fbpx

ଏବେ ଆସାମରେ କଂଗ୍ରେସକୁ ବଡ ଝଟକା, ଦଳ ଛାଡିଲେ ବିଧାୟକ କୁରମି, ରାହୁଲଙ୍କ ନେଇ ଦେଲେ ଏମିତି ଟିପ୍ପଣୀ

ନୂଆଦିଲ୍ଲୀ : ପଞ୍ଜାବ, ରାଜସ୍ଥାନ ଓ ମହାରାଷ୍ଟ୍ର ପରେ ଏବେ କଂଗ୍ରେସ ଭିତରେ ଜାରି  ଅନ୍ତଃକନ୍ଦଳ ଆସାମ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଦଳରେ ସଙ୍କଟ ଥମିବାର ନାଁ ଧରୁନାହିଁ। ଗୋଟିଏ ରାଜ୍ୟର ବିବାଦ ନତୁଟୁଣ ଅନ୍ୟ ରାଜ୍ୟରେ ବିବାଦ  ଆରମ୍ଭ ହୋଇଯାଉଛି। ଲାଗୁଛି ଦଳୀୟ କନ୍ଦଳ ବିନା କଂଗ୍ରେସ ଦଳ ଚାଲି ପାରିବ ନାହିଁ। ଏହା ମଧ୍ୟରେ ଆସାମ ନିର୍ବାଚନ ଜିତିବାର ମାତ୍ର ଦେଢ ମାସରେ କଂଗ୍ରେସ ବିଧାୟକ ରୂପଜ୍ୟୋତି କୁର୍ମିଙ୍କ ପାର୍ଟିରୁ ମୋହଭଙ୍ଗ ହୋଇଛି। ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହା କଂଗ୍ରେସକୁ ବଡ ଝଟକା ଦେଇଛି। କୁରମି ପାର୍ଟି ହାଇକମାଣ୍ଡଙ୍କ ବିରୋଧରେ ଗୁରୁତର ଅଭିଯୋଗ ଲଗାଇ ଦଳ ଛାଡିଛନ୍ତି। ସେ ଆସନ୍ତା ସପ୍ତାହରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବେ।

ଜୋରହାଟ ଜିଲ୍ଲାର ମରିୟାନି ଅସନରୁ ଜିତିଥିବା ରୂପଜ୍ୟୋତି କୁରମି କ୍ରମାଗତ ଚତୁର୍ଥ ଥର ନିର୍ବାଚନ ଜିତିଥିଲ। ହେଲେ ବିଜୟର ଦେଢ ମାସ ପରେ ନିଜର ଇସ୍ତଫା ପତ୍ର ବାଚସ୍ପତି ବିଶ୍ଵଜିତ ଦୈମାରୀଙ୍କୁ ପ୍ରଦାନ କରିଛନ୍ତି। ଏହି ସମୟରେ କୁରମିଙ୍କ ସହ ବିଜେପିର ଦୁଇ ବିଧାୟକ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପିୟୂଷ ହଜାରିକା ଓ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵା ଶର୍ମାଙ୍କ ରାଜନୈତିକ ସଚିବ ଜୟନତ ମଲ୍ଲା ବରୁଆ ମଧ୍ୟ ଥିଲେ। ଏହି ଦୁଇ ନେତା ପୂର୍ବେ କଂଗ୍ରେସରେ ଥିଲେ ଏବଂ ୨୦୧୫ରେ ଶର୍ମାଙ୍କ ସହ ବିଜେପିରେ ସାମିଲ ହୋଇଥିଲେ।

