fbpx
BJD SKY
BJD SKY

Tomato Flu: କ’ଣ ଏହି ଟୋମାଟୋ ଫ୍ଲୁ, ଏହାର ଲକ୍ଷଣ କ’ଣ; ଜାଣନ୍ତୁ ଏଥିରୁ ରକ୍ଷା ପାଇବେ କେମିତି

BJD

ନୂଆଦିଲ୍ଲୀ: ଭାରତରେ ସଂପ୍ରତି ଚର୍ଚ୍ଚାରେ ରହିଛି ଟୋମାଟୋ ଫ୍ଲୁ। ଏ ପର‌୍ୟ୍ୟନ୍ତ ଲୋକେ କରୋନାରୁ ସଂପୂର୍ଣ୍ଣ ମୁକୁଳି ନଥିବା ବେଳେ ଆଉ ଏକ ନୂତନ ରୋଗ ଲୋକଙ୍କ ଚିନ୍ତା ବଢାଇ ଦେଇଛି। କେଉଁଠୁ ଆସିଲା ଟୋମାଟୋ ଫ୍ଲୁ, ସଭିଙ୍କ ମନରେ ଏହି ପ୍ରଶ୍ନ ? କେରଳରେ ଏହି ଫ୍ଲୁରେ ଅନେକ ସଂକ୍ରମିତ ହେବା ପରେ ରାଜ୍ୟରେ ଚହଳ ପଡିଛି। ଆସନ୍ତୁ ଜାଣିବା କଣ ଏହି ଟୋମାଟୋ ଫ୍ଲୁ, ଏହାର ଲକ୍ଷଣ କଣ ଏବଂ ଏଥିରେ ମୃତ୍ୟୁହାର କେତେ। ଭାରତରେ ଏହାର ଚିକିତ୍ସା କଣ ରହିଛି ଏବଂ ଏଥିରୁ କେମିତି ଲୋକେ ବଞ୍ଚି ପାରିବେ।

ପାଦ ଏବଂ ପାଟି ସହ ସମ୍ବନ୍ଧିତ ଏହି ସଂକ୍ରମଣକୁ ଟୋମାଟୋ ଫ୍ଲୁ କୁହାଯାଉଛି। ଏ ପର‌୍ୟ୍ୟନ୍ତ ଭାରତରେ ଏମିତି ୮୨ଟି କେସ୍ ସାମ୍ନାକୁ ଆସି ସାରିଛି। ମେ ୬ ତାରିଖରେ ପ୍ରଥମ ଥର କେରଳରେ ଏହି ସଂକ୍ରମଣ ଚିହ୍ନଟ ହୋଇଥିଲା। ଲାସେଣ୍ଟ ଜର୍ଣ୍ଣାଲର ଏକି ରିପୋର୍ଟ ଅନୁସାରେ ସଂକ୍ରମିତ ପିଲାଙ୍କ ବୟସ ପାଞ୍ଚ ବର୍ଷରୁ କମ। ଏହାର ନାମ ଟୋମାଟୋ ଫ୍ଲୁ ହୋଇଥିଲେ ହେଁ, ଟମାଟର ସହ ଏହାର କୌଣସି ସଂପର୍କ ନାହିଁ।

ରୋଗର ଲକ୍ଷଣ କଣ ?

ରିପୋର୍ଟ ଅନୁଯାୟୀ, ଏହି ରୋଗରେ ତ୍ଵଚାରେ ଲାଲ ଚିହ୍ନ ପଡିଥାଏ ଏବଂ ବଡ ବଡ ଦାନା ଦେଖିବାକୁ ମିଳେ। ଏହି ଧରଣର ଲକ୍ଷଣ କରୋନା, ଚିକନଗୁନିଆ, ଡେଙ୍ଗୁ ଏବଂ ମଙ୍କିପୋକ୍ସ ସଂକ୍ରମଣରେ ମଧ୍ୟ ଦେଖିବାକୁ ମିଳିଥାଏ। ବୋଧହୁଏ ଲାଲ ଲାଲ ଗୋଲାକାର ଚିହ୍ନ ହେଉଥିବାରୁ ବୋଧହୁଏ ଏହାର ନାମ ଟୋମାଟୋ ଫ୍ଲୁ ରଖାଯାଇଛି। ଏହା ଏକ ସଂକ୍ରାମକ ରୋଗ, ଯାହା ଜଣଙ୍କଠୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ। ଏହି ରୋଗର ଅନ୍ୟ ଲକ୍ଷଣ ହେଉଛି ଚମଡାରେ ଦାଗ ହେବା, ଜୋରରେ ଜ୍ଵର ହେବା, ଶରୀର ପୀଡା ବ୍ୟଥା, ଡିହାଇଡ୍ରେସନ ଏବଂ ଥକାପଣ, ଗଣ୍ଠି ଫୁଲିବା ଆଦି।

ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପିଲା ପ୍ରଭାବିତ

ଏହି ରୋଗର ଖାସ୍ କଥା ଏହା ଯେ, ଏହା ପାଞ୍ଚ ବର୍ଷରୁ କମ ବୟସର ପିଲାଙ୍କୁ ପ୍ରଭାବିତ କରିଥାଏ। ଏହି କାରଣରୁ ପିଲାଙ୍କ ଚମଡା ପୋଡାଜୋଳା ହେବା ସହ କୁଣ୍ଡେଇ ହୋଇଥାଏ। ଏହି ରୋଗରେ ସଂକ୍ରମିତ ହେଲେ ପିଲାଙ୍କୁ ଜୋରରେ ଜ୍ଵର ହୋଇଥାଏ। ପିଲାଙ୍କୁ ଡିହାଇଡ୍ରେସନର ସମସ୍ୟା ସହିତ ଶରୀର ଏବଂ ଗଣ୍ଠିରେ ବହୁତ ଯନ୍ତ୍ରଣା ହୋଇଥାଏ।

ଭାରତରେ ଏହାର ସ୍ଥିତି କଣ

ଲାସେଣ୍ଟର ରିପୋର୍ଟ ଅନୁଯାୟୀ, ମେରେ କେରଳରୁ ଏହି ରୋଗ ବ୍ୟାପିବା ଆରମ୍ଭ ହୋଇଥିଲା। କେରଳରେ ଏହି ରୋଗ ବ୍ୟାପିବାରୁ ତାମିଲନାଡୁ ଏବଂ କର୍ଣ୍ଣାଟକ ମଧ୍ୟ ସତର୍କ ହୋଇଯାଇଛି। ଓଡିଶାର ଭୁବନେଶ୍ଵରରେ ଆଞ୍ଚଳିକ ଚିକିତ୍ସା ଗବେଷଣା କେନ୍ଦ୍ରରେ ୨୬ ଜଣ ପିଲା ଏଥିରେ ସଂକ୍ରମିତ ହୋଇଛନ୍ତି। ଆଶ୍ଵସ୍ତିର କଥା ଏ ପର‌୍ୟ୍ୟନ୍ତ ଏହା କେରଳ, ତାମିଲନାଡୁ ଏବଂ ଓଡିଶା ବ୍ୟତୀତ ଦେଶର ଅନ୍ୟ ରାଜ୍ୟକୁ ବ୍ୟାପି ନାହିଁ।

କେମିତି ରହିବେ ସତର୍କ

ଏହି ରୋଗ ମରଣାନ୍ତକ ନୁହେଁ। ତେଣୁ ମୃତ୍ୟୁହାର ଶୂନ୍ୟ ପ୍ରତିଶତ ରହିଛି। ଏହି ରୋଗ ବିଷୟରେ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୌଣସି ବୟାନ ଜାରି କରାଯାଇ ନାହିଁ। ମାତ୍ର ସମୟ ପୂର୍ବରୁ ଲକ୍ଷଣର ଚିହ୍ନଟ ଏବଂ ସଂକ୍ରମିତଙ୍କୁ ଆଇସୋଲେଟ୍ କରାଯାଇ ସହଜରେ ରୋଗକୁ କାବୁ କରାଯାଇ ପାରିବ। ଏଥିପାଇଁ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। ବିଶେଷ କରି କମ୍ ରୋଗ ପ୍ରତିରୋଧକ ଶକ୍ତି ଥିବା ପିଲାଙ୍କୁ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି।

ସ୍ଵଚ୍ଛତା ଏବଂ ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ

ଟୋମାଟୋ ଫ୍ଲୁର ଲକ୍ଷଣ ଦେଖାଗଲେ ପିଲାଙ୍କୁ ଭଲ ଡାକ୍ତରଙ୍କୁ ଦେଖାନ୍ତୁ। ଧ୍ୟାନ ଦେବେ ଯେ ପିଲା ଯେମିତି ଶରୀରକୁ ନ କୁଣ୍ଡାଏ। ଶରୀରକୁ ଭଲ କରି ସଫା ରଖନ୍ତୁ। ପିଲାଙ୍କ ଠିକ୍ ଭାବେ ବିଶ୍ରାମ କରିବାକୁ ଦିଅନ୍ତୁ ଏବଂ ସମୟ ସମୟରେ ପାଣି ପିଆନ୍ତୁ। ବିଶେଷ କରି ପିଲାର ଇମ୍ୟୁନିଟିକୁ ମଜବୁତ ରଖନ୍ତୁ।

Get real time updates directly on you device, subscribe now.