ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ମେଗା ଅକ୍ସନରେ ସମସ୍ତଙ୍କୁ ଚମକାଇ ଦେଇଛି ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ । ଆଗାମୀ ସିଜନ ପାଇଁ ଅଧିନାୟକ ଫାଫ୍ ଡୁ ପ୍ଲେସିସ, ମହମ୍ମଦ ସିରାଜ ଏବଂ ଗ୍ଲେନ ମାକ୍ସୱେଲଙ୍କ ଭଳି ଷ୍ଟାର କ୍ରିକେଟରଙ୍କୁ ହାତଛଡ଼ା କରିଛି ଦଳ । ତେବେ ଫିଲ୍ ସଲ୍ଟ, ଜୋସ ହାଜେଲଉଡ୍, ଭୁବନେଶ୍ୱର କୁମାର ଏବଂ କ୍ରୁଣାଳ ପାଣ୍ଡ୍ୟାଙ୍କ ଭଳି ଖେଳାଳିଙ୍କୁ ଦଳରେ ସାମିଲ କରିଛି ଆରସିବି । ଦଳରେ ବଡ଼ ବଡ଼ ଖେଳାଳିଙ୍କ ନାଁ ସାମିଲ ଥିଲେ ମଧ୍ୟ ଅକ୍ସନରୁ ଜଣେ ଅଧିନାୟକ ଖୋଜିବାରେ ଫେଲ ମାରିଛି ବେଙ୍ଗଲୁରୁ । ତେଣୁ କିଏ ହେବ ଆରସିବିର ନୂଆ କ୍ୟାପଟେନ୍?
ଆଇପିଏଲ-୨୦୨୫ ପାଇଁ ନୂଆ ଅଧିନାୟକ ଖୋଜୁଛି ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ । ଫାଫ୍ ଡୁପ୍ଲେସିସ ଦଳରୁ ବାଦ୍ ପଡ଼ିବା ପରେ ନେତୃତ୍ୱ ଭାର ବିରାଟ କୋହଲିଙ୍କୁ ଦିଆଯିବ ବୋଲି ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ବର୍ତ୍ତମାନ ଏହି ଆଲୋଚନା ଆଉ ଏକ ନୂଆ ମୋଡ଼ ନେଇଛି । ବିରାଟ ନୁହେଁ, ଆଉ ଜଣେ ଖେଳାଳିଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇପାରେ ବୋଲି ଆଲୋଚନା ହେଉଛି । ଆଗାମୀ ସିଜନରେ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁର ନୂଆ ଅଧିନାୟକ ଭାର ରଜତ ପାଟିଦାରଙ୍କୁ ଦେଇପାରେ ଆରସିବି । ମେଗା ଅକ୍ସନ ପୂର୍ବରୁ ଆରସିବି ବିରାଟ କୋହଲିଙ୍କ ସହ ରଜତ ପାଟିଦାର ଏବଂ ୟଶ ଦୟାଲଙ୍କୁ ଦଳରେ ରିଟେନ୍ କରିଥିଲା । ତେଣୁ ବିରାଟଙ୍କ ପରେ ପାଟିଦାରଙ୍କ ନାଁ ଏହି ତାଲିକାରେ ସାମିଲ ହୋଇଛି ।
ସୟଦ ମୁସ୍ତାକ ଅଲୀ ଟ୍ରଫିରେ ରଜତ ପାଟିଦାର ମଧ୍ୟପ୍ରଦେଶର ନେତୃତ୍ୱ ପଦ ନେଇଥିଲେ । ଶେଷ ୫ଟି ଇନିଂସରେ ରଜତ ୭୮, ୬୨, ୬୮, ୪ ଏବଂ ୩୬ ରନ୍ କରି ନିଜକୁ ପ୍ରମାଣ କରିଛନ୍ତି । ତେଣୁ ଆଇପିଏଲରେ ଆରସିବି ପାଇଁ ୩ ନମ୍ବର ସ୍ଥାନ ମଧ୍ୟ ନିଜ ନାମରେ କରିଛନ୍ତି ରଜତ । ତେବେ ଏହି ଟୁର୍ଣ୍ଣାମେଣ୍ଟ ପରେ ରଜତ ପାଟିଦାର ମଧ୍ୟ ଦଳର ଅଧିନାୟକ ଭାବରେ ଦ୍ୱିତୀୟ ବିକଳ୍ପ ପାଲଟିଯାଇଛନ୍ତି । ସେପଟେ ବିରାଟ କୋହଲି ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଅଦିନାୟକ ଦାୟିତ୍ୱ ତୁଲାଇବା ପରେ ୨୦୨୨ରେ ଏହି ଦାୟିତ୍ୱରୁ ଓହରି ଯାଇଥିଲେ । ଏହାପରେ ଫାଫ୍ ଡୁ ପ୍ଲେସିସ ଏହି ଦାୟିତ୍ୱରେ ୨୦୨୪ ପର୍ଯ୍ୟନ୍ତ ରହିଥିଲେ । କିନ୍ତୁ ୨୦୨୫ରେ ବେଙ୍ଗଲୁରୁ ପୁଣିଥରେ ବିରାଟ କୋହଲି କିମ୍ବା ରଜତ ପାଟିଦାରଙ୍କୁ ଅଧିନାୟକ ପଦ ପ୍ରଦାନ କରିପାରେ ।