fbpx

ଚାଷୀଙ୍କ ପାଇଁ ମିଶିଲା କାଳିଆ-କିଷାନ, ମିଳିବ ୧୦ ହଜାର ଟଙ୍କା

ଭୁବନେଶ୍ୱର,୭ ।୧୨(ଓଡିଶା ଭାସ୍କର): କେନ୍ଦ୍ର ଓ ରାଜ୍ୟ ସରକାର ମିଳିମିଶି ଚାଷୀମାନଙ୍କୁ ସାବଲମ୍ବୀ କରିବେ । କାଳିଆ ଯୋଜନା ଗାଇଡ୍ ଲାଇନରେ କିଛିଟା ପରିବର୍ତ୍ତନ ଆଣିଛନ୍ତି ସରକାର । ଏନେଇ କୃଷି ବିଭାଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କାଳିଆ ସହାୟତା ପାଇନଥିବା ହିତାଧିକାରୀଙ୍କୁ ମିଳିବ ରବି ସହାୟତା । ୨୦୧୮-୧୯ ପାଇଁ ସହାୟତା ମିଳିନଥିଲେ ମିଳିବ ରବି ସହାୟତା । ୨୦୧୯-୨୦ରେ କିଷାନ ସହାୟତା ପାଇବାକୁ ଥିବାରୁ ମିଳିବନି କାଳିଆ ସହାୟତା । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିବ କାଳିଆ ଓ କିଷାନ ସହାୟତା । ପୂର୍ବରୁ ‘କାଳିଆ’ ଯୋଜନାରେ କ୍ଷୁଦ୍ର ଓ ବଡ ଚାଷୀମାନଙ୍କୁ ୧୦ ହଜାର ଟଙ୍କା ମିଳୁଥିଲା । ଏବେ ରାଜ୍ୟ ସରକାର ୪ ହଜାର ଦେବା ବେଳେ କେନ୍ଦ୍ର ସରକାର ୬ ହଜାର ଟଙ୍କା ଦେବେ । କାଳିଆ ଓ ପିଏମ କିଷାନ୍ ଯୋଜନାରେ ୧୦ ହଜାର ଟଙ୍କା ଚାଷୀ ପାଇବେ ।

ଭାଗଚାଷୀଙ୍କ କାଳିଆ ଯୋଜନାରୁ ବର୍ଷକୁ ମିଳିବ ୧୦ ହଜାର ଟଙ୍କା । ତାଲିକାରୁ ବାଦ ପଡିବେ ସମସ୍ତ ସରକାରୀ ଚାକିରିଆ ଓ ଜନପ୍ରତିନିଧି । ବୃତ୍ତିଗତ ଅନୁଷ୍ଠାନରେ ପଞ୍ଜୀକୃତ ବ୍ୟକ୍ତି ବି ସହାୟତାରୁ ବାଦ୍‌ ପଡ଼ିବେ । କାଳିଆ-କିଷାନ ସମ୍ମିଶ୍ରଣ ପରେ ବଦଳିଲା କାଳିଆ ଯୋଜନାର ନିୟମ । କାଳିଆରୁ ବାଦ୍ ପଡ଼ିଲା ବିନା ସୁଧରେ ୫୦ ହଜାର ଟଙ୍କା ଋଣ ବ୍ୟବସ୍ଥା । ବିନା ସୁଧରେ ଲକ୍ଷେ ଟଙ୍କା ଯାଏ ଋଣ ଯୋଗାଇବ ସମବାୟ ବିଭାଗ । ଭୂମିହୀନ ଭାଗଚାଷୀଙ୍କ ପାଇଁ କିଷାନ ଯୋଜନାରେ ନାହିଁ ସହାୟତା ବ୍ୟବସ୍ଥା । ତେଣୁ ଭୂମିହୀନ ଭାଗଚାଷୀଙ୍କୁ କାଳିଆ ଯୋଜନାରୁ ମିଳିବ ବର୍ଷକୁ ୧୦ ହଜାର ଟଙ୍କା । ବଡ଼ ଚାଷୀଙ୍କୁ କିଷାନ ଯୋଜନାରୁ ବର୍ଷକୁ ୬ ହଜାର ଟଙ୍କା ମିଳିବ । ପୌରାଞ୍ଚଳର ଚାଷୀଙ୍କୁ ଉଭୟ ଯୋଜନାରେ ସହାୟତା ମିଳିବନି । ବର୍ତ୍ତମାନ ସୁଦ୍ଧା ୫୧ ଲକ୍ଷରୁ ଅଧିକ ଚାଷୀ କାଳିଆ ଟଙ୍କା ପାଉଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । କାଳିଆ ଯୋଜନା ଆରମ୍ଭ ହେବା ପରେ କେନ୍ଦ୍ର ସରକାର ପିଏମ୍‌ କିଷାନ ଯୋଜନା ଚାଷୀଙ୍କ ପାଇଁ ଆରମ୍ଭ କରିଥିଲେ । ଏହି ଯୋଜନାରେ କେନ୍ଦ୍ର ସରକାର ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲେ। ମାତ୍ର କେନ୍ଦ୍ରର ପିଏମ୍‌ କିଷାନ ଯୋଜନାକୁ ଓଡ଼ିଶା ସରକାର ଗ୍ରହଣ କରି ନ ଥିଲେ । ଏଥିସହିତ ଚାଷୀଙ୍କ ତାଲିକା ମଧ୍ୟ ପ୍ରଦାନ କଲେନାହିଁ। ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସବୁବେଳେ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳୁଥିଲା। ହେଲେ କାଳିଆ ଏବଂ ପିଏମ୍‌ କିଷାନ ଯୋଜନାକୁ ମିଶାଇଦେବା ପାଇଁ ଗତ ବିଧାନସଭା ଚାଲିଥିବା ସମୟରେ ବସିଥିବା କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହି ମିଶ୍ରଣକୁ ନେଇ କୃଷିମନ୍ତ୍ରୀ ଅରୁଣ ସାହୁ କହିଥିଲେ ଯେ, ‘ପ୍ରଧାନମନ୍ତ୍ରୀ କିଷାନ ଓ କାଳିଆ ଯୋଜନା ମିଶ୍ରଣ ହେବ, କିନ୍ତୁ କାଳିଆ ଯୋଜନା ଚାଲିବ । ବର୍ତ୍ତମାନ ସମୟରେ ‘କାଳିଆ’ର ଦ୍ୱିତୀୟ କିସ୍ତି କୃଷକମାନଙ୍କୁ ପ୍ରଦାନ ଚାଲିଛି ।’

Get real time updates directly on you device, subscribe now.