fbpx

OROP ସଂଶୋଧନକୁ ମିଳିଲା କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ: ଉପକୃତ ହେବେ ୨୫ ଲକ୍ଷରୁ ଅଧିକ ଅବସରପ୍ରାପ୍ତ ସେନା କର୍ମଚାରୀ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି । ୱାନ ରାଙ୍କ ୱାନ ପେନସନ (ଓଆରଓପି) ସଂଶୋଧନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ତେବେ କେନ୍ଦ୍ର ସରକାରଙ୍କ ଏହି ବଡ଼ ନିଷ୍ପତ୍ତି ପରେ ୨୫ ଲକ୍ଷରୁ ଅଧିକ ଅବସରପ୍ରାପ୍ତ ସେନା କର୍ମଚାରୀ ଉପକୃତ ହେବେ ।

ପୂର୍ବରୁ ଓଆରଓପି ଅଧିନରେ ୨୦.୬ ଲକ୍ଷ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ପେନସନ ମିଳୁଥିବା ବେଳେ ଏବେ ତାହା ୨୫.୧୩ ଲକ୍ଷକୁ ବୃଦ୍ଧି କରାଯାଇଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିର ସୁଫଳ ସେବା ନିବୃତ ସେନା କର୍ମଚାରୀମାନେ ପାଇବେ । ଯେଉଁ କର୍ମଚାରୀମାନେ ସ୍ୱେଚ୍ଛାକୃତ ଭାବେ ସେବା ନିବୃତ ହୋଇଥିବେ, ସେମାନଙ୍କୁ ଏହାର ଫାଇଦା ମିଳିବ ନାହିଁ । ପୂର୍ବରୁ ଓଆରଓପିର ଫାଇଦା ୨୦୧୪ ମସିହା ଏପ୍ରିଲ ମାସ ୧ ତାରିଖ ପୂର୍ବରୁ ସେବା ନିବୃତ ହୋଇଥିବା କର୍ମଚାରୀଙ୍କୁ ମିଳୁଥିଲା । ମାତ୍ର ଏବେ ୨୦୧୪ ମସିହା ଜୁଲାଇ ୧ ତାରିଖ ପରଠାରୁ ସେନା ନିବୃତ ହୋଇଥିବା କର୍ମଚାରୀଙ୍କୁ ଏହି ଫାଇଦା ମିଳିବ ।

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଆଜି ସନ୍ଧ୍ୟାରେ ଏକ ପ୍ରେସ କନଫରେନ୍ସକୁ ସମ୍ବୋଧିତ କରି କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି । ୨୦୧୪ ଜୁଲାଇ ମାସ ୧ ତାରିଖ ସୁଦ୍ଧା ଅବସର ନେଇଥିବା କର୍ମଚାରୀଙ୍କୁ ମିଶାଇ ଓଆରଓପି ଲାଭାର୍ଥୀଙ୍କ ସଂଖ୍ୟା ୨୫,୧୩,୦୦୨ରେ ପହଞ୍ଚି ଯାଇଛି । ସେହିପରି ୨୦୧୪ ଏପ୍ରିଲ ମାସ ୧ ତାରିଖ ପୂର୍ବରୁ ଏହି ସଂଖ୍ୟା ୨୦,୬୦,୨୨୦ ଥିଲା । ଏହାଦ୍ୱାରା ସରକାରଙ୍କ ଉପରେ ୮,୪୫୦ କୋଟି ଟଙ୍କାର ଅତିରିକ୍ତ ଭାର ପଡ଼ିବ ବୋଲି ଶ୍ରୀ ଠାକୁର କହିଛନ୍ତି । ଯେଉଁ ସୈନିକମାନେ ସେବା ପୂରଣ କରିବା ପରେ ଅବସର ନେଇଥିବେ ସେମାନଙ୍କୁ ଏହି ଫାଇଦା ମିଳିବ । ଯେଉଁମାନେ ୨୦୧୪ ଜୁଲାଇ ୧ ପରେ ସ୍ୱେଚ୍ଛାକୃତ ଭାବେ ଅବସର ନେଇଥିବେ ସେମାନଙ୍କୁ ଏହାର ଫାଇଦା ମିଳିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Get real time updates directly on you device, subscribe now.