fbpx

ଓଡିଶାର ଟପ୍ ୧୦ ୟୁ-ଟ୍ୟୁବର୍ ଓ ସେମାନଙ୍କ ମାସିକ ଆୟ, ପଢ଼ନ୍ତୁ ପୂରା ଖବର

ଓଡ଼ିଶା ଭାସ୍କର ବ୍ୟୁରୋ: ସମୟ ବଦଳିବା ସହିତ ଲୋକମାନଙ୍କ ଜୀବନଶୈଳୀରେ ଢେର୍ ଗୁଣରେ ଆଧୁନିକତା ଆସିଯାଇଛି । ବର୍ତ୍ତମାନର ସମାଜରେ ଲୋକେ ନିଜ ହିସାବରେ ବଞ୍ଚିବାକୁ ବେଶୀ ପସନ୍ଦ କରୁଛନ୍ତି । ଏଥିପାଇଁ ନିଜ ଭିତରେ ଲୁକ୍କାୟିତ ଥିବା ପ୍ରତିଭାକୁ ପେସାରେ ପରିବର୍ତ୍ତନ କରି ତିଷ୍ଠିବାକୁ ଆଗ୍ରହ ପ୍ରକାଶ କରନ୍ତି । ଓଡ଼ିଶାରେ ମଧ୍ୟ ସେହି ଭଳି କିଛି ଯୁବ ପ୍ରତିଭା ରହିଛନ୍ତି ଯେଉଁ ମାନେ ନିର୍ଦ୍ଦିଷ୍ଟ ପ୍ଲାଟଫର୍ମ ବାଛିଛନ୍ତି । ଯାହା ହେଉଛି ୟୁ-ଟ୍ୟୁବ୍ । ଏଠାରେ ସବୁ ବର୍ଗର ଲୋକ ନିଜ ପାଖରେ ଗଚ୍ଛିତ ଥିବା ପ୍ରତିଭା କୁ ଉପସ୍ଥାପନା କରନ୍ତି ଏବଂ ଟଙ୍କା ମଧ୍ୟ କମାନ୍ତି । ତେବେ ଓଡିଶାରେ ମଧ୍ୟ ସେହିଭଳି କିଛି ପ୍ରତିଭାବାନ ବ୍ୟକ୍ତି ନିଜର ଉପସ୍ଥାପନା ଜରିଆରେ ଜନମାନସରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସବୁଠାରୁ ଖାସ୍ କଥା ହେଉଛି ଏହି କରୋନା ସମୟରେ ଲକ୍ ଡାଉନ୍ ଜାରି ରହିଥିବା ବେଳେ ଘରେ ବସି ମଧ୍ୟ ୟୁ-ଟ୍ୟୁବ୍ ସାହାଯ୍ୟରେ ରୋଜଗାରକ୍ଷମ ହୋଇ ପାରୁଛନ୍ତି କିଛି ଯୁବ ପ୍ରତିଭା । ତେବେ ଓଡିଶାରେ ଏହିପରି କିଛି ୟୁ-ଟ୍ୟୁବର ରହିଛନ୍ତି ଯାହାଙ୍କ ପ୍ରତିଭା ଘରେ ଘରେ ପରିଚିତ । ଏହି ୟୁ-ଟ୍ୟୁବର ମାନେ ବିଭିନ୍ନ ବିଭାଗରେ ନିଜର କଳା ପ୍ରଦର୍ଶନ କରିଛନ୍ତି । ଯେପରିକି ପ୍ରଯୁକ୍ତିବିଦ୍ୟା, ରୋଷେଇ, କମେଡି, ଛୋଟ ପିଲାଙ୍କ ମନୋରଞ୍ଜନ ଏପରି ଅନେକ କିଛି । ଏହି ଲକ୍ ଡାଉନ୍ ସମୟରେ ରୋଜଗାର କରିବା ପାଇଁ ଏବଂ ନିଜ ରୁଚି ଅନୁସାରେ କାର୍ୟ୍ୟକ୍ଷମ ହେବାପାଇଁ ୟୁ ଟ୍ୟୁବ୍ ଏକ ଉତ୍କୃଷ୍ଟ ମାଧ୍ୟମ ।

