fbpx

ଶତ୍ରୁ ସହ ଲଢ଼ିବ ମାନବ ବିହୀନ ବୋଟ୍: DRDOର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଅଧିକ ଶକ୍ତିଶାଳୀ କରିବା ପାଇଁ କେନ୍ଦ୍ର ସରକାର ଜୋରଦାର୍ ପ୍ରୟାସ ଆରମ୍ଭ କରିଛନ୍ତି । ଦୁଇ ପଡ଼ୋଶୀ ରାଷ୍ଟ୍ର ଚୀନ ଏବଂ ପାକିସ୍ତାନ ବାରମ୍ବାର ଭାରତ ପାଇଁ ବିପଦ ସୃଷ୍ଟି କରୁଥିବାରୁ ଭାରତ ସରକାର ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବାରେ ଲାଗିପଡ଼ିଛନ୍ତି । ନିକଟରେ ଭାରତୀୟ ବାୟୁସେନାରେ ଲଢୁଆ ହେଲିକପ୍ଟର ‘ପ୍ରଚଣ୍ଡ’କୁ ସାମିଲ କରାଯାଇଥିବାବେଳେ ଏବେ ଶତ୍ରୁ ସହ ମାନବ ବିହୀନ ବୋଟ୍ ଲଢ଼େଇ କରିବ । ସ୍ୱଦେଶୀ ଜ୍ଞାନକୌଶଳରେ ୩ଟି ସଶସ୍ତ୍ର ମାନବ ବିହୀନ ବୋଟ୍ ନିର୍ମାଣ କରାଯାଇଛି ।

ସମୁଦ୍ରରେ ଏହି ବୋଟ୍ ଶତ୍ରୁପକ୍ଷର ଗତିବିଧି ଜାଣିବା ସହ ତାହାର ମୁକାବିଲା କରିପାରିବ । ଏହି ବୋଟ୍ ଲଗାତାର ୨୪ ଘଣ୍ଟା ପାଣିରେ ରହି ପାଟ୍ରୋଲିଂ କରିପାରିବ । ଏହା ବିଦ୍ୟୁତ୍ ଓ ମୋଟର୍ ଇଞ୍ଜିନରେ ଚାଲିପାରିବ । ରିମୋଟ୍ କଣ୍ଟ୍ରୋଲ ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯିବ । ପୁନେରେ ଡିଆର୍ଡିଓ ପକ୍ଷରୁ ଏହି ମାନବବିହୀନ ବୋଟ୍ର ସଫଳ ପରୀକ୍ଷଣ କରାଯାଇଛି । ପୁନେର ଧାମା ଆସଖେଣ୍ଡ ଡ୍ୟାମରେ ଏହି ବୋଟର ସଫଳ ପରୀକ୍ଷା କରାଯାଇସାରିଛି ।

ଡିଆରଡିଓର ନିର୍ଦ୍ଦେଶକଙ୍କ ସୂଚନାନୁସାରେ, ଏହା ସମୁଦ୍ରରେ ଲାଗିଥିବା ସର୍ଭିଲାନ୍ସ କ୍ୟାମେରା ସାହାଯ୍ୟରେ ଶତ୍ରୁପକ୍ଷର ଗତିବିଧିକୁ ଜାଣିପାରିବା ସହ ସର୍ଭିଲାନ୍ସ କ୍ୟାମେରା ସାହାଯ୍ୟରେ ୩୬୦ଂ ଲାଇଭ୍ ଫିଡ୍ ଦେଖିପାରିବ । ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ବୋଟ୍ରେ ଅସ୍ତ୍ରଶସ୍ତ୍ର ଲଗାଯାଇଛି । ଗୋଟିଏ ବଟନ୍ ଦ୍ୱାରା କଣ୍ଟ୍ରୋଲ ରୁମ୍ରେ ବସି ଶତ୍ରୁକୁ ମାତ୍ ଦିଆଯାଇପାରିବ ।
ସାଗର ଡିଫେନ୍ସ ଇଂଜିନିୟରିଂ ନାମକ କମ୍ପାନୀ ଡିଆର୍ଡିଓ ସହ ମିଶି ଏହି ବୋଟ୍ ନିର୍ମାଣ କରିଛି । ଯଦିଓ ଏହି ବୋଟର ନାମକରଣ ଏ ପର୍ଯ୍ୟନ୍ତ କରାଯାଇନାହିଁ ତେବେ ଏହାର ପରୀକ୍ଷଣର ସଫଳତାକୁ ନେଇ ଡିଆର୍ଡିଓ କର୍ତ୍ତୃପକ୍ଷ ବେଶ୍ ଖୁସି ଥିବା ସୂଚନା ଦିଆଯାଇଛି ।

Get real time updates directly on you device, subscribe now.