fbpx

ଧର୍ମ ନଦେଖି ସାଥି ବାଛିବା ଅଧିକାର ସାବାଳକଙ୍କ ଅଛି: ଆଲାହାବାଦ ହାଇକୋର୍ଟ

ପ୍ରୟାଗରାଜ: ଦୁଇ ଜଣ ସାବାଳକ ନିଜ ପସନ୍ଦ ଅନୁସାରେ ଜୀବନସାଥୀ ବାଛିପାରିବେ । ଏଥିରେ ସେମାନଙ୍କ ଧର୍ମ ଅଲଗା ହେଉ ନା କାହିଁକି । ସେମାନଙ୍କ ପାଖରେ ନିଜ ନିଜର ଜୀବନ ସାଥୀ ବାଛିବାର ସମ୍ପୂର୍ଣ୍ଣ ଅଧିକାର ରହିଛି । ବୁଧବାର ଦିନ ଆହ୍ଲାବାଦ୍ ହାଇକୋର୍ଟ ଏପରି କିଛି ମତ ଦେଇଛନ୍ତି । ଜଷ୍ଟିସ୍ ମନୋଜ କୁମାର ଗୁପ୍ତା ଓ ଜଷ୍ଟିସ୍ ଦୀପକ ବର୍ମାଙ୍କ ପୀଠ ମୁସଲିମ୍ ମହିଳା ଶିଫା ହସନ୍ ଓ ତାଙ୍କର ହିନ୍ଦୁ ସାଥୀ ମିଶି ଦାୟର୍ କରିଥିବା ଆବେଦନର ଶୁଣାଣି କରି ଏହି ଆଦେଶ ଦେଇଛନ୍ତି ।

ଏହି ଆବେଦନରେ କୁହାଯାଇଛି ଯେ, ଦୁହେଁ ଦୁହିଁଙ୍କୁ ଭଲ ପାଆନ୍ତି ଓ ନିଜ ଇଚ୍ଛାରେ ଏକାଠି ରୁହନ୍ତି । ତେଣୁ ଅଦାଲତ ଶିଫା ହସନ ଓ ତାଙ୍କ ସାଥୀଙ୍କୁ ସୁରକ୍ଷା ଦେବାକୁ ଯାଇ ଏପରି ରାୟ ଶୁଣାଇଛନ୍ତି । ଅଦାଲତ କହିଛନ୍ତି ଯେ, ସେମାନଙ୍କ ସମ୍ବନ୍ଧକୁ ନେଇ ତାଙ୍କ ବାପା ମାଆ ଆପତ୍ତି କରିପାରିବେ ନାହିଁ । ଏହି କଥାକୁ ନେଇ କୌଣସି ବିବାଦ ନାହିଁ । ଦୁଇ ଜଣ ସାବାଳକ ନିଜ ପାଇଁ ପସନ୍ଦର ଜୀବନ ସାଥୀ ବାଛିପାରିବେ । ଏ ଦିଗରେ ସେମାନଙ୍କ ପାଖରେ ଅଧିକାର ରହିଛି । ସେମାନଙ୍କ ଧର୍ମ ଭିନ୍ନ ହେଉ ନା କାହିଁକି ନିଜ ପାଇଁ ଜୀବନ ସାଥୀ ବାଛିବାର ପୂର୍ଣ୍ଣ ଅଧିକାର ସେମାନଙ୍କ ପାଖରେ ରହିଛି ।

ତେବେ ଏହି ଆବେଦନରେ ମୁସଲିମ୍ ମହିଳା ନିଜ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ଧର୍ମ ଆପଣାଇବାକୁ ନେଇ ବି ଅପିଳ୍ କରିଛନ୍ତି । ରିପୋର୍ଟ ଅନୁସାରେ, ଯୁବକଙ୍କ ବାପା ସେମାନଙ୍କ ବିବାହକୁ ନେଇ ରାଜି ନଥିଲେ । ହେଲେ ତାଙ୍କ ମାଆ ରାଜି ଥିଲେ । କିନ୍ତୁ ହସନ୍ ଙ୍କ ମାଆ ଏଥିରେ ଅରାଜି ଥିଲେ । ତେଣୁ ଏହି ଦମ୍ପତି ନିଜ ଜୀବନ ପ୍ରତି ବିପଦ ଥିବା ଆବେଦନ ରେ ଦର୍ଶାଇଥିଲେ ।

Get real time updates directly on you device, subscribe now.