1. ବଦ୍ରି ନାରାୟଣ ଭଦ୍ରା

ଏହି ନାମରେ ଥିବା ୟୁ-ଟ୍ୟୁବ ଚ୍ୟାନେଲରେ ଜଣେ ଏପରି ମହିଳା ରହିଛନ୍ତି ଯିଏକି ଖୁବ୍ ସୁନ୍ଦର ଭାବରେ ନିଜର ପ୍ରତିଭାର ପ୍ରଦର୍ଶନ କରନ୍ତି । ଟ୍ରକ୍ ଠାରୁ ଆରମ୍ଭ କରି ହେଭି ବୁଲେଟ୍ ପର୍ୟ୍ୟନ୍ତ ସବୁ କିଛି ଯାନବାହାନ ଚଢ଼ିବାରେ ସେ ପାରଙ୍ଗମ । ତାଙ୍କ ନାମ ହେଉଛି ମୋନାଲିସା ଭଦ୍ରା । ସେ ଜଣେ ପଶୁ ପ୍ରେମୀ ହେବା ସହିତ ଖୁବ୍ ଭଲ ଯାନବାହାନ ଚାଳକ ମଧ୍ୟ । ତାଙ୍କର ୟୁଟ୍ୟୁବ୍ ରେ ୨୩ ଲକ୍ଷ ୭୦ ହଜାର ୭୬୭ ସବ୍ ସ୍କ୍ରାଇବର ଥିବାବେଳେ ସେଥିରୁ ସେ ମାସିକ ଦେଢ଼ ଲକ୍ଷ ଟଙ୍କା କମାନ୍ତି । ବର୍ତ୍ତମାନ ସେ ଓଡ଼ିଶାର ମହିଳା ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

2. ମଣ୍ଟୁ ଛୁରିଆ ଅଫିସିଆଲ୍

ଜଣେ ସମ୍ବଲପୁରୀ ଗାୟକ ଭାବରେ ଓଡ଼ିଶାରେ ବେଶ୍ ନାଁ କମାଇଛନ୍ତି ମଣ୍ଟୁ ଛୁରିଆ । ଗୀତ ଗାଇବା ଠାରୁ ଆରମ୍ଭ କରି ନାଚ ପର୍ୟ୍ୟନ୍ତ ସବୁରେ ସେ ମାହିର । ୟୁ ଟ୍ୟୁବ୍ ଜରିଆରେ ସେ ନିଜର କଳାକୁ ଉପସ୍ଥାପନା କରୁଛନ୍ତି । ନିକଟରେ ମୁକ୍ତିଲାଭ କରିଥିବା “ରସିଆ” ଗୀତର ଭିଡ଼ିଓକୁ ୩ କୋଟିରୁ ଅଧିକ ଲୋକ ଦେଖିଥିଲେ । ଖାଲି ଏହି ଗୀତ ନୁହେଁ ବରଂ ଏପରି ଅନେକ ସମ୍ବଲପୁରୀ ଗୀତ ରହିଛି ଯାହା ବେଶ୍ ଭଲ ପ୍ରଶଂସା ସାଉଣ୍ଟିଛି । ତେବେ ତାଙ୍କର ୟୁ ଟ୍ୟୁବ୍ ରେ ୧୦ ଲକ୍ଷରୁ ଅଧିକ ସବ୍ ସ୍କ୍ରାଇବର ଥିବା ବେଳେ ଦୈନିକ ଭିଉ ୪ ଲକ୍ଷ ୧୭ ହଜାରରୁ ଅଧିକ ରହିଥାଏ । ଆଉ ସେ ଏଥିରୁ ମାସକୁ ୮୦ ହଜାରରୁ ୧ ଲକ୍ଷ ୨୦ ହଜାର ପର୍ୟ୍ୟନ୍ତ ଟଙ୍କା ରୋଜଗାର କରନ୍ତି ।

