିହ୍ନଟ ହେଲେ, ଏହାର ଚିକିତ୍ସା ସମ୍ଭବ ହୋଇପାରେ । କିନ୍ତୁ ଏହାକୁ ଅଣଦେଖା କଲେ, ଏହା ଖୁବ ବିପଦଜନକ ହୋଇପାରେ ।

ଏକ ରିସର୍ଚ୍ଚରୁ ଜାଣିବାକୁ ମିଳିଛି ଯେ, ବିଶ୍ୱର ପ୍ରାୟ ୫୦ ଦେଶରେ ପ୍ରାରମ୍ଭିକ କୋଲୋରେକ୍ଟାଲ କ୍ୟାନ୍ସର ମାମଲା ବୃଦ୍ଧି ପାଉଛି । ଏଥିରୁ ପ୍ରାୟ ୨୦ଟି ଦେଶରେ ଏହାର ପ୍ରଭାବ ଖୁବ ଅଧିକ ରହିଛି । ଆମେରିକା ସହିତ ୧୪ଟି ଦେଶରେ ୫୦ ବର୍ଷରୁ କମ୍ ବୟସରର ଲୋକଙ୍କ ଶରୀରରେ ଏହି କ୍ୟାନ୍ସର ଚିହ୍ନଟ କରାଯାଉଛି । ତେବେ ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କ ଶରୀରରେ ଏହି ରୋଗ ସ୍ଥିର ରହିଥିବା ରେକର୍ଡ କହୁଛି । ଖାଦ୍ୟ-ପେୟର ଖରାପ ଅଭ୍ୟାସ, ଫିଜିକାଲ ଆକ୍ଟିଭିଟି ନ କରିବା ଏବଂ ମୋଟାପଣ ଇତ୍ୟାଦି ଏହି ରୋଗର ମୁଖ୍ୟ କାରଣ ପାଲଟିଛି । ତେବେ ଏହି କୋଲନ କ୍ୟାନ୍ସରର ପ୍ରଭାବ ବର୍ତ୍ତମାନ ଯୁବପିଢୀଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ରିସର୍ଚ୍ଚରୁ ଜାଣିବାକୁ ମିଳିଛି ।

ଆମେରିକା ସମେତ ବିଭିନ୍ନ ଦେଶରେ କୋଲୋନ କ୍ୟାନ୍ସରର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତେବେ ଭାରତ ପାଇଁ ଏ ନେଇ ବିପଦ କମ୍ ରହିଛି । ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତରେ ଏହି ମାମଲା ଖୁବ କମ୍ ରହିଥିବା ରିସର୍ଚ୍ଚରୁ ଜଣାଯାଇଛି । ୫୦ ଦେଶ ମଧ୍ୟରୁ ଏକମାତ୍ର ଦେଶ ଭାବରେ ଭାରତରେ ସବୁଠାରୁ କମ୍ କୋଲୋରେକ୍ଟଲ କ୍ୟାନ୍ସର ହାର ରେକର୍ଡ କରାଯାଇଛି । ଭାରତ ଭଳି ଏକ ବିକାଶଶୀଳ ରାଷ୍ଟ୍ରରେ ସଚେତନତାର ଅଭାବ ପରେ ମଧ୍ୟ ଏହି ହାର କମ୍ ରହିବା ଏକ ସଫଳତାର ବିଷୟ କୁହାଯାଇପାରେ । ତେବେ ଭାରତୀୟଙ୍କ ଖାଦ୍ୟପେୟ ଏବଂ ଜୀବନଶୈଳୀ ଯୋଗୁଁ ଏହି କ୍ୟାନ୍ସର ହାର କମ୍ ରହୁଥିବା କହିଛନ୍ତି ବିଶେଷଜ୍ଞ ।