ଇସ୍ତଫା ଦେବା ପରେ କୁର୍ମୀ କହିଛନ୍ତି, ମୋତେ ବିଧାନସଭାରେ ବିରୋଧୀ ଦଳ ନେତା କରାଯିବାର ଆଶ୍ଵାସନ ଦିଆଯାଇଥିଲା, ମାତ୍ର ପରେ ମନା କରି ଦିଆଗଲା। ମୁଁ ପାର୍ଟିରେ ରାଜ୍ୟ ସଭାପତି ପଦ ପାଇଁ ଆବେଦନ କରିଥିଲି। ମାତ୍ର ତାହା ମଧ୍ୟ ମିଳିଲା ନାହିଁ। ପାର୍ଟି ମୋର ନାଁ ରାଜ୍ୟ ବିଧାନସଭାର ଲୋକ ଲେଖା ସମିତି(ପିଏସି)ର ସଦସ୍ୟ ତାଲିକାରେ ସାମିଲ କଲା ନାହିଁ। ଏମିତି ଲାଗୁଛି କଂଗ୍ରେସ ମୋ ପରି ବିଶେଷ ସମୁଦାୟରୁ ଆସିଥିବା ନେତାଙ୍କୁ ଉପରକୁ ଉଠିବାକୁ ଦେଖିବାକୁ ଚାହୁଁନାହିଁ।

ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ଯେଉଁଭଳି କଠୋର ପରିଶ୍ରମ ଓ ସମର୍ପଣ ସହ କାମ କରୁଛନ୍ତି, ସେଥିପାଇଁ ତାଙ୍କୁ ମୋତେ ଅଭିନନ୍ଦନ ଜଣାଇବା ଉଚିତ୍। ମୋତେ ବିଶ୍ଵାସ ତାଙ୍କ ନେତୃ୍ତ୍ଵର ରାଜ୍ୟରେ ସର୍ବାଙ୍ଗୀନ ବିକାଶ ହେବ। ଏଥିପାଇଁ ମୁଁ ଆଗାମୀ ସୋମବାର ବିଜେପିରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛି। ସେ ପ୍ରଥମରୁ କଂଗ୍ରେସ ହାଇକମାଣ୍ଡଙ୍କୁ ନିଜର ଇସ୍ତଫା ଦେଇ ସାରିଛନ୍ତି।

ପଞ୍ଜାବ ଓ ରାଜସ୍ଥାନ କଂଗ୍ରେସରେ ଜାରି ଆଭ୍ୟନ୍ତରୀନ କହଳ ମଧ୍ୟରେ ଆସାମର କଂଗ୍ରେସ ବିଧାୟକ ରୂପଜ୍ୟୋତି କୁର୍ମୀ କହିଛନ୍ତି, କଂଗ୍ରେସ ନିଜର ଯୁବ ନେତାଙ୍କ କଥା କର୍ଣ୍ଣପାତ କରୁନାହିଁ। ସେମାନଙ୍କୁ ଅଣଦେଖା କରାଯାଉଛି। ସେଥିପାଇଁ ସବୁ ରାଜ୍ୟରେ କଂଗ୍ରେସର ସ୍ଥିତି ବିଗିଡିବାରେ ଲାଗିଛି। ରାହୁଲ ଗାନ୍ଧୀ ନେତୃତ୍ଵ ନେବାରେ ଅସମର୍ଥ। ଯଦି ସେ ଦଳର ନେତୃତ୍ଵ ନିଅନ୍ତି ତେବେ କଂଗ୍ରେସ କେବେ ବି ଆଗକୁ ବଢି ପାରିବ ନାହିଁ। ମୁଁ ଏଥିପାଇଁ କଂଗ୍ରେସ ଛାଡୁଛି କାରଣ ଦିଲ୍ଲୀର ହାଇକମାଣ୍ଡ ଓ ଗୌହାଟୀରେ ବସିଥିବା ନେତା ବୃଦ୍ଧ ନେତାଙ୍କୁ ହିଁ ପ୍ରାଥମିକତା ଦେଉଛନ୍ତି। ସେ ଏହା ମଧ୍ୟ କହିଛନ୍ତି, କଂଗ୍ରେସ ପାଖରେ ଏଥର କ୍ଷମତାକୁ ଫେରିବାରେ ଭଲ ସୁଯୋଗ ଥିଲା। ଦଳକୁ ଏଆଇୟୁଡିଏଫ ସହ ମେଣ୍ଟ କରିବାର ନଥିଲା ବୋଲି ସେ କହିଛନ୍ତି।

Get real time updates directly on you device, subscribe now.