3. ଫନି ଅନୁଗୁଳିଆ

ଏହି ଫନି ଅନୁଗୁଳିଆଙ୍କୁ ତ ଆପଣ ମାନେ ନିଶ୍ଚୟ ଜାଣିଥିବେ । କାରଣ ହେଉଛି ନିଜର କମେଡି ଜରିଆରେ ସେ ଘରେ ଘରେ ଏବେ ପରିଚିତ ହୋଇଯାଇଛନ୍ତି । ତେବେ ସେମାନେ କେବଳ ଏବେ ୟୁ-ଟ୍ୟୁବ୍ ଆପ ରେ ସୀମିତ ନାହାନ୍ତି ବରଂ ଓଲିଉଡ ଫିଲ୍ମ “ତୁ ମୋ ସାଥିରେ” ରେ ମଧ୍ୟ ସେମାନେ ନଜର ଆସି ସାରିଛନ୍ତି । ଏମାନେ ଗୋଟିଏ ଟିମ୍ ହୋଇ କାମ କରୁଥିବା ବେଳେ ଓଡ଼ିଶା ବାସୀଙ୍କୁ ନିଜର ଦମଦାର କମେଡିରେ ହସି ହସି ବେଦମ୍ କରାନ୍ତି । ୟୁ ଟ୍ୟୁବ୍ ରେ ଏହି ଚ୍ୟାନେଲର ଦୈନିକ ଭିଉ ୨ ଲକ୍ଷ ୭୨ ହାଜରରୁ ଅଧିକ ରହୁଥିବା ବେଳେ ମାସକୁ ୭୦ ହଜାରରୁ ୧ ଲକ୍ଷ ୩୦ ହଜାର ଟଙ୍କା କମାନ୍ତି ।

4. ସତ୍ୟଜିତ୍ ଜେନା ଅଫିସିଆଲ୍

ଇଣ୍ଡିଆନ୍ ଆଇଡଲ୍ ଭଳି ମଞ୍ଚରୁ ଗୀତ ଗାଇ ସୁନାମ ଅର୍ଜନ କରିଛନ୍ତି ଯୁବ ପ୍ରତିଭା ତଥା କେନ୍ଦ୍ରାପଡାର ସତ୍ୟଜିତ୍ ଜେନା । ମାତ୍ର ୧୨ ବର୍ଷରୁ ହିଁ ସେ ନିଜର ଚମତ୍କାର ସ୍ୱରରେ ବଲିଉଡ୍ ର ଅନେକ ବରିଷ୍ଠ କଣ୍ଠଶିଳ୍ପୀ ମାନଙ୍କ ମନ ଜିଣିପାରିଛନ୍ତି । ଅଳ୍ପ ବୟସରୁ ହିଁ ସେ ତାଙ୍କ ସ୍ୱରର ଜଲୱା ସାରା ଦୁନିଆରେ ପହଞ୍ଚାଇଛନ୍ତି । ଓଡିଆରୁ ଆରମ୍ଭ କରି ହିନ୍ଦୀ, ରୋମାଣ୍ଟିକ୍ ଗୀତରୁ ଆରମ୍ଭ କରି ସ୍ପୀଡ୍ ମ୍ୟୁଜିକ୍ ପର୍ୟ୍ୟନ୍ତ ସବୁପ୍ରକାରର ଗୀତ ଗାଇଛନ୍ତି ଓଡିଆ କଣ୍ଠଶିଳ୍ପୀ ସତ୍ୟଜିତ୍ । ଗାଇଥିବା ଗୀତ ମାନଙ୍କ ମଧ୍ୟରୁ ସବୁ ଠାରୁ ଲୋକପ୍ରିୟ ହୋଇଥିଲା “ଚାହୁଁଙ୍ଗା ମେ ତୁଝେ” ଗୀତ ଟି । ଏହାକୁ ଲକ୍ଷ ଲକ୍ଷ ଲୋକ ପସନ୍ଦ କରିଥିଲେ । ତେବେ ଜଣେ ଓଡ଼ିଆ ୟୁ-ଟ୍ୟବର୍ ଭାବରେ ତାଙ୍କର ୮୦ ଲକ୍ଷରୁ ଅଧିକ ସବସ୍କ୍ରାଇବର୍ ଥିବା ବେଳେ ଦୈନିକ ଭିଉ ୫ ଲକ୍ଷ ୯୭ ହଜାର ଅଧିକ ରହିଥାଏ । ଆଉ ସେ କମ୍ ବୟସରୁ ହିଁ ୟୁ-ଟ୍ୟୁବ୍ ରୁ ୧ଲକ୍ଷ ରୁ ଦେଢ଼ ଲକ୍ଷ ପର୍ୟ୍ୟନ୍ତ ରୋଜଗାର କରନ୍ତି ।

