fbpx

ବିଦେଶରୁ ଏବେସୁଦ୍ଧା ଆସିଲାଣି ୪ଲକ୍ଷରୁ ଅଧିକ ରେମଡେସିଭର୍, ୧୨ହଜାରୁ ଅଧିକ ଅକ୍ସିଜେନ୍ ସିଲିଣ୍ଡର

ନୂଆଦିଲ୍ଲୀ, ୧୪/୦୫(ଓଡିଶା ଭାସ୍କର) : ଭାରତରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯାହା ଫଳରେ ହସ୍ପିଟାଲରେ ଅକ୍ସିଜେନର ଘୋର ଅଭାବ ଦେଖାଦେବା ସହିତ ବିଭିନ୍ନ ଚିକିତ୍ସା ସମ୍ପର୍କିତ ଉପକରଣର ଅଭାବ ଥିବା ଦେଖିବାକୁ ମିଳିଛି । ଏହି କାରଣରୁ ଉପଯୁକ୍ତ ଚିକିତ୍ସା ନପାଇ ପ୍ରତିଦିନ ଅନେକ ଲୋକଙ୍କ ପ୍ରାଣ ଯାଉଛି । ତେବେ ଏଭଳି ପରିସ୍ଥିତିରେ ଭାରତକୁ ସାହାଯ୍ୟର ହାତ ବଢ଼ାଇଛି ଅନେକ ଦେଶ । ଏବେ ସୁଦ୍ଧା ଅନେକ ଦେଶରୁ ଅକ୍ସିଜେନ୍ ସମେତ ବହୁତ ଗୁଡିଏ ଚିକିତ୍ସା ସମ୍ପର୍କିତ ଉପକରଣ ଆସିଲାଣି । ଏନେଇ ଆଜି କେନ୍ଦ୍ର ପକ୍ଷରୁ ସେସବୁର ବିସ୍ତୃତ ସୁଚନା ଦିଆଯାଇଛି ।

କେନ୍ଦ୍ରର ସୁଚନା ମୁତାବକ, ଏପ୍ରିଲ୍ ୨୭ ତାରିଖରୁ ମେ ୧୩ ତାରିଖ ସୁଦ୍ଧା ବିଭିନ୍ନ ଦେଶରୁ ୧୦ ହଜାର ୭୯୬ ଟି ଅକ୍ସିଜେନ୍ କନସେନଟ୍ରେଟର୍, ୧୨ ହଜାର ୨୬୯ଟି ଅକ୍ସିଜେନ୍ ସିଲିଣ୍ଡର, ୧୯ଟି ଅକ୍ସିଜେନ୍ ପ୍ଲାଣ୍ଟ, ୬ହଜାର ୪୯୭ଟି ଭେଣ୍ଟିଲେଟର୍, ପାଖାପାଖି ୪.୨ ଲକ୍ଷ ରେମଡେସିଭର୍ ଭାୟାଲ୍ ଆସିସାରିଛି । ତେବେ ଉକ୍ତ ଦେଶଗୁଡିକ ହେଲା ଆମେରିକା, ଇସ୍ରାଏଲ୍, ଅଷ୍ଟ୍ରିଆ, ଜାପାନ, ମାଲେସିୟା, କାନାଡା, ଥାଇଲାଣ୍ଡ, କୁଏତ୍, ସ୍ୱିଜରଲ୍ୟାଣ୍ଡ, ସ୍ପେନ୍, ଇଜିପ୍ଟ, ସିଙ୍ଗାପୁର ଇତ୍ୟାଦି । ଭାରତର ଏହି ଭଳି ଘଡିସନ୍ଧି ମୁହୁର୍ତ୍ତରେ ଅନେକ ଦେଶ ସାହାଯ୍ୟର ହାତ ବଢ଼ାଉଛନ୍ତି ।

Get real time updates directly on you device, subscribe now.