fbpx

ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍‍ ବିମାନ ଯାତ୍ରା ପାଇଁ ଆଜିଠାରୁ ଆରମ୍ଭ ହେବ ଟିକେଟ୍‍ ବୁକିଂ, ଆସନ୍ତା ୧୫ ରୁ ଭୁବନେଶ୍ୱରରୁ ଦୁବାଇକୁ ବିମାନ ସେବା

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱରରୁ ସିଧାସଳଖ ସିଙ୍ଗାପୁର ଓ ବ୍ୟାଙ୍କକ୍‍ ପାଇଁ ବିମାନ ଟିକେଟ୍‍ ବୁକିଂ ସେବା ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଭର୍ଚୁଆଲ ମାଧ୍ୟମରେ ଏହାର ଶୁଭାରମ୍ଭ କରିବେ । ଜୁନ୍‍ ୩ ତାରିଖରୁ ଇଣ୍ଡିଗୋ ବିମାନ ସଂସ୍ଥା ଦ୍ୱାରା ଏହି ଦୁଇଟି ସ୍ଥାନକୁ ଆନ୍ତର୍ଜାତିକ ବିମାନ ଚଳାଚଳ ଆରମ୍ଭ ହେବ । ପ୍ରାରମ୍ଭିକ ପର୍ଯ୍ୟାୟରେ ଉଭୟ ସ୍ଥାନକୁ ଯିବା ଏବଂ ଆସିବା ଟିକେଟ ମୂଲ୍ୟ ୧୫ ହଜାର ଟଙ୍କା ସ୍ଥିର କରାଯାଇଥିବା ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।

ସେହିଭଳି ଆସନ୍ତା ୧୫ ତାରିଖରୁ ଭୁବନେଶ୍ୱରରୁ ଦୁବାଇକୁ ବିମାନ ଚଳାଚଳ ଆରମ୍ଭ ହେବ । ଏ ନେଇ ଭୁବନେଶ୍ୱର ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି । ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ବିଭିନ୍ନ ଅଞ୍ଚଳରେ ପ୍ରାୟ ୧୦ହଜାରରୁ ଉର୍ଦ୍ଧ୍ୱ ଓଡ଼ିଆ ବସବାସ କରୁଛନ୍ତି। ଭୁବନେଶ୍ୱରରୁ ଦୁବାଇ ଏବଂ ଦୁବାଇରୁ ଭୁବନେଶ୍ୱର ସିଧାସଳଖ ବିମାନସେବା ପାଇଁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା।

ଦୁଇ ସହର ମଧ୍ୟରେ ସିଧାସଳଖ ବିମାନସେବା ଆରମ୍ଭ ହେଲେ ଓଡ଼ିଆ ଲୋକଙ୍କ ପାଇଁ ଅନ୍ତରାଷ୍ଟ୍ରୀୟ ଯାତାୟତର ଦ୍ୱାର ଫିଟିବ। ଏପରି କି କଳାତ୍ମକ, ହସ୍ତତନ୍ତ ଓ କୃଷି ଆଧାରିତ ସାମଗ୍ରୀ ବ୍ୟବସାୟ ଦ୍ୱାରା ରାଜ୍ୟର ଅର୍ଥନୀତି ଗତିଶୀଳ ହେବ। ଏଥିସହିତ ଅନ୍ତରାଷ୍ଟ୍ରୀୟ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ ବୋଲି ପ୍ରଧାନ କହିଛନ୍ତି। ରାଜଧାନୀ ଭୁବନେଶ୍ୱର ସହ ସିଧାସିଧା ଅନ୍ତରାଷ୍ଟ୍ରୀୟ ବିମାନ ଯୋଗାଯୋଗ ପୂର୍ବ ଭାରତର ବିକାଶର ସମ୍ଭାବନାକୁ ଆହୁରି ଶକ୍ତିଶାଳୀ କରିବ।

Get real time updates directly on you device, subscribe now.