‘ଏବେ ହେବନି ଶ୍ରୀମନ୍ଦିର ଧାଡ଼ି ଦର୍ଶନ ଟ୍ରାଏଲ ରନ୍‌’, ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା

ଶ୍ରୀମନ୍ଦିରରେ ନୂଆବର୍ଷରୁ ଲାଗୁ ହେବନି ଧାଡ଼ି ବ୍ୟବସ୍ଥା, ଜାଣନ୍ତୁ କାହିଁକି ଏଭଳି ପ୍ରତିକ୍ରିୟା ଦେଲେ ଆଇନମନ୍ତ୍ରୀ..

ପୁରୀ: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି । ଏହି ଧାଡ଼ି ଦର୍ଶନକୁ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ଜାରି କରିଛନ୍ତି । ପୂର୍ବରୁ ଖବର ଥିଲା ଯେ, ଶ୍ରୀମନ୍ଦିରରେ ଧାଡ଼ି ବ୍ୟବସ୍ଥା ୨୦୨୫ ନୂଆ ବର୍ଷରୁ ଲାଗୁ କରାଯିବ ବୋଲି । ହେଲେ ବର୍ତ୍ତମାନ ଏହି ନିୟମ ପରିବର୍ତ୍ତନ ହେବ ବୋଲି ଆଇନମନ୍ତ୍ରୀ ସୂଚନା ଜାରି କରିଛନ୍ତି ।

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ କହିଛନ୍ତି, “ଏବେ ହେବନି ଶ୍ରୀମନ୍ଦିରରେ ଦର୍ଶନ ଟ୍ରାଏଲ୍ ରନ୍ । ନୂଆବର୍ଷରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଗଙ୍ଗାସ୍ନାନ ପଡ଼ୁଥିବାରୁ ଜାନୁଆରୀ ୨୦ ଯାଏଁ ଏହି ଭିଡ଼ ରହିବ । ତେବେ ଜାନୁଆରୀ ୨୦ ତାରିଖରୁ ୨୨ ମଧ୍ୟରେ ଏହି ଧାଡ଼ି ଦର୍ଶନ ପୂର୍ଣ୍ଣାଙ୍ଗ ବ୍ୟବସ୍ଥା ଲାଗୁ କରାଯିବ ।”

ଏହା ପୂର୍ବରୁ ଡିସେମ୍ବର 22 ତାରିଖରେ ଆଇନ ମନ୍ତ୍ରୀ କହିଥିଲେ ଯେ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ନୂଆ ବ୍ୟବସ୍ଥା ଜାରି ହୋଇଛି। ନୂଆ ଆଇନ ଅନୁଯାୟୀ, ନୂଆ ବର୍ଷ ଅର୍ଥାତ ୨୦୨୫ ବର୍ଷ ଜାନୁଆରୀ ୧ ତାରିଖଠାରୁ ଶ୍ରୀମନ୍ଦିରରେ ଧାଡ଼ିରେ ଦର୍ଶନ କରିବେ ଭକ୍ତ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଥିଲେ ଯେ, ୨୭ ଏବଂ ୨୮ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା କ୍ରିୟାନୁୟନ ହୋଇଯିବ।

ଡିସେମ୍ବର ୩୦ ଓ ୩୧ରେ ପରୀକ୍ଷା ମୂଳକ ଭାବେ ଧାଡ଼ି ଦର୍ଶନ ହେବ। ସାତ ପାହାଚ ଦେଇ ପ୍ରବେଶ କରିବେ ଭକ୍ତ। ଘଣ୍ଟି ଏବଂ ଗାରଦ ଦ୍ୱାର ଦେଇ ପ୍ରସ୍ଥାନ କରିବେ। ତେବେ ବର୍ତ୍ତମାନ ଏହି ନିୟମ ପରିବର୍ତ୍ତନ ହୋଇଛି।