fbpx

ତୃତୀୟ ମ୍ୟାଚରେ ଦଳରୁ ବାଦ୍ ପଡିବେ ଏହି ଖେଳାଳି: ଉମ୍ରାନ ମଲିକଙ୍କୁ ମିଳିବ କି ସୁଯୋଗ?

ଚେନ୍ନାଇ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଶୋଚନୀୟ ପରାଜୟକୁ ସହଜରେ ଗ୍ରହଣ କରି ପାରିନି ଟିମ ଇଣ୍ଡିଆ । ଭାରତୀୟ ପଶଂସକ ମଧ୍ୟ ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି । ଏହି ସିରିଜ ବର୍ତ୍ତମାନ ୧-୧ରେ ବରାବର ଥିବାରୁ ତୃତୀୟ ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ତେଣୁ ଶେଷ ତଥା ଫାଇନାଲ ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଦଳରେ କିଛିଟା ବଡ ପରିବର୍ତ୍ତନ କରିବା ପାଇଁ ଚିନ୍ତା କରିପାରନ୍ତି । ତେବେ ଆସନ୍ତୁ ଜାଣିବା କ’ଣ ପରିବର୍ତ୍ତନ କରିପାରନ୍ତି ରୋହିତ ।

ମାର୍ଚ୍ଚ ୨୨ ତାରିଖରେ ହେବାକୁ ଥିବା ଏହି ତୃତୀୟ ଦିନିକିଆ ସିରିଜର ନିର୍ଣ୍ଣାୟକ ମ୍ୟାଚ ହେବ । ତେଣୁ ଏହି ମ୍ୟାଚରେ ସମସ୍ତଙ୍କ ନଜର ରହିବ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ । ଉଭୟ ମ୍ୟାଚରେ ସେ ବିଶେଷ କିଛି ପ୍ରଦର୍ଶନ କରିପାରି ନାହାନ୍ତି । ଲଗାତାର ଫେଲ ହେଉଥିବାରୁ ସୂର୍ଯ୍ୟକୁମାରଙ୍କୁ ଦଳରେ ସୁଯୋଗ ମିଳିବ କି ନାହିଁ ସେ ନେଇ ଆଲୋଚନା ଜୋର ଧରିଛି । ତେବେ ସୂର୍ଯ୍ୟକୁମାରଙ୍କୁ ଦଳରେ ସୁଯୋଗ ଦିଆଯିବା ନେଇ ରୋହିତ ସଂକେତ ଦେଇଛନ୍ତି । ଚେନ୍ନାଇର ଏମ.ଏ ଚିଦାମ୍ବରମ ଷ୍ଟାଡିୟମରେ ମ୍ୟାଚ ଦିନ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଅର୍ଥାତ୍ ପାଳି ଆରମ୍ଭରୁ ଏଠାରେ ପେସ ବୋଲରଙ୍କ ଦବଦବା ଦେଖିବାକୁ ମିଳିବ । ତେଣୁ ପ୍ରଥମ ୧୦ ଓଭର ବ୍ୟାଟ୍ସମ୍ୟାନଙ୍କ ପାଇଁ କଷ୍ଟକର ହେବ ।

ତୃତୀୟ ଦିନିକିଆରେ ଟିମ୍ ଇଣ୍ଡିଆର ୪ ଜଣ ଖେଳାଳି ଦଳରୁ ବାଦ୍ ପଡିପାରନ୍ତି । ମ୍ୟାଚରେ ୩ ଜଣ ପ୍ରମୁଖ ଫାଷ୍ଟ ବୋଲରଙ୍କୁ ଦଳରେ ସୁଯୋଗ ଦେଇପାରନ୍ତି ରୋହିତ । ତେଣୁ ଶେଷ ମ୍ୟାଚରେ ଶାର୍ଦ୍ଦୁଳ ଠାକୁର କିମ୍ବା ଉମ୍ରାନ ମଲିକଙ୍କୁ ଏହି ମ୍ୟାଚରେ ସ୍ଥାନ ମିଳିପାରେ । ଉମ୍ରାନ ମଲିକଙ୍କ ସ୍ପିଡ ତାଙ୍କୁ ଏହି ମ୍ୟାଚରେ ଖୁବ ସାହାଯ୍ୟ କରିପାରେ । ଏହାବ୍ୟତୀତ ଜୟଦେବ ଉନାଦକତ ମଧ୍ୟ ଏହି ପିଜ ପାଇଁ ଜଣେ ଭଲ ବିକଳ୍ପ ହୋଇପାରନ୍ତି । ତେବେ ଏମିତି ହେଲେ ଅକ୍ସର ପଟେଲଙ୍କୁ ଦଳରୁ ବାଦ୍ ଦେବାକୁ ବାଧ୍ୟ ହେବେ ରୋହିତ । ଏହାବ୍ୟତୀତ କୁଳଦୀପ ଯାଦବଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦରଙ୍କୁ ଦଳରେ ଏଣ୍ଟ୍ରି ମିଳିପାରେ । ସ୍ପିନ ବୋଲିଂ ସହ ବ୍ୟାଟିଂ ମଧ୍ୟ ଭଲ କରିପାରିବେ ୱାଶିଂଟନ । ତେବେ ବ୍ୟାଟିଂ ଲାଇନ ଅନରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ଖୁବ କମ୍ ରହିଛି ।

ଭାରତର ପ୍ଲେଇଙ୍ଗ ୧୧: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେ.ଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୁଳଦୀପ ଯାଦବ/ ୱାଶିଂଟନ ସୁନ୍ଦର, ମହହମ୍ମଦ ଶାମୀ, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର/ ଉମ୍ରାନ ମଲିକ/ ଜୟଦେବ ଉନାଦକତ

Get real time updates directly on you device, subscribe now.