fbpx

ସାଉଥମ୍ପଟନରେ ରାତିସାରା ବର୍ଷା, କ’ଣ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇ ପାରିବ ପ୍ରଥମ ଦିନର ଖେଳ ?

ସାଉଥମ୍ପଟନ : ଆଉ କିଛି ଘଣ୍ଟା ପରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥମ୍ପଟନରେ ଖେଳାଯିବା ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମୁକାବିଲା। ଏହି ମୁକାବିଲା ପାଇଁ ସମଗ୍ର କ୍ରିକେଟ୍ ଜଗତ ଚାତକ ପରି ଚାହିଁ ରହିଛି। ହେଲେ ଏବେ ସବୁଠୁ ବଡ ପ୍ରଶ୍ନ ଫାଇନାଲ ମୁକାବିଲା କଣ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇ ପାରିବ ? ଦୁଇ ଦଳ ଦୀର୍ଘ ସମୟ ଧରି ଏହି ମୁକାବିଲାକୁ ଅପେକ୍ଷା କରି ରହିଥିଲେ ହେଲେ ଏଥିରେ ବଡ ବାଧକ ସାଜିଛି ବର୍ଷା।

ସାଉଥମ୍ପଟନରୁ ଯାହା ଖବର ଆସୁଛି ତାହା କ୍ରିକେଟ୍ ପ୍ରେମୀଙ୍କ ମନକୁ ଖଟା କରି ଦେବ। କାରଣ ଗତରାତି ସାରା ସାଉଥମ୍ପଟନରେ ପ୍ରବଳ ବର୍ଷା ହୋଇଛି। ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ବର୍ଷା ଭିଡିଓ ଇନଷ୍ଟାଗ୍ରାମ ପେଜରେ ଅପଲୋଡ୍ କରିଛନ୍ତି। ଜାଡେଜା ବାଲକୋନିରେ କଫିର ମଜ ନେଇ ବର୍ଷାର ଭିଡିଓ ପୋଷ୍ଟ କରିଛନ୍ତି।

 

ଏବେ ପ୍ରଶ୍ନ ଉଠୁଛି ଯେ, ଯଦି ରାତିସାରା ବର୍ଷା ହୋଇଛି ତେବେ ମ୍ୟାଚ୍ କଣ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇ ପାରିବ। ଫାଇନାଲ ମ୍ୟାଚର ଟସ୍ ଭାରତୀୟ ସମୟ ଅପରାହ୍ନ ୨ଟା ୩୦ରେ ପଡିବ। ଏହା ପୂର୍ବରୁ ସାଉଥମ୍ପଟନ ପାଣିପାଗ ବିଭାଗ ମ୍ୟାଚର ପାଞ୍ଚ ଦିନ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରି ସାରିଛି। ହେଲେ ମ୍ୟାଚରେ ବର୍ଷା କି ଅନ୍ୟ କୌଣସି କାରଣରୁ ସମୟ ନଷ୍ଟ ହେଲେ ଏହାର ଭରଣା ପାଇଁ ଜୁନ ୨୩ ତାରିଖକୁ ରିଜର୍ଭ ଡେ ଭାବେ ରଖାଯାଇଛି।

ମ୍ୟାଚର ପ୍ରଥମ ଦୁଇ ଦିନ ଭୀଷଣ ବର୍ଷା ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମ୍ୟାଚର ଦ୍ଵିତୀୟ ଦିନ ଆକାଶରେ ବାଦଲ ଛାଇ ରହିବ ଏବଂ ପ୍ରାୟ ଦେଢ ଘଣ୍ଟା ଧରି ବର୍ଷା ହେବାର ସମ୍ଭାବନା ରହିଛି। ଅବଶିଷ୍ଟ ଦିନଗୁଡିକରେ ରହି ରହି ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଇଂଲଣ୍ଡ ସମୟ ଅନୁସାରେ ଦିନ ୧୦ଟାରେ ମ୍ୟାଚ୍ ଆରମ୍ଭ ହେବ। ଅନ୍ୟପଟେ ନ୍ୟୁଜିଲାଣ୍ଡରେ ଦର୍ଶକ ରାତି ୯ଟା ୩୦ରୁ ମ୍ୟାଚ୍ ଉପଭୋଗ କରି ପାରିବେ। ଭାରତୀୟ ସମୟ ଅନୁସାରେ ମ୍ୟାଚ୍ ଅପରାହ୍ନ ୩ଟାରେ ଆରମ୍ଭ ହେବ।

Get real time updates directly on you device, subscribe now.