fbpx

Big Breaking; ଟ୍ରଫି ଛଡ଼ାଇ ନେଲା ଅଷ୍ଟ୍ରେଲିଆ: ଅଣ୍ଡର-୧୯ ବିଶ୍ୱକପରେ ବି ଖାଲି ହାତରେ ଟିମ ଇଣ୍ଡିଆ

Advertisement

ନୂଆଦିଲ୍ଲୀ:ପୁଣିଥରେ ଅଷ୍ଟ୍ରେଲିଆ ଭାରତର ବିଶ୍ୱକପ ଚମ୍ପିଆନ୍ ହେବାର ସ୍ୱପ୍ନ ଭାଙ୍ଗି ଦେଇଛି । ସିନିୟର ଖେଳାଳି ଭାରତ ହାତରୁ ବିଶ୍ୱକପ ଛଡ଼ାଇ ନେବାରେ ଅଣ୍ଡର-୧୯ ଦଳ ମଧ୍ୟ ଭାରତକୁ କଟା ଘା’ରେ ଚୂନ ଦେଇଛି । ୨୫୪ ରନର ଲକ୍ଷ୍ୟକୁ ପିଛା କରି ୭୯ ରନ୍ ପଛରେ ପଡ଼ିଯାଇଛି ଟିମ ଇଣ୍ଡିଆ । ଆଦର୍ଶ ଏବଂ ଅଭିଶେକଙ୍କ ଲଢୁଆ ପ୍ରୟାସ ପରେ ମଧ୍ୟ ମାତ୍ର ୧୭୪ ରନରେ ଅଲ ଆଉଟ ହୋଇଛି ଟିମ ଇଣ୍ଡିଆ । ଫଳରେ ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିଶ୍ୱକପରେ ବିଶ୍ୱବିଜେତା ପାଲଟିଛି । ଏହି ବିଜୟ ସହ ୬ ବର୍ଷ ପୁରୁଣା ପରାଜୟର ପ୍ରତିଶୋଧ ନେଇଛି ଅଷ୍ଟ୍ରେଲିଆ ।

ଟିମ ଇଣ୍ଡିଆର ଦୁର୍ବଳ ବ୍ୟାଯିଂ ପ୍ରଦର୍ଶନ ଯୋଗୁଁ ପୁଣି ଏକ ବିଶ୍ୱକପ ସ୍ୱପ୍ନ ଭାଙ୍ଗିଯାଇଛି । ଭାରତକୁ ବିଶ୍ୱ ଚମ୍ପିଆନ୍ ଭାବରେ ଦେଖିବାର କୋଟି କୋଟି ଦର୍ଶକଙ୍କ ଆଶା ମଉଳି ଯାଇଛି । ୧୭୪ ରନରେ ଅଲଆଉଟ ହୋଇଥିବା ଭାରତୀୟ ଦଳରୁ ମାତ୍ର ୪ ଜଣଙ୍କ ବ୍ୟତୀତ କୌଣସି ଖେଳାଳି ୨ ଅଙ୍କ ଛୁଇଁ ପାରିନାହାନ୍ତି । ଫଳରେ ଅଷ୍ଟ୍ରେଲିଆ ବୋଲର ଟିମ ଇଣ୍ଡିଆ ଉପରେ ଭାରୀ ପଡ଼ିଛନ୍ତି । ଦଳ ପକ୍ଷରୁ ଓପନର ଆଦର୍ଶ ସିଂହ ସର୍ବାଧିକ ୪୭ ରନ୍ କରିଥିବା ବେଳେ ମୁରୁଗାନ୍ ଅଭିଶେକ ୪୨ ରନ କରିଛନ୍ତି । ଏହାବ୍ୟତୀତ ମୁସୀର ଖାନ୍ ୨୨ ଏବଂ ନମନ ତିୱାରୀ ୧୪ ରନ୍ କରିବାରେ ସକ୍ଷମ ହୋଇ ପାରିଛନ୍ତି । ଅଧିନାୟକ ଉଦୟ ଏବଂ ଷ୍ଟାର ବ୍ୟାଟର ସଚିନଙ୍କ ପାଖରୁ ଦଳ ବଡ଼ ପାଳି ଆଶା କରୁଥିବା ବେଳେ ଉଭୟ ଖେଳାଳି ଫେଲ ହୋଇ ପାଭିଲିୟନ ଫେରିଛନ୍ତି । ଫଳରେ ବିଜୟ ଲକ୍ଷ୍ୟରୁ ୭୯ ରନ୍ ଦୂରରେ ରହି ଟ୍ରଫି ହାତଛଡ଼ା କରିଛି ଟିମ ଇଣ୍ଡିଆ ।

ଅଷ୍ଟ୍ରେଲିଆ ପକ୍ଷରୁ ସମସ୍ତ ବୋଲର ଦମଦାର ବୋଲିଂ କରିଥିବା ଦେଖାଯାଇଛି । ମହଲି ବିୟର୍ଡମ୍ୟାନ ଏବଂ ରାଫ୍ ମ୍ୟାକମିଲନ ସର୍ବାଧିକ ୩ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି । ସେହିପରି କାଲଢ଼୍ ଭିଡଲର ୨ଟି ସଫଳତା ପାଇଥିବା ବେଳେ ଚାର୍ଲି ଆଣ୍ଡରସନ୍ ଏବଂ ଟମ୍ ଷ୍ଟ୍ରାକର ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ତେବେ ବିଶ୍ୱକପ ଫାଇନାଲରେ ଏହି ବିଜୟ ସହ ୬ ବର୍ଷ ପୁରୁଣା ପ୍ରତିଶୋଧ ନେଇଛି ଅଷ୍ଟ୍ରେଲିଆ । ୨୦୧୮ ମସିହା ବିଶ୍ୱକପ ଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ମାତ୍ ଦେଇ ବିଶ୍ୱକପ ବିଜେତା ହୋଇଥିଲା । ଏହି ଦଳର ନେତୃତ୍ୱ ନେଇଥିଲେ ପୃଥ୍ୱୀ ଶ’ ।

Get real time updates directly on you device, subscribe now.