fbpx

UGC ଆସନ୍ତା ଶିକ୍ଷାବର୍ଷରୁ ଲାଗୁ କରିବ ନୂଆ ନିୟମ! NEET, JEE Main ଓ CUET ପାଇଁ ଜାରି ହେବ ଏକକ ପରୀକ୍ଷା କ୍ୟାଲେଣ୍ଡର

ନୂଆଦିଲ୍ଲୀ: ଉଚ୍ଚଶିକ୍ଷା ପାଇଁ ଦେଶର ତିନି ବୃହତ ପରୀକ୍ଷା ନିଟ, ଜେଇଇ ମେନ୍ ଓ ସିୟୁଇଟି ୨୦୨୩ର ଶିଡ୍ୟୁଲ ଖୁବଶୀଘ୍ର ଜାରି ହେବ । ତେବେ ଆସନ୍ତା ଶିକ୍ଷାବର୍ଷଠାରୁ ଏହି ତିନି ପ୍ରବେଶିକା ପରୀକ୍ଷା ପାଇଁ ଏକ କମନ୍ ଏଗଜାମ କ୍ୟାଲେଣ୍ଡର ଜାରି ହୋଇପାରେ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ଏହି ପଦକ୍ଷେପ ଫଳରେ ପାଖାପାଖି ୪୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଫାଇଦା ମିଳିପାରେ ।

ପ୍ରତ୍ୟେକ ବର୍ଷ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ମେନ)ରେ ପାଖାପାଖି ୮ ଲକ୍ଷ, ରାଷ୍ଟ୍ରୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ (ୟୁଜି)ରେ ୧୮ ଲକ୍ଷ ପ୍ରାର୍ଥୀ ପରୀକ୍ଷା ଦେଇଥାନ୍ତି । ଚଳିତ ବର୍ଷ ଆରମ୍ଭ ହୋଇଥିବା କମନ୍ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି) ପରୀକ୍ଷାରେ ପାଖାପାଖି ୧୫ ଲକ୍ଷ ପିଲା ପରୀକ୍ଷା ଦେଇଥିଲେ । ତେବେ ଆସନ୍ତା ଶିକ୍ଷାବର୍ଷରେ ପାଖାପାଖି ୪୦ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ହଲରେ ଉପସ୍ଥିତ ରହିବାର ସମ୍ଭାବନା ରହିଛି ।

ମିଡ଼ିଆ ରିପୋର୍ଟ ମୁତାବକ, ଏହି ତିନୋଟି ପ୍ରବେଶିକା ପରୀକ୍ଷାରେ କୌଣସି ସମସ୍ୟା ନ ଉପୁଜିବା ପାଇଁ ୟୁଜିସି ଏକକ ପରୀକ୍ଷା କ୍ୟାଲେଣ୍ଡର ଜାରି କରିବାକୁ ପ୍ରସ୍ତୁତ ହେଉଛି । ଖୁବଶୀଘ୍ର ଶିକ୍ଷା ମନ୍ତ୍ରଣାଳୟ ପରୀକ୍ଷା ଶିଡ୍ୟୁଲ ଜାରି କରିପାରେ । ୟୁଜିସି ପକ୍ଷରୁ ଗଠିତ ହୋଇଥିବା କମିଟି ଆକାଡେମିକ କ୍ୟାଲେଣ୍ଡର ପ୍ରସ୍ତୁତ କରୁଛି । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଖୁବଶୀଘ୍ର ଏକାଡେମିକ କ୍ୟାଲେଣ୍ଡର ଜାରି କରାଯିବ । ଏ ବାବଦରେ ଅଫିସିଆଲ ଭାବେ କିଛି ସୂଚନା ଦିଆଯାଇ ନଥିବାରୁ ଛାତ୍ରଛାତ୍ରୀମାନେ ୱେବସାଇଟ୍ ପରିଦର୍ଶନ କରି ସବିଶେଷ ତଥ୍ୟ ହାସଲ କରିପାରିବେ ।

Get real time updates directly on you device, subscribe now.