5. ପପୁ ପମ୍ ପମ୍ କ୍ରିଏସନ୍

ଅଭିନେତା ତଥା ଓଡିଆ କମେଡିଆନ୍ ପପୁ ପମ୍ ପମ୍ ଙ୍କୁ ତ ଆପଣ ମାନେ ଜାଣିଥିବେ । ଅନେକ ଓଲିଉଡ୍ ଫିଲ୍ମରେ ସେ ଅଭିନୟ କରି ଓଡିଶାବାସୀଙ୍କ ମଧ୍ୟରେ ପରିଚୟ ସୃଷ୍ଟି କରିଛନ୍ତି । ହେଲେ କୋଭିହ୍ ଲକଡାଉନ୍ ଆରମ୍ଭ ହେବା ପରଠାରୁ ଫିଲ୍ମ ସୁଟିଂ ବନ୍ଦ ଥିବାରୁ ସେ ନିଜର ୟୁ-ଟ୍ୟୁବ୍ ରେ ଏକ ଚ୍ୟାନେଲ୍ ଖୋଲି ଲୋକଙ୍କ ମନୋରଞ୍ଜନ କରୁଛନ୍ତି । ଏଥିସହ ପପୁସାର୍ ଅନଲାଇନ୍ ମାଧ୍ୟମରେ ବିଭିନ୍ନ ବିଷୟକୁ ନେଇ କମେଡି ଅନ୍ଦାଜରେ ଭିଡ଼ିଓ କରନ୍ତି । ସେ ଏହାକୁ ମାତ୍ର କିଛି ମାସ ତଳେ ଖୋଲିଥିବା ବେଳେ ଖୁବ୍ କମ୍ ଦିନରେ ଅନୁଗାମୀଙ୍କ ସଂଖ୍ୟା ବଢ଼ିଯାଇଛି । ତେବେ ତାଙ୍କର ବର୍ତ୍ତମାନ ୭ ଲକ୍ଷ ୬୧ହଜାରରୁ ଅଧିକ ସବ୍ ସ୍କ୍ରାଇବର୍ ହୋଇଯାଇଥିବା ବେଳେ ତାଙ୍କ ଭିଡିଓକୁ ପ୍ରତିଦିନ ୧ଲକ୍ଷ ୯୫ ହଜାରରୁ ଅଧିକ ଭିୟୁଅର୍ ଦେଖନ୍ତି । ଆଉ ସେ ଏହି ଭିଡିଓ ମାଧ୍ୟମରେ ୮୦ ହଜାରରୁ  ୧ଲକ୍ଷ ପର୍ୟ୍ୟନ୍ତ ଟଙ୍କା ରୋଜଗାର କରନ୍ତି ।

6. ଯୋଗେଶ ଜୋଜୋ

ସମ୍ବଲପୁରୀ କମେଡିଆନ୍ ଭାବେ ଯୋଗେଶ ଜୋଜୋ ବେଶ୍ ଲୋକ୍ରପିୟ ହୋଇପାରିଛନ୍ତି । ୟୁ-ଟ୍ୟୁବ୍ ବ୍ୟତୀତ ଅନେକ ଓଲିଉଡ୍ ଫିଲ୍ମରେ ମଧ୍ୟ ସେ ନଜର ଆସିସାରିଛନ୍ତି । ୟୁ-ଟ୍ୟୁବ୍ ରେ ଜୋଜୋ ଜେ୫ ପ୍ରଡକ୍ସନ୍ ନାମକ ଏକ ଚ୍ୟାନେଲ୍ ଜରିଆରେ ସେ ଲୋକଙ୍କ ମନୋରଞ୍ଜନ କରୁଛନ୍ତି । ତାଙ୍କ ଭିଡିଓ ଲୋକମାନେ ପସନ୍ଦ କରୁଥିବା ବେଳେ ତାଙ୍କର ଦୈନିକ ଭିଉ ୧ ଲକ୍ଷ ୯୦ ହଜାର ପର୍ଯ୍ୟନ୍ତ ରହୁଛି । ସେହିପରି ତାଙ୍କର ସବ୍ ସ୍କ୍ରାଇବର ସଂଖ୍ୟା ୧୨ ଲକ୍ଷରୁ ଅଧିକ ରହିଥିବା ବେଳେ ସେଥିରୁ ସେ ମାସିକ ପାଖାପାଖି ୪୦ରୁ ୫୦ ହଜାର ଟଙ୍କା ରୋଜଗାର କରୁଛନ୍ତି ।

