ସ୍ୱୟଂଚାଳିତ ହେବ ଟ୍ରାନ୍ସଫର ପଲିସି ! ଖୁବ୍ ଶୀଘ୍ର ଲାଗୁ ହେବ ନିୟମ, ଜାଣନ୍ତୁ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ: ଆପଣ ଜଣେ ବ୍ୟାଙ୍କ କର୍ମଚାରୀ ହୋଇଥିଲେ ଏହି ଖବର ଆପଣଙ୍କ ପାଇଁ ଜରୁରୀ ଅଟେ । ସରକାରଙ୍କ ତରଫରୁ ବ୍ୟାଙ୍କ କର୍ମଚାରୀଙ୍କ ଟ୍ରାନ୍ସଫର ପଲିସିକୁ ଅପଡେଟ୍ କରିବା ପାଇଁ ପରାମର୍ଶ ଦିଆଯାଇଛି । ଆର୍ଥିକ ମନ୍ତ୍ରଣାଳୟ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ଭଳି ଅନ୍ୟାନ୍ୟ ପବ୍ଲିକ୍ ସେକ୍ଟର ବ୍ୟାଙ୍କଗୁଡ଼ିକର ଟ୍ରାନ୍ସଫର ପଲିସିରେ ଅନେକ ପଦକ୍ଷେପ ଅନ୍ତର୍ଭୂକ୍ତ କରିବାକୁ ପରାମର୍ଶ ଦିଆଯାଇଛି । ବୋର୍ଡ଼ରୁ ଅନୁମୋଦନ ନେବା ପରେ ଆର୍ଥିକ ବର୍ଷ ୨୦୨୬ ପ୍ରାରମ୍ଭରୁ ଏହି ନିୟମ ଲାଗୁ କରାଯିବା ନେଇ ଆର୍ଥିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଆର୍ଥିକ ସେବା ବିଭାଗ(Department Of Financial Services) ପବ୍ଲିକ ସେକ୍ଟର ଅନ୍ତର୍ଗତ ସମସ୍ତ ବ୍ୟାଙ୍କଗୁଡ଼ିକୁ ଏକ ଚିଠି ମାଧ୍ୟମରେ ଲେଖି ଜଣାଛି କି ଟ୍ରାନ୍ସଫର ପଲିସି ବିଷୟରେ ସମୀକ୍ଷା କରାଯାଇଛି । ଏହା ପରେ ଏକ ସମାନ ନୀତି(ୟୁନିଫର୍ମ ପଲିସି) ଲାଗୁ କରିବାରେ ସହାୟକ ହେବ । କିଛି ପରିବର୍ତ୍ତନ ମଧ୍ୟରେ ବ୍ୟାଙ୍କଗୁଡ଼ିକର ଟ୍ରାନ୍ସଫର ପ୍ରକ୍ରିୟାକୁ ସ୍ୱୟଂଚାଳିତ କରିବା ଏବଂ ଏହା ପାଇଁ ଏକ ଅନଲାଇନ୍ ପ୍ରକ୍ରିୟା ପ୍ରସ୍ତୁତ କରିବା ସହ କର୍ମଚାରୀଙ୍କ ପାଇଁ ଲୋକେସନ୍ ପ୍ରିଫରେନ୍ସ ବିକଳ୍ପ ପ୍ରଦାନ କରିବାର ସୁବିଧା ମଧ୍ୟ ଉପଲବ୍ଧ । ଏହି ଚିଠିରେ ଆହୁରି ମଧ୍ୟ କୁହାଯାଇଛି କି ଯେତେଦୂର ସମ୍ଭବ ମହିଳା କର୍ମଚାରୀଙ୍କୁ ନିକଟବର୍ତ୍ତୀ ସ୍ଥାନ କିମ୍ବା ଷ୍ଟେସନ ଅଞ୍ଚଳକୁ ସ୍ଥାନାନ୍ତର କରାଯିବ । କହିରଖୁଛୁ ଏହି ଟ୍ରାନ୍ସଫର ପଲିସିରେ ଆହୁରି ପାରଦର୍ଶିତା ଆଣିବା ପାଇଁ ଟ୍ରାନ୍ସଫର କାହିଁକି ଓ କିପରି କରାଯିବ ସେ ନେଇ କର୍ମଚାରୀ ଜାଣିପାରିବେ । ଏହା ବ୍ୟତୀତ ଟ୍ରାନ୍ସଫର ପଲିସିର ଉଲ୍ଲଂଘନକୁ ନେଇ କର୍ମଚାରୀଙ୍କ ଅଭିଯୋଗର ସମାଧାନ କରାଯିବା ଉଚିତ । ପଲିସିର ଏକ କପି ଶୀଘ୍ର ବିଭାଗକୁ ପଠାଇବା ନେଇ ଅର୍ଥମନ୍ତ୍ରଣାଳୟ ପରାମର୍ଶ ଦେଇଛି ।