fbpx

ଆଜି ହେଉଛି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ : ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ହେଉଛି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ । ୧୯୯୮ ମସିହା ମେ’ ମାସରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ରାଜସ୍ଥାନର ପୋଖରାନଠାରେ ସଫଳତାର ସହିତ ପରମାଣୁ ପରୀକ୍ଷା କରିଥିଲେ । ଭାରତର ସାହସିକତାକୁ ବିଶ୍ୱ ଦରବାରରେ ପହଁଞ୍ଚାଇଥିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରାଯାଉଛି । ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଯୁକ୍ତିବିଦ୍ୟା ସଂସ୍ଥା ଏବଂ ବୈଜ୍ଞାନିକ ବ୍ୟକ୍ତିବିଶେଷଙ୍କୁ ଆଜିର ଦିନରେ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ଏବଂ ଜାତୀୟ ପ୍ରଯୁକ୍ତି ପୁରସ୍କାର ଦିଆଯାଉଛି । ଆଜିର ବାର୍ତ୍ତା ହେଉଛି ନୂତନତା ଆଣିବା ପାଇଁ ଷ୍ଟାର୍ଟଅପ୍ ସୃଷ୍ଟି କରୁଥିବା ଯୁବ ମାନସ ।

ଏହି ଦିବସ ପାଳନ ଅବସରରେ ରାଜ୍ୟପାଳ ରଘୁବର ଦାସ ସାମାଜିକ ଗଣମାଧ୍ୟମରେ ବୈଜ୍ଞାନିକ, ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ ତଥା ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ସେ କହିଛନ୍ତି, ଆଜିର ଦିନରେ ପରମାଣୁ ପରୀକ୍ଷଣ କରି ଭାରତ ବିଶ୍ୱରେ ନିଜକୁ ସଶକ୍ତ ରାଷ୍ଟ୍ରଭାବେ ପ୍ରତିପାଦିତ କରିପାରିଛି ।

ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କ ପାଇଁ ପ୍ରଗତି ଓ ସମୃଦ୍ଧତାର କାମନା କରିବା ସହ ଓଡ଼ିଶା ନବସୃଜନ ଗଠନରେ ବ୍ରତୀ ହେବା ପାଇଁ ଆହ୍ୱାନ ଦେଇଛନ୍ତି । ଏହି ଉପଲକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

Get real time updates directly on you device, subscribe now.