7. ମିଷ୍ଟର୍ ଡୋଲୁ କମେଡି

ସେହିପରି ଆଉ ଏକ ସମ୍ବଲପୁରୀ କମେଡିଆନ୍ ରହିଛନ୍ତି ଯିଏକି ନିଜ ଚମତ୍କାର ଭାଷା ସଂଯୋଜନା ସହିତ ଖୁବ୍ ମନୋରଞ୍ଜନ କରନ୍ତି । ତାଙ୍କ ପ୍ରାୟ ସବୁ କମେଡି ଭିଡିଓର ଭିଉ ଲକ୍ଷ ଲକ୍ଷ ସଂଖ୍ୟା ଛୁଉଁଥିବା ବେଳେ ଘରେ ଘରେ ସେ ନିଜ କମେଡି ଜରିଆରେ ପରିଚୟ ସୃଷ୍ଟି କରିଛନ୍ତି । ତେବେ ନିକଟରେ ସେ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି । ହେଲେ ସେ ତାଙ୍କ ସ୍ୱତନ୍ତ୍ର ଛାପ ଛାଡିଯାଇଛନ୍ତି । ତାଙ୍କ ଚ୍ୟାନେଲକୁ ୪ ଲକ୍ଷରୁ ଅଧିକ ଲୋକ ସବ୍ ସ୍କ୍ରାଇବ୍ କରିଥିବା ବେଳେ ସେଥିରୁ ସେ ମାସିକ ୩୦ ରୁ ୪୦ ହଜାର ଟଙ୍କା ରୋଜଗାର କରୁଥିଲେ । ଏଥିସହିତ ତାଙ୍କ ଭିଡ଼ିଓର ଦୈନିକ ଭିଉ ପାଖାପାଖି ୩ଲକ୍ଷ ୮୨ ହଜାରରୁ ଅଧିକ ଛୁଉଁଥିଲା ।

8. ମୃଣାଲିନ୍

ଓଡ଼ିଶା ଏକ ଖାଦ୍ୟ ପ୍ରିୟ ରାଜ୍ୟ ହୋଇଥିବା ବେଳେ ଏଠାକାର ଲୋକମାନେ ଅନ୍ୟ ସବୁ ଜିନିଷ ଠାରୁ ପ୍ରଥମେ ଖାଦ୍ୟ କୁ ହିଁ ଟିକେ ଅଧିକ ଧ୍ୟାନ ଦେଇଥାନ୍ତି । ତେବେ ମୃଣାଲିନ୍ ଙ୍କୁ ରୋଷେଇ କରିବାରେ ରୁଚି ରହିଛି । ଆଉ ସେ ନିଜ ରୁଚିକୁ ଲୋକଲୋଚନକୁ ଆଣିବା ପାଇଁ ୟୁ-ଟ୍ୟୁବ୍ ଜରିଆରେ ନୂଆ ନୂଆ ରେସିପି ପ୍ରସ୍ତୁତ କରନ୍ତି । ଓଡ଼ିଆ ଖାଦ୍ୟ ଠାରୁ ଆରମ୍ଭ କରି ୱେଷ୍ଟର୍ନ ଖାଦ୍ୟ ପର୍ୟ୍ୟନ୍ତ ସବୁ ପ୍ରକାର ଖାଦ୍ୟ ପ୍ରସ୍ତୁତ କରନ୍ତି ମୃଣାଲିନ୍ । ଆଉ ଏହିପରି ଭାବରେ ତାଙ୍କର ୬ ଲକ୍ଷ ରୁ ଅଧିକ ସବ୍ ସ୍କ୍ରାଇବର୍ ଥିବା ବେଳେ ଦୈନିକ ଭିୟୁ ୮୬ ହଜାର ରୁ ଅଧିକ ରହିଥାଏ । ଆଉ ଏଥିରୁ ସେ ମାସକୁ ୨୦ ହଜାର ରୁ ଅଧିକ ଟଙ୍କା ରୋଜଗାର କରନ୍ତି ।

