ଗଛରେ ବାନ୍ଧିଲେ, ନିସ୍ତୁକ ପିଟିଲେ, ପିଟି ପିଟି ଶେଷରେ ଜୀବନ ନେଇଗଲେ

ଆମ୍ବ ଚୋରି ଆରୋପରେ ଶ୍ରମିକକୁ ଗଛରେ ବାନ୍ଧି ବାଡେଇ ବାଡେଇ ମାରିଦେଲା ମାଲିକ

ଗୁଜୁରାଟ: ମଣିଷ ଏତେ ହିଂସ୍ର କିପରି ହେଇପାରେ? ସାମାନ୍ୟ ଆମ୍ବ ପାଇଁ କଣ ଗୋଟେ ଲୋକକୁ ଗଛରେ ବାନ୍ଧି ବାଡେଇ ବାଡେଇ ମାରି ଦିଆଯାଏ? ଆଜ୍ଞା ହଁ, ଏହିପରି ଏକ ଅମାନବୀୟ ଘଟଣା ଉତ୍ତର ପ୍ରଦେଶର ସୁଲତାନପୁର ଜିଲ୍ଲାରେ ଦେଖିବାକୁ ମିଳିଛି।

ଗ୍ରୀଷ୍ମ ଋତୁରେ ଏକ ଆମ୍ବ ବଗିଚାରେ କାମ କରିବାକୁ ଆସିଥିବା ଜଣେ ଶ୍ରମିକଙ୍କୁ ନିର୍ମମ ଭାବେ ଗଛରେ ବାନ୍ଧି ବାଡେଇ ବାଡେଇ ହତ୍ୟା କରାଯାଇଛି। ଉତ୍ତରପ୍ରଦେଶର ସୁଲତାନପୁର ଜିଲ୍ଲାର ବାସିନ୍ଦା ସୁରେଶ ବର୍ମା ଯାହାଙ୍କ ବୟସ ୪୮ ବର୍ଷ, ସେ ଗତ ମାସରେ ହିଁ ଗୁଜରାଟର ସୁରତ ଜିଲ୍ଲାର ବାରଡୋଲି ଅନ୍ତର୍ଗତ ଆକୋଟି ଗାଁରେ ଏକ କେଶର ଆମ୍ବ ବଗିଚାରେ କାମ କରିବାକୁ ଆସିଥିଲେ।

ମେ ୨୦ ତାରିଖରେ ତାଙ୍କୁ ଆମ୍ବ ଚୋରି କରୁଥିବା ସନ୍ଦେହରେ ତାଙ୍କ ମାଲିକ ଅସଫାକ ରିଆନ ଏବଂ ତାଙ୍କର ଚାରି ଜଣ ସାଥୀ ସୁରେଶ ବର୍ମାଙ୍କୁ ଏକ ଗଛରେ ବାନ୍ଧି ଏତେ ମାଡ଼ ମାରିଥିଲେ ଯେ ତାଙ୍କର ମୃତ୍ୟୁ ହୋଇଗଲା।

ସୂଚନା ଅନୁସାରେ, ଶ୍ରମିକ ସୁରେଶଙ୍କ ଉପରେ ବଗିଚାରୁ ପ୍ରାୟ ୫୦ ହଜାର ଟଙ୍କାର ଆମ୍ବ ଚୋରି କରିବାର ଅଭିଯୋଗ ହୋଇଥିଲା। ଯେତେବେଳେ ସୁରେଶ ଏହାକୁ ମନା କଲେ ତାଙ୍କ ମାଲିକ ଏବଂ ତାଙ୍କ ଚାରି ଜଣ ସାଥୀ ତାଙ୍କୁ ଧରି ବଗିଚା ଭିତରେ ଥିବା ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ।

କେବଳ ଏତିକି ନୁହେଁ, ଅଭିଯୁକ୍ତ ସୁରେଶଙ୍କ ପତ୍ନୀଙ୍କୁ ତାଙ୍କ ମୋବାଇଲରୁ ଫୋନ୍ କରି ୫୦ ହଜାର ଟଙ୍କା ଦାବି କରିଥିଲେ ଏବଂ କହିଥିଲେ ଯେ ଯଦି ଟଙ୍କା ନ ଦିଆଯାଏ, ତେବେ ପରିଣାମ ଖରାପ ହେବ।

ମାଡ଼ ପରେ ସୁରେଶ ବର୍ମାଙ୍କ ଅବସ୍ଥା ଏତେ ଖରାପ ହୋଇଗଲା ଯେ, ରାତି ପ୍ରାୟ ୧୧ଟାରେ ତାଙ୍କର ମୃତ୍ୟୁ ହୋଇଗଲା। ଏହା ପରେ, ଅଭିଯୁକ୍ତମାନେ ସୁରେଶଙ୍କ ମୃତଦେହକୁ ରାତି ଅଧରେ କାରରେ ରଖି ସୁରଟ ଜିଲ୍ଲାର କାମରେଜ ଅନ୍ତର୍ଗତ ଶାମ୍ପୁରା ଗାଁ ନିକଟରେ ଏକ କେନାଲରେ ଫିଙ୍ଗି ଦେଇଥିଲେ।

କିଛି ଦିନ ଧରି ସୁରେଶଙ୍କ ପରିବାର ଲୋକେ ସୁରେଶଙ୍କ ସୂଚନା ନପାଇବାରୁ ବାର୍ଡୋଲି ପହଞ୍ଚି ଥାନାରେ ନିଖୋଜ ରିପୋର୍ଟ ଦାଖଲ କଲେ। ପୋଲିସ ତଦନ୍ତ ଆରମ୍ଭ କରିବା ପରେ, କିଛି ସନ୍ଦିଗ୍ଧ ଲୋକଙ୍କୁ ଅଟକ ରଖାଯାଇ ପଚରାଉଚରା କରିଥିଲା। ତା ପରେ ସତ ସାମ୍ନାକୁ ଆସିଥିଲା।

ମୁଖ୍ୟ ଅଭିଯୁକ୍ତ ଅସଫାକ ରିଆନ ମଧ୍ୟ ନିଜ ଅପରାଧ ସ୍ୱୀକାର କରିଛନ୍ତି। ଏହା ପରେ, ପୋଲିସ ବାକି ଚାରି ଅଭିଯୁକ୍ତ ଯଥା – ବିନୋଦ ଅଗ୍ରୱାଲ, ମହମ୍ମଦ ଉମର ମନିହାର, ଦଶରଥ ମୌର୍ଯ୍ୟ ଏବଂ ୟାକୁବ ଗଫର୍ଙ୍କୁ ମଧ୍ୟ ଗିରଫ କରିଛି।