fbpx

ଗୋଟିଏ ପଟେ ଜୀବନ, ଅନ୍ୟପଟେ ଜୀବିକା: କରୋନା ଆଉ କଟକଣା ମଧ୍ୟରେ ବଢ଼ିଚାଲିଛି ବେକାରି, ଏଥିରୁ କିପରି ମିଳିବ ମୁକ୍ତି

ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନା ବିରୋଧରେ ଲଢ଼େଇ ପାଇଁ ପ୍ରାୟ ରାଜ୍ୟରେ କଟକଣା ଜାରି ହୋଇଛି । ତେବେ ଗୋଟିଏ ପଟେ ଜନସାଧାରଣ ଜୀବନ ରକ୍ଷା ପାଇଁ କରୋନା ସହ ଲଢ଼େଇ କରୁଛନ୍ତି । ସେହିପରି ଅନ୍ୟପଟେ ଜୀବିକା ବିପନ୍ନ ହେବାକୁ ବସିଲାଣି, ଏକଥା ସମଗ୍ର ଦେଶବାସୀ ବର୍ତ୍ତମାନ ଅଙ୍ଗେ ନିଭାଉଛନ୍ତି । ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମଆଇଇ)ର ଏକ ଷ୍ଟଡି ଅନୁଯାୟୀ ଗତ ମେ ମାସ ୩୦ ତାରିଖ ସୁଦ୍ଧା ଦେଶରେ ବେକାରି ସଂଖ୍ୟା ବୃଦ୍ଧି ପାଇଛି । ବିଶେଷ କରି ଗ୍ରାମାଞ୍ଚଳରେ ଅଧିକାଂଶ ବେକାରି ସୃଷ୍ଟି ହୋଇଥିବା ରିପୋର୍ଟରେ କୁହାଯାଇଛି ।

କୋଭିଡ୍-୧୯ ସଂକ୍ରମଣକୁ ରୋକିବା ପାଇଁ ଜାରି ହୋଇଥିବା ଲକଡାଉନ କାରଣରୁ ଦେଶରେ ବେରୋଜଗାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ମାର୍ଚ୍ଚ ମାସରେ  ୬.୫, ଏପ୍ରିଲରେ ୭.୯୭ ଏବଂ ମେରେ ୧୧.୯ ପ୍ରତିଶତକୁ ଏହି ହାର ବୃଦ୍ଧି ପାଇଥିବା ଜଣାପଡ଼ିଛି । ମେ ମାସର ଶେଷ ସପ୍ତାହରେ ବେକାରୀ ହାର ୧୨.୧୫ ପ୍ରତିଶତ ରହିଥିବା ବେଳେ ସହରାଞ୍ଚଳରେ ଏହା ୧୭.୮୮ ପ୍ରତିଶତ ରହିଥିଲା । ଅନ୍ତର୍ଜାତୀୟ ଶ୍ରମ ସଂଗଠନର ରିପୋର୍ଟ ଅନୁଯାୟୀ, ୨୦୨୦ ମସିହାରେ ବିଶ୍ୱରେ ବେକାରୀ ହାର ଆଭରେଜ୍ ୬.୪୭ ପ୍ରତିଶତ ରହିଥିବା ସମୟରେ ଭାରତରେ ବେକାରୀ ହାର ୭.୧୧ ପ୍ରତିଶତ ରହିଥିଲା । ସେହିପରି ଚାଇନାରେ ୫, ବାଂଲାଦେଶରେ ୫.୩, ଶ୍ରୀଲଙ୍କାରେ ୪.୪୮, ପାକିସ୍ତାନରେ ୪.୬୫, ନେପାଳରେ ୪.୪୪, ଭୁଟାନରେ ୩.୭୪ ପ୍ରତିଶତ ରହିଥିଲା । ସେହି ସମୟରେ ଯୁକ୍ତରାଷ୍ଟ୍ର ଆମେରିକାରେ ବେକାରୀ ହାର ୮.୩୧ ପ୍ରତିଶତ ରହିଥିଲା, ଯାହାକି ଭାରତଠାରୁ ଅଧିକ ଥିବା ଜଣାପଡ଼ିଛି ।

ଏହି ସମୟରେ ସରକାର ସ୍ୱଳ୍ପ ଓ ମଧ୍ୟମ ମିଆଦି ବିଶିଷ୍ଟ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ଯେତେଶୀଘ୍ର ସମ୍ଭବ ସର୍ବଭାରତୀୟ ସ୍ତରରେ ଟିକାକରଣକୁ ଜୋରଦାର କରିବା ଦରକାର । ବିଭିନ୍ନ କ୍ଷେତ୍ରରେ ଆବଶ୍ୟକ ମୁତାବକ ଚାକିରି ସୃଷ୍ଟି ଲୋକଙ୍କର ମନୋବଳ ବଢ଼ାଇବା ସହ ପ୍ରତ୍ୟେକ ଦ୍ରବ୍ୟର ଡିମାଣ୍ଡକୁ ବୃଦ୍ଧି କରିବ । ଏହାର ସୁପ୍ରଭାବ ଉତ୍ପାଦନ ଓ ବ୍ୟବସାୟ କ୍ଷେତ୍ର ଉପରେ ପଡ଼ିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.