fbpx

ଯୋଗୀ ସରକାରଙ୍କୁ ଉନ୍ନାଓ ପୀଡିତାଙ୍କ ବାପାଙ୍କ ଗୁହାରୀ, କହିଲେ- ‘ହାଇଦ୍ରାବାଦ ଭଳି ଦୁଷ୍କର୍ମକାରୀଙ୍କୁ ଗୋଡେଇ ଗୁଳି କର’

ଉନ୍ନାଓ,୭ ।୧୨: ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ଉନ୍ନାଓ ଗଣଦୁଷ୍କର୍ମ ପୀଡିତା । ଶୁକ୍ରବାର ରାତି ୧୧ଟା ୪୦ରେ ଦିଲ୍ଲୀର ସଫନରଜଙ୍ଗ ହସ୍ପିଟାଲରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କଲେ । ଝିଅର ମୃତ୍ୟୁ ପରେ ଯୋଗୀ ସରକାରଙ୍କୁ ଗୁହାରୀ କରିଛନ୍ତି ଉନ୍ନାଓ ପିଡୀତାଙ୍କ ବାପା । ସେ କହିଛନ୍ତି ଯେ, ‘ମୋ ଝିଅ ପ୍ରତି ଅନ୍ୟାୟ ହୋଇଛି । ଅଭିଯୁକ୍ତଙ୍କୁ ତୁରନ୍ତ ଫାଶୀଦଣ୍ଡ ଦିଆଯାଉ । ପୋଲିସ କିଛି ସାହାର୍ଯ୍ୟ କରିନି, ଆମକୁ ନ୍ୟାୟ ମିଳୁ । ଅଭିଯୁକ୍ତଙ୍କୁ ଫାଶୀ ଦେଲେ ଝିଅର ଆତ୍ମାକୁ ଶାନ୍ତି ମିଳିବ । ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କ ଗଣଦୁଷ୍କର୍ମକାରୀଙ୍କୁ ଯେପରି ଦଣ୍ଡ ମିଳିଲା, ସେହିପରି ମୋ ଝିଅର ଦୁଷ୍କର୍ମକାରୀମାନଙ୍କୁ ଗୋଡାଇ ଗୋଡାଇ ଗୁଳି କରାଯାଉ ।’

ଅନ୍ୟପଟେ ଝିଅକୁ ଜୀବନ୍ତା ଜଳାଇବା ପରେ ଉନ୍ନାଓ ପୀଡିତାଙ୍କ ପରିବାରକୁ ମାରିଦେବାକୁ ଧମକ ଦେଉଛନ୍ତି ଦୁବୃର୍ତ୍ତ । ଏହା ସହ ସେମାନେ ମାରପିଟ୍ କରୁଛନ୍ତି ବୋଲି ପୀଡିତାଙ୍କ ପିତା କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ଏହି ଗଣଦୁଷ୍କର୍ମ ମାମଲାର ଶୁଣାଣି ପାଇଁ ସେ କୋର୍ଟକୁ ଯାଉଥିବା ବେଳେ ୫ ଜଣ ମିଶି ତାଙ୍କୁ ପେଟ୍ରୋଲ୍ ଢ଼ାଳି ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିଲେ । ୯୦ ପ୍ରତିଶତ ଜଳିଯିବା ସତ୍ୱେ ପୀଡ଼ିତା ପ୍ରାୟ ଏକ କିଲୋମିଟର ଚାଲି ଏକ ଜନଗହଳି ସ୍ଥାନରେ ପହଞ୍ଚି ସହାୟତା ମାଗିଥିଲେ । ତାଙ୍କୁ ଅଭିଯୁକ୍ତଙ୍କ କବଳରୁ ଉଦ୍ଧାର କରାଯିବା ବେଳକୁ ତାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡ଼ି ଯାଇଥିଲା । ତାଙ୍କୁ ତୁରନ୍ତ ଲଖନଉ ସ୍ଥିତ କିଙ୍ଗ ଜର୍ଜ ମେଡ଼ିକାଲ୍ ୟୁନିଭର୍ସିଟିର ଟ୍ରୁମା ସେଣ୍ଟରକୁ ନିଆଯାଇଥିଲା । ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସ ଜରିଆରେ ଦିଲ୍ଲୀ ନିଆଯାଇ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ପରଲୋକ ପରେ ତାଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତର ସାଲଭ କହିଛନ୍ତି ଯେ, ପୀଡ଼ିତାଙ୍କୁ ବଞ୍ଚାଇବାକୁ ସମସ୍ତ ପ୍ରୟାସ କରାଯାଇଥିଲା । କିନ୍ତୁ ଏହା ସମ୍ଭବ ହେଲା ନାହିଁ ବୋଲି ସେ କହିଛନ୍ତି । ମୃତ୍ୟୁ ପୂର୍ବରୁ ପୀଡ଼ିତା ତାଙ୍କ ଭାଇଙ୍କୁ କହିଥିଲେ ଯେ, ସେ ବଞ୍ଚିବାକୁ ଚାହୁଁଛନ୍ତି । ଏହାସହ ଘଟଣାର ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ମିଳିବା ଆବଶ୍ୟକ ବୋଲି ସେ କହିଥିଲେ । କିନ୍ତୁ ତାଙ୍କ ବଞ୍ଚିବା ଆଶା, ଆଶାରେ ହିଁ ରହିଗଲା ।

Get real time updates directly on you device, subscribe now.