Jharkhand Train Accident: ବଡ଼ ଧରଣର ରେଳ ଦୁର୍ଘଟଣା, ଦୁଇ ଟ୍ରେନ ପରସ୍ପର ଧକ୍କା ହେବାରୁ 2 ଜଣଙ୍କ ମୃତ୍ୟୁ

ପରସ୍ପର ସହିତ ଧକ୍କା ହେଲା ଦୁଇ ମାଲବାହୀ ଟ୍ରେନ ।

ନୂୂଆଦିଲ୍ଲୀ: ଝାଡଖଣ୍ଡରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ବରହେଟରେ NTPC ଫାଟକ ନିକଟରେ ଦୁଇଟି ମାଲବାହୀ ଟ୍ରେନ୍ ମଧ୍ୟରେ ଏକ ବଡ଼ ଧକ୍କା ହୋଇଥିଲା। ଏହି ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି ଚାରି ଜଣ ଆହତ ହୋଇଛନ୍ତି । ତେବେ ଜଣେ ଶ୍ରମିକ ଫସି ରହିଥିବା ସୂଚନା ମିଳିଛି ।

ସାହିବଗଞ୍ଜ ମୁଖ୍ୟାଳୟରୁ ଆସିଥିବା ଅଗ୍ନିଶମ କର୍ମଚାରୀ ରବି କହିଛନ୍ତି ଯେ, ଘଟଣାଟି ଭୋର ସାଢ଼େ ୩ଟାରେ ଘଟିଥିଲା। ଟ୍ରାକ ଉପରେ ଏକ ମାଲବାହୀ ଟ୍ରେନ୍ ଠିଆ ହୋଇଥିଲା। ଏହି ସମୟରେ, ଅପର ପାର୍ଶ୍ୱରୁ ଆସୁଥିବା ଏକ ମାଲବାହୀ ଟ୍ରେନ୍ ଏହାକୁ ଜୋରରେ ଧକ୍କା ଦେଇଥିଲା।

ଯାହା ଫଳରେ ଇଞ୍ଜିନ ଏବଂ କୋଇଲା ବୋଝେଇ ବଗିରେ ନିଆଁ ଲାଗିଯାଇଥିଲା। ସେହି ସମୟରେ ଦୁଇଟି ଇଞ୍ଜିନ ଲାଇନଚ୍ୟୁତ ହୋଇଥିଲା ଏବଂ ଇଞ୍ଜିନଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା।

ଅଗ୍ନିଶମ ବାହିନୀ କର୍ମଚାରୀମାନେ କହିଛନ୍ତି ଯେ, ଇଞ୍ଜିନରେ ସାତ ଜଣ ଲୋକ ଥିଲେ, ଯେଉଁଥିରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଚାରି ଜଣ ଆହତ ହୋଇଛନ୍ତି । ଜଣେ ଶ୍ରମିକ ଇଞ୍ଜିନରେ ଫସି ରହିଥିବା ବେଳେ ତାଙ୍କୁ ବାହାର କରିବାକୁ ଚେଷ୍ଟା ଚାଲିଛି । ସମସ୍ତଙ୍କୁ ବାରହାଟ ସଦର ହସ୍ପିଟାଲକୁ ନିଆଯାଇଛି । ଯେଉଁଠାରେ ଆହତଙ୍କ ଚିକିତ୍ସା ଚାଲିଛି, ସେମାନଙ୍କ ମଧ୍ୟରୁ କିଛିଙ୍କ ଅବସ୍ଥା ଗୁରୁତର ଅଛି ।

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ରେଳ ପ୍ରଶାସନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ବାରହାଟ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହା ଉଲ୍ଲେଖନୀୟ ଯେ ପୂର୍ବରୁ ମଧ୍ୟ NTPCର ରେଳ ଟ୍ରାକରେ ଏପରି ଘଟଣା ଘଟିଛି। ନିକଟରେ କିଛି ଅପରାଧୀ ବୋମା ବିସ୍ଫୋରଣ କରି ରେଳ ଟ୍ରାକକୁ ଉଡ଼ାଇ ଦେଇଥିଲେ, ଯାହା ଫଳରେ କୋଇଲା ବୋଝେଇ ଏକ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା।