fbpx

କରୋନା ମୃତକଙ୍କ ପରିବାରକୁ ଆଶ୍ୱସ୍ତି! ଏବେ ପ୍ରତି ମାସରେ ମିଳିବ ଏତେ ଟଙ୍କାର ପେନସନ, ଶ୍ରମ ମନ୍ତ୍ରାଳୟର ମଞ୍ଜୁରୀ

ନୂଆଦିଲ୍ଲୀ: କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ଯୋଗୁଁ ଦେଶରେ ଲକ୍ଷାଧିକ ଜୀବନ ଚାଲିଯାଇଛି । ଏହାରି ମଧ୍ୟରେ କରୋନା ମୃତକଙ୍କ ପରିବାର ପାଇଁ ଆସିଛି ଆଶ୍ୱସ୍ତିକର ଖବର । କର୍ମଚାରୀ ରାଜ୍ୟ ବୀମା ନିଗମ ବା ESIC ନିକଟରେ କୋଭିଡ-୧୯ ରିଲିଫ ସ୍କିମକୁ ମଞ୍ଜୁରୀ ଦେଇଛି । ଏହି ଯୋଜନା ଅନୁସାରେ, ESIC କାର୍ଡଧାରୀଙ୍କ କରୋନା ଜନିତ ମୃତ୍ୟୁ ହେଲେ ତାଙ୍କର ଆଶ୍ରିତଙ୍କୁ ଅତିକମରେ ୧୮୦୦ ଟଙ୍କା ମାସିକ ପେନସନ ମିଳିବ । ଏବେ ଶ୍ରମ ମନ୍ତ୍ରାଳୟ କୋଭିଡ ରିଲିଫ ସ୍କିମକୁ ସୂଚିତ କରିଛି ।

ଇଏସଆଇସିରେ ବୀମା କମିଶନର ଏମ୍‌କେ ଶର୍ମା କହିଛନ୍ତି ଯେ, ଏହି ଯୋଜନା ଅଧିନରେ ଆବେଦନ କରିଥିବା ପରିବାରକୁ ମୃତ କର୍ମଚାରୀଙ୍କ ଦରମା ମିଳିବ । ଅର୍ଥାତ୍ ESICରେ ଯୋଗଦାନ ଦେଇଥିବା ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇଥିଲେ, ତାଙ୍କ ପରିବାରରେ ପତ୍ନୀ, ପିଲା, ନିର୍ଭର ମାତା-ପିତା ଅଥବା ଭାଇ-ଭଉଣୀଙ୍କୁ ପ୍ରତ୍ୟେକ ମାସ କର୍ମଚାରୀଙ୍କ ଶେଷ ଦରମାର ୯୦ ପ୍ରତିଶତ ଦିଆଯିବ ।

ଏହି ଯୋଜନା ଅନୁସାରେ କୌଣସି ବି କମ୍ପାନୀରେ ଏକ ବର୍ଷ ଭିତରେ ଅତିକମରେ ୭୦ ଦିନ ଯେଉଁମାନେ ESICରେ ଯୋଗଦେଇଛନ୍ତି, ସେହି କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲେ ପରିବାରକୁ ଏହି ଯୋଜନାରୁ ଲାଭ ମିଳିବ । ଏହା ବ୍ୟତିତ କର୍ମଚାରୀ କୋଭିଡ ହେବାର ୩ ମାସ ପୂର୍ବରୁ କୌଣସି କମ୍ପାନୀର କର୍ମଚାରୀ ହେବା ଜରୁରି । ଏହି ସମୟରେ ତାଙ୍କୁ କରୋନା ହୁଏ ବା ମୃତ୍ୟୁ ହୁଏ, ତେବେ ତାଙ୍କ ପରିବାର ଏହି ଯୋଜନାର ଲାଭ ଉଠାଇପାରିବେ ।

Get real time updates directly on you device, subscribe now.