fbpx

ଫାଷ୍ଟଟ୍ରାକ କୋର୍ଟରେ ହେବ ବିଚାର: ଯୋଗୀ ଆଦିତ୍ୟନାଥ

ଉନ୍ନାଓ.୭ ।୧୨: ଉତ୍ତରପ୍ରଦେଶ ଉନ୍ନାଓର ଗଣଦୁଷ୍କର୍ମ ପୀଡିତା ଗତକାଲି ଦିଲ୍ଲୀର ସଫନରଜଙ୍ଗ ହସ୍ପିଟାଲରେ ଆଖିବୁଜିଛନ୍ତି । ମୃତ୍ୟୁ ପରେ ପୀଡିତାଙ୍କ ଶବ ବ୍ୟବଚ୍ଛେଦ ଶେଷ ହୋଇଛି । ସମ୍ପୂର୍ଣ୍ଣ ଶବ ବ୍ୟବଚ୍ଛେଦ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି । ଏହି ଘଟଣାରେ ବଡ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଫାଷ୍ଟଟ୍ରାକ୍ କୋର୍ଟରେ ମାମଲାର ବିଚାର ହେବା ସହ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାର ବ୍ୟବସ୍ଥା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ତେବେ ଉନ୍ନାଓ ପୀଡିତାଙ୍କୁ ନ୍ୟାୟ ଦାବିରେ ଦିଲ୍ଲୀ ଓ ଅନ୍ୟ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଲଖନଉରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଧାରଣା ଦେଇଛନ୍ତି । ସେହିପରି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଉନ୍ନାଓକୁ ଯାଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ଏହି ଗଣଦୁଷ୍କର୍ମ ମାମଲାର ଶୁଣାଣି ପାଇଁ ସେ କୋର୍ଟକୁ ଯାଉଥିବା ବେଳେ ୫ ଜଣ ମିଶି ତାଙ୍କୁ ପେଟ୍ରୋଲ୍ ଢ଼ାଳି ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିଲେ । ୯୦ ପ୍ରତିଶତ ଜଳିଯିବା ସତ୍ୱେ ପୀଡ଼ିତା ପ୍ରାୟ ଏକ କିଲୋମିଟର ଚାଲି ଏକ ଜନଗହଳି ସ୍ଥାନରେ ପହଞ୍ଚି ସହାୟତା ମାଗିଥିଲେ । ତାଙ୍କୁ ଅଭିଯୁକ୍ତଙ୍କ କବଳରୁ ଉଦ୍ଧାର କରାଯିବା ବେଳକୁ ତାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡ଼ି ଯାଇଥିଲା । ତାଙ୍କୁ ତୁରନ୍ତ ଲଖନଉ ସ୍ଥିତ କିଙ୍ଗ ଜର୍ଜ ମେଡ଼ିକାଲ୍ ୟୁନିଭର୍ସିଟିର ଟ୍ରୁମା ସେଣ୍ଟରକୁ ନିଆଯାଇଥିଲା । ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସ ଜରିଆରେ ଦିଲ୍ଲୀ ନିଆଯାଇ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ପରଲୋକ ପରେ ତାଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତର ସାଲଭ କହିଛନ୍ତି ଯେ, ପୀଡ଼ିତାଙ୍କୁ ବଞ୍ଚାଇବାକୁ ସମସ୍ତ ପ୍ରୟାସ କରାଯାଇଥିଲା । କିନ୍ତୁ ଏହା ସମ୍ଭବ ହେଲା ନାହିଁ ବୋଲି ସେ କହିଛନ୍ତି । ମୃତ୍ୟୁ ପୂର୍ବରୁ ପୀଡ଼ିତା ତାଙ୍କ ଭାଇଙ୍କୁ କହିଥିଲେ ଯେ, ସେ ବଞ୍ଚିବାକୁ ଚାହୁଁଛନ୍ତି । ଏହାସହ ଘଟଣାର ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ମିଳିବା ଆବଶ୍ୟକ ବୋଲି ସେ କହିଥିଲେ । କିନ୍ତୁ ତାଙ୍କ ବଞ୍ଚିବା ଆଶା, ଆଶାରେ ହିଁ ରହିଗଲା ।

Get real time updates directly on you device, subscribe now.