ଭୁବନେଶ୍ୱର: ପୂର୍ବ ସରକାର ସମୟରେ ସମବାୟରେ ହେଉଥିବା ଅସ୍ୱଚ୍ଛତା ଓ ଅବ୍ୟବସ୍ଥା ଏହି ସରକାରରେ ହେବନାହିଁ । ଧାନକିଣାରେ ସ୍ଵଚ୍ଛତା ଆଣିବା ପାଇଁ ସରକାର ସ୍ଵତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଚାଷୀମାନଙ୍କୁ ସଚେତନ କରାଯିବା ସହ ଉପଯୁକ୍ତ MSP ମିଳିବା ପାଇଁ ସମସ୍ତ ମଣ୍ଡିରେ ବ୍ୟବସ୍ଥା କରାଯାଇଛି । ବରଗଡ଼ ଜିଲ୍ଳାର ସୋହେଲାରେ ପୂର୍ବ ସରକାର ୧୦୦ ଟଙ୍କା MSPଦେବେ ବୋଲି ପ୍ରତିଶ୍ରୁତି ଦେଇ ମଧ୍ୟ ରକ୍ଷା କଲେ ନାହିଁ । ପୂର୍ବ ସରକାର କଥା ଦେଇ କଥା ରଖିନଥିଲେ ଯେଉଁଥି ପାଇଁ ଚାଷୀ ଆତ୍ମହତ୍ୟା ବଢିଥିଲା । ନୂତନ ସରକାର ଆସିବା ପରେ ଏହା ଉପରେ ଧ୍ୟାନ ଦିଆଯାଇଛି । ପୂର୍ବ ସରକାର ୧୦୦ ଟଙ୍କା ବୋନସ ଦେବା କହି ଠକିଥିଲେ । ଚାଷୀଙ୍କୁ ଧ୍ୟାନ ଦେଲେ ନାହିଁ । ଆମ ସରକାର ଆସୁ ଆସୁ ଏହାର ବ୍ୟବସ୍ଥା କଲେ । କ୍ୟୁଣ୍ଟାଲ ପିଛା ୮୦୦ ଟଙ୍କା ଦେବାକୁ ଆମେ ଧାର୍ୟ୍ୟ କଲୁ । ଏଣିକି ୫୦ କ୍ୟୁଣ୍ଟାଲରେ ୪୦,୦୦୦ ଟଙ୍କା ବୋନସ ପାଇବେ ଚାଷୀ ।
ଚାଷୀଙ୍କ ପାଇଁ ଆର୍ଥିକ ସହଯୋଗ କରାଇବାକୁ ଏହି ସରକାର ପ୍ରତିଶ୍ରୁତିବଦ୍ଧ । କେବଳ MSP ନୁହେଁ CM କିସାନ ଓ ପିଏମ କିସାନ ଭାବେ ମଧ୍ୟ ଚାଷୀଙ୍କୁ ସହଯୋଗ କରାଯାଉଛି । ସମବାୟ ବିଭାଗରେ ଅନେକ ସଂସ୍କାର ଆଣିବାକୁ ମୁଖ୍ୟମନ୍ତ୍ରୀ ଅନେକ ପ୍ରସ୍ତାବ ଦେଇଥିଲେ । ବିଭାଗୀୟ ସଚିବଙ୍କୁ ମୁଖ୍ୟମନ୍ତ୍ରୀ ତାଗିଦ କରିବା ସହ କୃଷକମାନେ କିପରି ତୃଣମୂଳ ସ୍ତରରେ ସମବାୟ ମାଧ୍ୟମରେ ଉପକୃତ ହେବେ ସେଥିପାଇଁ ନିର୍ଦ୍ଦେଶ ଦେଇଥିଲେ । ସମବାୟକୁ ଯିଏ କ୍ଷତି ପହଞ୍ଚିବେ ତାଙ୍କ ଉପରେ ସରକାର ନଜର ରଖିଛନ୍ତି । ଆବଶ୍ୟକ ପଡ଼ିଲେ ସେଭଳି ବ୍ୟକ୍ତିମାନଙ୍କୁ ଝାରପଡ଼ା ଜେଲ ପଠାଇବେ ବୋଲି କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି କାର୍ୟ୍ୟକ୍ରମରେ ଓଡ଼ିଶା ସମବାୟ ୟୁନିୟନ(ସଭାପତି) ପ୍ରଭାସିନୀ ଷଡ଼ଙ୍ଗୀ,
ରାଜେଶ ପ୍ରଭାକର ପାଟିଲ ସମବାୟ ବିଭାଗ ସଚିବ, ସମବାୟ ସମିତି(ମହା ସମୀକ୍ଷକ) ପ୍ରଭୂ କଲ୍ୟାଣ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ଅତିଥିମାନେ ଯୋଗ ଦେଇଥିଲେ ।