fbpx
BJD SKY
BJD SKY

ଶିଶୁ ଓ ଟିକା ନେଇନଥିବା ବ୍ୟକ୍ତିଙ୍କୁ ଅଧିକ ସଂକ୍ରମିତ କରିବ ଓମିକ୍ରନ୍: ସତର୍କ ସୂଚନା ଜାରିକଲା ସ୍ୱାସ୍ଥ୍ୟ ବିଭାଗ

BJD

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଭୟର ବାତାବରଣ ଛାଇ ରହିଛି । ଏହା ମଧ୍ୟରେ ନୂଆ ଭାରିଆଣ୍ଟକୁ ନେଇ ବିଶେଷଜ୍ଞମାନେ ରିସର୍ଚ୍ଚ ଜାରି ରଖିଥିବା ବେଳେ ଖୁବଶୀଘ୍ର ଏନେଇ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ସମ୍ଭାବନା ରହିଛି । ପୂର୍ବରୁ ଡେଲଟା ପ୍ଲସ ସମୟରେ ଯେଉଁଭଳି ଜନସାଧାରଣ ସତର୍କତା ଅବଲମ୍ବନ କରିଥିଲେ, ଅନୁରୂପ ଭାବେ ଏବେଠାରୁ ଓମିକ୍ରନ ପାଇଁ ମଧ୍ୟ ତାହା ନିହାତି ଜରୁରୀ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି ଯେ, ଟିକା ନେଇନଥିବା ବ୍ୟକ୍ତି ଓ ଶିଶୁମାନଙ୍କ ଉପରେ ଏହି ଭାରିଆଣ୍ଟର ପ୍ରଭାବ ଅଧିକ ରହିବାର ସମ୍ଭାବନା ରହିଛି । ନିକଟରେ ସଂକ୍ରମିତ ଦେଶମାନଙ୍କରେ ଅଧିକ ସଂଖ୍ୟାରେ ଶିଶୁମାନେ ସଂକ୍ରିମତ ହେଉଥିବା ଦେଖାଯାଇଛି । ତେଣୁ ଏହାର ପ୍ରତିକାର ପାଇଁ ସରକାର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି) ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ଗୁଡ଼ିକରେ ଶିଶୁରୋଗ ଚିକିତ୍ସା ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏନେଇ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯାଇଛି । ଭାରିଆଣ୍ଟ ଅଧିକ ଭୟଙ୍କର ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଥିବା ବେଳେ ନିକଟରେ ଓଡ଼ିଶା ଫେରିଥିବା ୯୨୮ ଜଣଙ୍କ ମଧ୍ୟରୁ ୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେଣୁ ସମସ୍ତଙ୍କୁ ଏନେଇ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି ସେ କହିଛନ୍ତି । ସେହିପରି ଓମିକ୍ରନକୁ ନେଇ ଆତଙ୍କିତ ନହୋଇ ସତର୍କ ରହିବା ଦରକାର । ଭାରିଆଣ୍ଟ ଅଧିକ ସଂକ୍ରାମକ ହେଲେ ମଧ୍ୟ ଘାତକ ନୁହେଁ ବୋଲି କହିଛନ୍ତି ଆଞ୍ଚଳିକ ଚିକିତ୍ସା ଗବେଷଣା କେନ୍ଦ୍ର (ଆରଏମଆରସି)ର ନିର୍ଦ୍ଦେଶିକା ଡା. ସଙ୍ଘମିତ୍ରା ପତି ।

Get real time updates directly on you device, subscribe now.