କୋଣାର୍କ-ପୁରୀ ଇକୋରିଟ୍ରିଟକୁ ଆଉ ୫ ଦିନ: ଜୋର୍‌ଦାର୍‌ ଚାଲିଛି ପ୍ରସ୍ତୁତି, ବେଳାଭୂମିରେ ୭୦ ତମ୍ବୁ ଘର ନିର୍ମାଣ ଶେଷ ପର୍ଯ୍ୟାୟରେ

କୋଣାର୍କ (ଭାସ୍କର ନ୍ୟୁଜ୍‌): ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ-ପୁରୀ ବେଳାମାର୍ଗ ରାମଚଣ୍ଡୀ ମୁହାଣ ନିକଟରେ ୫ଦିନ ପରେ ଆରମ୍ଭ ହେବ ଇକୋ ରିଟ୍ରିଟ । ଏହି ଉତ୍ସବ ତିନି ମାସ ଧରି ଚାଲିବ । ଏଥି ନିମନ୍ତେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ମୁଖ୍ୟ ପ୍ରବେଶ ପଥରେ ତୋରଣ, ସେଲଫି ପଏଣ୍ଟ, କନଫରେନ୍ସ ଓ ରିସେପ୍ସନ ପାଇଁ ବଡ ହଲ ନିର୍ମାଣ,ପାନୀୟ ଜଳ ବ୍ୟବସ୍ଥା, ଚନ୍ଦ୍ରଭାଗାରୁ ଇକୋ ରିଟ୍ରିଟ ପର୍ଯ୍ୟନ୍ତ ବେଳାମାର୍ଗରେ ଆଲୋକ ବ୍ୟବସ୍ଥା ଆଦି କାର୍ଯ୍ୟ ଚାଲୁ ରହିଛି । ସମୁଦ୍ର କୂଳରୁ ୩୦ ମିଟର ବାଦ ଦେଇ ବେଳାଭୂମିରେ ୭୦ ଅତ୍ୟାଧୁନିକ ତମ୍ବୁ ଘର ନିର୍ମାଣ ଶେଷ ପର୍ଯ୍ୟାୟରେ । ଏହି ତମ୍ବୁ ଘରେ ପର୍ଯ୍ୟଟକମାନଙ୍କ ପାଇଁ ରାତ୍ରୀଯାପନ ନିମନ୍ତେ ପଞ୍ଚତାରକା ହୋଟେଲ ଭଳି ସମସ୍ତ ସୁବିଧା ସହିତ ସୁରକ୍ଷା ପ୍ରତି ଅଧିକ ଦୃଷ୍ଟି ଦିଆଯିବ ।

ଏହା ବ୍ୟତୀତ ସର୍ଫିଗ, ବିଭିନ୍ନ ସାମୁଦ୍ରିକ କ୍ରିଡା, ପାରାସେଲିଂର ମଜା ଉଠାଇବା ସହିତ ଯୋଗଭିତ୍ତିକ କାର୍ଯ୍ୟକ୍ରମ ରହିଛି । ବେଳାମାର୍ଗ ନିକଟରେ ଯାନବାହନ ପାର୍କିଂ କରିବା ପାଇଁ ବ୍ୟବସ୍ଥା ହୋଇଛି । ପର୍ଯ୍ୟଟକମାନେ ବ୍ୟାଟେରୀ ଚାଳିତ ଗାଡିରେ ଉତ୍ସବସ୍ଥଳକୁ ଆସିବେ । ଆସନ୍ତା ୧୫ ତାରିଖରେ ଇକୋ ରିଟ୍ରିଟ ଉଦଘାଟନ କାର୍ଯ୍ୟକ୍ରମ ରହିଛି । ଏଥି ନିମନ୍ତେ ସମସ୍ତ କାର୍ଯ୍ୟକୁ ଜୋରଦାର କରାଯାଇଥିବା ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଥାଉକି ପୂର୍ବରୁ ପର୍ଯ୍ୟଟନ ନିର୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ ପ୍ରମୁଖ ବିଭାଗୀୟ ଅଧିକାରୀଗଣ ବିଭିନ୍ନ କାର୍ଯ୍ୟ ଅନୁଧ୍ୟାନ କରି ଫେରିଥିଲେ।