ଡେଙ୍ଗୁରେ ଚାଲିଗଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ, ଆଜି ସୁନ୍ଦରଗଡ଼ରେ ହେବ ଅନ୍ତିମ ସଂସ୍କାର

ଭୁବନେଶ୍ୱର: ପରଲୋକରେ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମ୍ । କିଛିଦିନ ହେବ ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଶନିବାର ବିଳମ୍ବିତ ରାତି ୧୦ଟା ୫୦ ମିନିଟରେ ଝିଙ୍ଗିଆଙ୍କ ବିୟୋଗ ହୋଇଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୮ ବର୍ଷ ହୋଇଥିଲା । ମୋଦି ସରକାରର ଏହି କ୍ୟାବିନେଟ୍ ମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ନିଜେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

Uttarakhand Govt.

ଝିଙ୍ଗିଆଙ୍କ ବିୟୋଗ ଖବର ଶୁଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ବାଚସ୍ପତି ସୁରମା ପାଢ଼ୀ ଏବଂ ଅନ୍ୟ ବିଜେପି ନେତା ବିଳମ୍ବିତ ରାତିରେ ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପହଞ୍ଚି ସ୍ୱର୍ଗତ ଝିଙ୍ଗିଆ ଓରାମଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ନିକଟରେ ଜୁଏଲ ଓରାମ ଓ ତାଙ୍କ ପତ୍ନୀ ଉତ୍ତର ପୂର୍ବ ରାଜ୍ୟ ଗସ୍ତରେ ଯାଇଥିଲେ । ଏହାପରେ ସେଠୁ ଫେରିବା ପରେ ଉଭୟ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ସୂଚନାଯୋଗ୍ୟ, ୧୯୮୭ ମସିହା ମାର୍ଚ୍ଚ ୮ରେ ଜୁଏଲ ଓ ଝିଙ୍ଗିଆ ବିବାହ କରିଥିଲେ । ଉଭୟଙ୍କ ଦୁଇଟି ଝିଅ ଅଛନ୍ତି । ତେବେ ଆଜି ଶେଷ ଦର୍ଶନ ସରିବା ପରେ ଅନ୍ତିମ ସଂସ୍କାର ନିମନ୍ତେ ସୁନ୍ଦରଗଡ଼ ଅଭିମୁଖେ ମରଶରୀର ଯାତ୍ରା କରିଥିବା ଜଣାପଡ଼ିଛି ।