କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଂଝୀଙ୍କ ବୋହୂ ଇମାମଗଞ୍ଜ ଆସନରୁ ହେଲେ ବିଜୟୀ, ୫ ହଜାରରୁ ଉର୍ଦ୍ଧ୍ୱ ଭୋଟରେ RJD ପ୍ରାର୍ଥୀଙ୍କୁ ପରାସ୍ତ କଲେ
ପାଟନା: ବିହାରରେ ୪ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିମଧ୍ୟରେ ଇମାମଗଞ୍ଜ ଆସନକୁ ନେଇ ଚର୍ଚ୍ଚା ଲାଗିରହିଥିଲା । ବର୍ତ୍ତମାନ ଏହାର ଫଳାଫଳ ପ୍ରକାଶ ପାଇଛି । ଇମାମଗଞ୍ଜରୁ ହିନ୍ଦୁସ୍ତାନୀ ଆୱାମ୍ ମୋର୍ଚ୍ଚା(ଐଇଗ) ଗଡ଼ ଜିତିଛି । କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଂଝୀଙ୍କ ବୋହୂ ଦୀପା ମାଂଝୀ ବିଜୟୀ ହୋଇଛନ୍ତି ।
ଦୀପା ମାଂଝୀ ମୋଟ୍ ୫୩, ୪୩୫ ଭୋଟରେ ବିଜୟୀ ହୋଇଛନ୍ତି । ସେ RJD ପ୍ରାର୍ଥୀ ରୋଶନ୍ ମାଂଝୀଙ୍କୁ ୫୯୪୫ ଭୋଟ୍ ବ୍ୟବଧାନରେ ପରାସ୍ତ କରିିଛନ୍ତି । ପ୍ରଥମ ଥର ପାଇଁ ପ୍ରତିଦ୍ୱନ୍ଦିତା କରିଥିବା ଜନ ସୁରଜ ପାର୍ଟି ଇମାମଗଞ୍ଜରେ ୩୭୧୦୩ ଭୋଟ୍ ସହ ୩ୟ ସ୍ଥାନରେ ରହିଥିଲା । କହିରଖୁଛୁ ଦୀପା ମାଂଝୀଙ୍କୁ ଟିକଟ ଦିଆଯିବା ପରେ ଜିତନ ରାମ ମାଂଝୀଙ୍କ ଉପରେ ପରିବାରବାଦର ଅଭିଯୋଗ ହୋଇଥିଲା । ତାଙ୍କ ପୁଅ ସନ୍ତୋଷ ସୁମନ ଏମଏଲସି ଏବଂ ବିହାର ସରକାରରେ ମନ୍ତ୍ରୀ ଅଛନ୍ତି । ଇମାମଗଞ୍ଜ ବିଧାନସଭା ଆସନରୁ RJD ପ୍ରାର୍ଥୀ ରୋଶନ୍ ମାଂଝୀଙ୍କୁ ମୋଟ୍ ୪୭, ୪୯୦ ଭୋଟ୍ ମିଳିଥିବା ବେଳେ ଜନ୍ ସୁରଜ ପାର୍ଟିର ଜିତେନ୍ଦ୍ର ପାସୱାନଙ୍କୁ ମୋଟ୍ ୩୭, ୧୦୩ ଭୋଟ୍ ମିଳିଥିଲା । ବିହାରର ଇମାମଗଞ୍ଜ ପ୍ରାରମ୍ଭରୁ ଏକ ପ୍ରମୁଖ ଆସନ ରହିଆସିଛି । ଏକଦା ଏଠାରେ ଜିତନ ରାମ ମାଂଝୀ ‘କର ବା ମର’ ସ୍ଥିତି ଘୋଷଣା କରିଥିଲେ । ୨୦୨୦ରେ ଇମାମଗଞ୍ଜ ଆସନରୁ ଜିତନ ରାମ ବିଧାନସଭା ନିର୍ବାଚନ ଜିତିଥିଲେ । ୨୦୨୪ରେ ସାଂସଦ ହେଲା ପରେ ଏହି ଆସନ ଖାଲି ରହିଥିଲା । ତେଣୁ ନିଜ ଦଳ HAMର ମୁଖିଆ ଏବଂ କେନ୍ଦ୍ରମନ୍ତ୍ରୀ ଭାବେ ନିଜ ବୋହୂ ଦୀପା ମାଂଝୀଙ୍କୁ ଟିକଟ ଦେଇଥିଲେ । ବର୍ତ୍ତମାନ ତାଙ୍କ ବୋହୂଙ୍କ ବିଜୟ ପରେ ପରିବାର ତଥା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।