9. ଇ-ଫାର୍ମିଂ ଓଡ଼ିଶା

ଓଡ଼ିଶାରେ ଜନସଂଖ୍ୟାର ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରି ବଞ୍ଚନ୍ତି । ଧାନ ବିରି ମୁଗ ଗହମ ଠାରୁ ଆରମ୍ଭ କରି ଭଳିକି ଭଳି ପନିପରିବା ଉତ୍ପାଦନ କରି ପରିବାରର ଭରଣ ପୋଷଣ କରନ୍ତି । ତେବେ ଖାସ୍ ଏହାକୁ ନେଇ କିଛି ଓଡ଼ିଆ ଯୁବକ ଚାଷ ନିମନ୍ତେ ଆରମ୍ଭ କରିଛନ୍ତି ବିଶେଷ ଚ୍ୟାନେଲ୍ । ଏହା ମାଧ୍ୟମରେ କୁକୁଡା ଫାର୍ମ ଠାରୁ ଆରମ୍ଭ କରି ଫଳ ଚାଷ ପର୍ୟ୍ୟନ୍ତ ସବୁକିଛି କିପରି କମ୍ ଖର୍ଚ୍ଚରେ ଭଲ ଭାବରେ ଉତ୍ପାଦନ କରିପାରିବେ ସେ ବିଷୟରେ ନୂଆ ନୂଆ ଟିପସ୍ ଦିଅନ୍ତି । ବର୍ତ୍ତମାନ ଯାଏ ସେମାନେ ଚାଷକୁ ନେଇ ୫୪୪ଟି ଭିଡିଓ କରିସାରିଛନ୍ତି । ଯେଉଁଥିରୁ ଲୋକମାନେ ଭଲ ଚାଷ ପାଇଁ ନୂତନ ଉପାୟ ପାଇ ପାରୁଛନ୍ତି । ଏବେ ଏହି ଚ୍ୟାନେଲକୁ ୫ଲକ୍ଷ ୨୭ ହଜାରରୁ ଅଧିକ ଲୋକ ସବ୍ ସ୍କ୍ରାଇବ୍ କରିଥିବା ବେଳେ ଭଲ ଦି ପଇସା ରୋଜଗାର ହେଉଛି । ଏହାକୁ ଆରମ୍ଭ କରିଥିବା ଯୁବକ ମାନେ ମାସକୁ ୨୦ ରୁ ୪୦ ହଜାର ଟଙ୍କା ରୋଜଗାର କରୁଥିବା ବେଳେ ଏହା ବେଶ୍ ଲୋକମାନଙ୍କ ମଧ୍ୟରେ ଆଦୃତ ହୋଇପାରୁଛି ।

10. ବୁଲୁ ପଟ୍ଟନାୟକ

ବର୍ତ୍ତମାନର ଯୁବପିଢ଼ିଙ୍କର ଗାଡି ପ୍ରତି ଏକ ଅଲଗା ଆକର୍ଷଣ ରହିଥାଏ । ଖାସ୍ କରି ଷ୍ଟାଇଲିସ୍ ବାଇକ୍ ଚଲାଇବା ଏବଂ ରେସିଂ ଇତ୍ୟାଦି କରିବା ପାଇଁ ବେଶ୍ ଆଗ୍ରହ ପ୍ରକାଶ କରନ୍ତି ଯୁବପିଢ଼ି । ସେହି ଭଳି ଜଣେ ଓଡ଼ିଆ ଯୁବକ ରହିଛନ୍ତି ଯିଏକି ବହୁ ଇଣ୍ଟର ନ୍ୟାସନାଲ ବ୍ରାଣ୍ଡ୍ ର ଗାଡ଼ିକୁ ଚଳାଇବା ସହିତ ସେ ସମ୍ବନ୍ଧୀୟ ବିସ୍ତୃତ ତଥ୍ୟ ଦିଅନ୍ତି । ସେ ହେଉଛନ୍ତି ବୁଲୁ ପଟ୍ଟନାୟକ । ୟୁ ଟ୍ୟୁବ୍ ରେ ତାଙ୍କର ୩ ଲକ୍ଷ ୪୩ ହଜାର ରୁ ଅଧିକ ସବ୍ ସ୍କ୍ରାଇବର ରହିଛନ୍ତି । ଆଉ ସେଥିରୁ ସେ ମାସିକ ପାଖାପାଖି ୩୦ ହଜାରରୁ ୫୦ ହଜାର ଟଙ୍କା ରୋଜଗାର କରନ୍ତି ।

Get real time updates directly on you device, subscribe now.