ହାଇଦ୍ରାବାଦ: ତେଲେଙ୍ଗାନାରୁ ଆସିଛି ଏକ ହୃଦୟବିଦାରକ ଖବର । ଗୋଟିଏ ଘରେ ପୁଅର ମୃତଦେହ ସହ ନିଜ ଅଜାଣତରେ ପଡି ରହିଥିଲେ ଅନ୍ଧ ବାପା ମାଆ । ୪ ଦିନ ପରେ ପୋଲିସ ଖବର ପାଇ ସେଠାରେ ପହଞ୍ଚିବା ବେଳକୁ ବାପା, ମାଆ ଅର୍ଦ୍ଧ ଚେତନା ଅବସ୍ଥାରେ ପଡିଥିଲେ । ସେମାନଙ୍କୁ ଉଦ୍ଧାର କରିବା ସହ ପୋଲିସ ପୁଅର ଗଳିତ ମୃତଦେହ ଜବତ କରି ପୋଷ୍ଟ ମର୍ଟମ ପାଇଁ ପଠାଇ ଦେଇଛି ।
ନାଗୋଲା ପୋଲିସର ସୂଚନା ମୁତାବକ, ନାଗୋଲାରେ ଥିବା ଏକ କଲୋନୀରୁ ପୋଲିସକୁ ସୂଚନା ମିଳିଥିଲା କି ଏକ ଘରୁ ପଚା ଗନ୍ଧ ଆସୁଛି । ଏହାକୁ ନେଇ ପୋଲିସ ଘର ଭିତରେ ଯାହା ଦେଖିଲା ତାର ହୋସ ଉଡିଯାଇଥିଲା । ଘର ଭିତରେ ଗୋଟିଏ ବିଛଣାରେ ୩୦ ବର୍ଷୀୟ ପୁଅର ଗଳିତ ମୃତଦେହ ପଡିଥିଲା । ଅନ୍ୟ ଏକ ଯାଗାରେ ବୃଦ୍ଧ ଦମ୍ପତି ବେହୋସ ହୋଇ ପଡିଥିଲେ । ସେମାନଙ୍କୁ ଉଠାଇ ପୋଲିସ ଗାଧୁଆପାଧୁଆ କରିବା ପରେ ଖାଇବାକୁ ଦେଇ ସାଷ୍ଟାଙ୍ଗ କରିଥିଲା ।
ପୋଲିସ ମୁତାବକ, କେ ରମଣା (୬୫) ଓ କେ ଶାନ୍ତା କୁମାରୀ (୬୦) ଏକ ଅନ୍ଧ ଦମ୍ପତି । ଗୋଟିଏ ପୁଅ ବାହାରେ ରହି ଚାକିରି କରୁଥିବା ବେଳେ ଅନ୍ୟ ପୁଅ, କେ ପ୍ରମୋଦ (୩୦) ସେମାନଙ୍କ ସହ ରହୁଥିଲେ । ଶ୍ରବଣ କୁମାର ପରି ପ୍ରମୋଦ ବାପା ମାଆଙ୍କ ସବୁ କଥା ବୁଝୁଥିଲେ । ଚାରି ଦିନ ତଳେ ବାପା ମାଆଙ୍କୁ ରାତ୍ରି ଭୋଜନ କରାଇ ଶୁଆଇଥିଲେ ପ୍ରମୋଦ । ତା ପରେ ପ୍ରମୋଦଙ୍କ ଖବର ନ ଥିଲା । ଅନ୍ଧ ଓ ପଙ୍ଗୁ ବାପା ମାଆଙ୍କ ପାଇଁ ପୁଅକୁ ଖୋଜି ଯିବା କି ଅନ୍ୟ କାହାକୁ ଡାକିବା ସମ୍ଭବ ନ ଥିଲା । ସେମିତି ଦମ୍ପତି ପୁଅର ମୃତଦେହ ସହ ସେହି ଘରେ ରହିଥିଲେ ।
୪ ଦିନ ବେଳକୁ ଘରୁ ଉକ୍ରଟ ଗନ୍ଧ ବାହାରିବାରୁ ପଡୋଶୀଙ୍କ ସୂଚନାରେ ପୋଲିସ ସେଠାରେ ପହଞ୍ଚିଥିଲା । ପୋଲିସ ବଡ ପୁଅକୁ ଖବର ଦେବା ପରେ ସେ ଆସି ପହଞ୍ଚି ମୃତଦେହ ଗ୍ରହଣ କରିଥିଲା ଓ ଅନ୍ତିମ ସଂସ୍କାର କରିଥିଲା । ପୋଲିସ କହିଛି, ହୁଏତ ଶୋଇବା ବେଳେ ପ୍ରମୋଦର ମୃତ୍ୟୁ ହୋଇଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ମୃତ୍ୟୁର ପ୍ରକୃତ କାରଣ ।