fbpx

Retirement ଭାଙ୍ଗି ଦଳକୁ ଫେରିଲେ ଦୁଇ ଷ୍ଟାର ଖେଳାଳି: ଟି-୨୦ ବିଶ୍ୱକପ ଦଳରେ ମିଳିବ ସୁଯୋଗ

ନୂଆଦିଲ୍ଲୀ: ଜୁନ୍ ମାସରେ ଆରମ୍ଭ ହେବ ଟି-୨୦ ବିଶ୍ୱକପ-୨୦୨୪  । ଆମେରିକା ଏବଂ ୱେଷ୍ଟ ଇଣ୍ଡିଜ ଚଳିତବର୍ଷର ଆୟୋଜକ ରହିଥିବା ବେଳେ ସମସ୍ତ ଦଳ ଏଥିପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ବିଶେଷ କରି ଟିମ୍ ସିଲେକ୍ସନ ଉପରେ ବେଶ୍ ଗୁରୁତ୍ୱ ଦେଉଛନ୍ତି ବିଶ୍ୱକପ୍ ପାଇଁ ଚୟନ ହୋଇଥିବା ଦେଶ । ଏଥିପାଇଁ ବର୍ତ୍ତମାନଠରୁ ଅନେକ ଦଳରେ ବିଭିନ୍ନ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହା ମଧ୍ୟରେ ଦୁଇ ଜଣ ଅବସରପ୍ରାପ୍ତ ଖେଳାଳିଙ୍କୁ ଦଳରେ କମବ୍ୟାକ କରାଇଛି ପାକିସ୍ତାନ । ବିଶ୍ୱକପ ପୂର୍ବରୁ ସେମାନଙ୍କ ଅବସରକୁ ରଦ୍ଦ କରି ପୁଣିଥରେ ଦଳରେ ସୁଯୋଗ ଦିଆଯାଇଛି ।

ଏପ୍ରିଲ ୧୮ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ ଖେଳିବାକୁ ଥିବା ବେଳେ ପାକିସ୍ତାନ ଏଥିପାଇଁ ଦଳ ଘୋଷଣା କରିଛି । ତେବେ ଏହି ୧୭ ଜଣିଆ ଟିମରେ ୨ ଅବସରପ୍ରାପ୍ତ ଖେଳାଳିଙ୍କ ନାଁ ମଧ୍ୟ ସାମିଲ ରହିଛି । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ମହମ୍ମଦ ଆମୀର ଏବଂ ଇମାଦ ୱାସିମଙ୍କୁ ଦଳରେ ସ୍ଥାନ ଦେଇଛି ପାକିସ୍ତାନ । ମହମ୍ମଦ ଆମିର ୨୦୨୧ ମସିହାରେ କ୍ରିକେଟରୁ ବିଦାୟ ନେଇଥିବା ବେଳେ ଇମାଦ ୱାସିମ ଗତ ନଭେମ୍ବରରେ ନିଜ ଅବସର ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ପାକିସ୍ତାନ ବୋର୍ଡ ଉଭୟ ଖେଳାଳିଙ୍କ ଅବସର ନିଷ୍ପତ୍ତିକୁ ଏଡ଼ାଇ ସେମାନଙ୍କୁ ପୁଣିଥରେ ଦଳରେ ସୁଯୋଗ ଦେଇଛି । ତେବେ ଆମୀର ଏବଂ ଇମାଦଙ୍କ କମବ୍ୟାକ ପରେ ସେମାନଙ୍କ ବିଶ୍ୱକପରେ ଖେଳିବା ନେଇ ସମ୍ଭାବନା ରହିଛି । ଉଭୟ ଖେଳାଳିଙ୍କୁ ଆସନ୍ତା ଟି-୨୦ ବିଶ୍ୱକପରେ ଖେଳିବାର ସୁଯୋଗ ଦେଇପାରେ ପାକିସ୍ତାନ  ।

ତେବେ ଏହାପୂର୍ବରୁ ପାକିସ୍ତାନ ଦଳର ଅଧିନାୟକ ପରିବର୍ତ୍ତନ କରିଥିଲା । ଦିନିକିଆ ବିଶ୍ୱକପରେ ନିରାଶ ପ୍ରଦର୍ଶନ ପରେ ବାବର ଆଜମ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । କିନ୍ତୁ ବର୍ତ୍ତମାନ ପୁଣିଥରେ ବାବରଙ୍କୁ ଅଧିନାୟକ ପଦରେ ନିୟୋଜିତ କରିଛି ପାକିସ୍ତାନ କ୍ରିକେଟ ବୋର୍ଡ । ଏହାସହିତ ସୀମିତ ଓଭର କ୍ରିକେଟ ପାଇଁ ୨୦୧୧ ଦିନିକିଆ ବିଶ୍ୱକପ ବିଜେତା(ଭାରତ)ର କୋଚ୍ ଗ୍ୟାରୀ କ୍ରିଷ୍ଟନଙ୍କୁ ଦଳର ମୁଖ୍ୟ କୋଚ୍ ଭାବରେ ନିୟୋଜିତ କରିପାରେ ବୋଲି ଆଲୋଚନା ହେଉଛି ।

ନ୍ୟୁଜିଲାଣ୍ଡ ବିପକ୍ଷରେ ପାକିସ୍ତାନ ଦଳ: ବାବର ଆଜମ(ଅଧିନାୟକ), ଅବରାର ଅହମଦ, ଆଜମ ଖାନ୍, ଫଖର ଜମାନ, ଇଫତିଖାର ଅହମଦ, ଇମାଦ ୱାସିମ, ଅବାସ ଆଫ୍ରିଦି, ମହମ୍ମଦ ରିଜୱାନ, ମହମ୍ମଦ ଆମିର, ଇରଫାନ୍ ଖାନ୍, ନସୀମ ଶାହ, ସଇମ ଅୟୁବ, ଶାଦାବ ଖାନ, ଶାହୀନ ଆଫ୍ରିଦି, ଉସାମା ମୀର, ଉସ୍ମାନ ଖାନ, ଜମାନ ଖାନ

Get real time updates directly on you device, subscribe now.