fbpx

UIDAI ଆଣିଲା ନୂଆ ପ୍ଲାନ: ଠକଙ୍କ ଯୁଗ ସରିଲା, ମୃତ ବ୍ୟକ୍ତିଙ୍କ Aadhaarରେ ଏଣିକି କେହି ନେଇ ପାରିବେନି ସିମ୍ କାର୍ଡ!

ନୂଆଦିଲ୍ଲୀ: ଦିନକୁ ଦିନ ଆଧାର କାର୍ଡ ଜନିତ ଠକାମି ବଢ଼ିବାର ଲାଗିଛି । ଅନେକ ସମୟରେ ଅପରାଧୀମାନେ ମୃତ ବ୍ୟକ୍ତିଙ୍କ ଆଧାର କାର୍ଡ ଦେଖାଇ ସିମ୍ କାର୍ଡ ହାତେଇ ନେଇଥାନ୍ତି । ପରବର୍ତ୍ତୀ ସମୟରେ ବିଭିନ୍ନ ରାଜ୍ୟକୁ ଏହି ସିମ ପଠାଇ ଅନେକ ପ୍ରକାରର ବେଆଇନ୍ କାର୍ଯ୍ୟ କରି ଲୋକଙ୍କୁ ଲୁଟିଥାନ୍ତି । ତେବେ ଏଣିକି ଠକଙ୍କର ଏହି ଫର୍ମୂଲା ଆଉ ଚାଲିବ ନାହିଁ । ଖୁବଶୀଘ୍ର କେନ୍ଦ୍ର ସରକାର ଏନେଇ ଏକ ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ।

ସୂଚନା ମୁତାବକ, ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଠକଙ୍କ କବଳରୁ ରକ୍ଷା ପାଇବା ପାଇଁ ଏକ ସ୍ୱତନ୍ତ୍ର ପ୍ଲାନ ପ୍ରସ୍ତୁତ କରିଛି । ଅନେକ ସମୟରେ କୌଣସି ମୃତ ବ୍ୟକ୍ତିଙ୍କ ଆଧାର କାର୍ଡରେ ନୂଆ ସିମ୍ ଜାରି ହେଉଥିବା ଶୁଣିବାକୁ ମିଳିଥାଏ । ତେବେ ଏପରି ମାମଲା ଉକ୍ତ ବ୍ୟକ୍ତିଙ୍କ ଆକ୍ଟିଭ ଆଧାର କାର୍ଡ ଓ ଫଟୋ କାରଣରୁ ହୋଇଥାଏ । ସାଧାରଣ ଭାବେ ଆଧାର କାର୍ଡ ଓ ଏକ ଫଟୋ ଦ୍ୱାରା ସହଜରେ ସିମ ମିଳିଯାଇଥାଏ ।

ଏକ ରିପୋର୍ଟ ଅନୁଯାୟୀ, ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କେନ୍ଦ୍ର ସରକାର ମୃତ ବ୍ୟକ୍ତିଙ୍କ ଆଧାର କାର୍ଡକୁ ଡିଲିଟ କରିବାର ନୂଆ ଟେକନିକ ବିକଶିତ କରୁଛନ୍ତି । ବର୍ତ୍ତମାନ ଏହି ପ୍ରୋଜେକ୍ଟ ପ୍ରକ୍ରିୟା ଜାରି ରହିଥିବା ବେଳେ ଖୁବଶୀଘ୍ର ସାଧାରଣ ଜନତାଙ୍କ ପାଇଁ ଏହା ଲାଗୁ କରାଯିବ । ୟୁଆଇଡିଏଆଇ ଓ ରେଜିଷ୍ଟ୍ରର ଜେନେରାଲ ଅଫ୍ ଇଣ୍ଡିଆ ପକ୍ଷରୁ ଏହାର ପ୍ରୋସେସ ଆରମ୍ଭ କରାଯାଇଛି । ଏହି ପ୍ରକ୍ରିୟାରେ ମୃତ ବ୍ୟକ୍ତିଙ୍କ ଡେଥ୍ ସାର୍ଟିଫିକେଟ ଜାରି ହେବା ପରେ ପରେ ଉକ୍ତ ବ୍ୟକ୍ତିଙ୍କ ଆଧାର କାର୍ଡକୁ ଡିଲିଟ୍ କରି ଦିଆଯିବ । ଏଥିପାଇଁ ମୃତବ୍ୟକ୍ତିଙ୍କ ପରିବାର ସହିତ ସମ୍ପର୍କ କରାଯିବ । ବର୍ତ୍ତମାନ ମୃତବ୍ୟକ୍ତିଙ୍କ ଆଧାର କାର୍ଡକୁ ଡିଲିଟ କରିବାର କୌଣସି ନିୟମ ନାହିଁ ।

Get real time updates directly on you device, subscribe now.