fbpx

ହାରିଗଲା ସଂଘର୍ଷ: ୧୦ ବର୍ଷର ପ୍ରସ୍ତୁତି ପରେ ବି ମିଳିଲାନି ସଫଳତା, ଶେଷରେ ମୃତ୍ୟୁର ପଥକୁ ବାଛିନେଲେ UPSC ଆଶାୟୀ

ନୂଆଦିଲ୍ଲୀ: ଗତ ୧୬ ତାରିଖ ଦିନ ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଦେଶର ବିଭିନ୍ନ ରାଜ୍ୟରୁ ଅନେକ ପ୍ରାର୍ଥୀ ଏଥିରେ ସଫଳତା ହାସଲ କରିଥିବା ବେଳେ ସେମାନଙ୍କ ନିକଟକୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି । ଅନ୍ୟପକ୍ଷରେ ଯେଉଁ ପ୍ରାର୍ଥୀମାନେ ଏଥିରେ ଅସଫଳ ହୋଇଛନ୍ତି ସେମାନଙ୍କର ଜୀବନର ସଂଘର୍ଷର କାହାଣୀ ଶୁଣିଲେ ହୃଦୟ ଥରିଉଠେ । ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରିବା ପରେ ବି ଅନେକ ଆଶାୟୀ ସଫଳତାରୁ ବଞ୍ଚିତ ହୋଇଥାନ୍ତି ।

ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଦିଲ୍ଲୀର ମୁଖର୍ଜୀ ନଗରରେ ସିଭିଲ ସର୍ଭିସ ନିମନ୍ତେ ଦୀର୍ଘ ୧୦ ବର୍ଷ ଧରି ପ୍ରସ୍ତୁତି ଚଳାଇ ଆସୁଥିବା ଜଣେ ଛାତ୍ରୀ ଅସଫଳ ହେବା ପରେ ଶେଷରେ ମୃତ୍ୟୁର ପଥକୁ ବାଛି ନେଇଛନ୍ତି । ଯୁବତୀଙ୍କର ଘର ଉତ୍ତରପ୍ରଦେଶର ମେରଠ ହୋଇଥିବା ବେଳେ ତାଙ୍କର ବାପା ଜଣେ କୃଷକ । ତାଙ୍କର ପରିବାର ଗାଁରେ ରୁହନ୍ତି । ଯୁବତୀ ଜଣଙ୍କ ଗତ ୧୦ ବର୍ଷ ଧରି ଦିଲ୍ଲୀର ମୁଖର୍ଜୀ ନଗରରେ ରହି ପ୍ରତିଯୋଗିତା ପରୀକ୍ଷା ନିମନ୍ତେ ପ୍ରସ୍ତୁତି ଚଳାଇଥିଲେ । ଗତ ମଙ୍ଗଳବାର ଦ୍ୱିପ୍ରହର ପାଖାପାଖି ୩.୨୦ ସମୟରେ ଦ୍ୱିତୀୟ ମହଲରୁ ଡେଇଁ ସେ ଜୀବନ ହାରିଦେଇଥିଲେ । ସେହି ସମୟରେ ଅନ୍ୟ କିଛି ଯୁବତୀ ଉପସ୍ଥିତ ଥିଲେ । ଖବର ପାଇ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପିସିଆର ଭ୍ୟାନ ପହଞ୍ଚିଥିଲା । ଯୁବତୀଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ ।

ଜୀବନର ଅନ୍ୟନାମ ସଂଘର୍ଷ । ଏହି ଯୁବତୀଙ୍କ ପରି ଅନେକ ଆଶାୟୀ ନିଜ ଜୀବନରେ ଆଗକୁ ବଢ଼ିବା ପାଇଁ କଠିନ ପରିଶ୍ରମ କରୁଛନ୍ତି । ସଂଘର୍ଷ କରୁ କରୁ ଅନେକ ପ୍ରାର୍ଥୀଙ୍କର ବୟସ ଚାଲିଯାଉଛି । କିଛି ପ୍ରାର୍ଥୀ ଅଳ୍ପକେ ସଫଳତାରୁ ବଞ୍ଚିତ ହେଉଛନ୍ତି । ଯେଉଁ ପ୍ରାର୍ଥୀମାନେ ବର୍ଷ ବର୍ଷ ଧରି ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ପ୍ରସ୍ତୁତି ଚଳାଇଥାନ୍ତି ସେମାନଙ୍କ ପାଇଁ ଅନ୍ୟ କ୍ଷେତ୍ରକୁ ଯିବାର ରାସ୍ତା ପ୍ରାୟତଃ ବନ୍ଦ ହୋଇ ସାରିଥାଏ । ବିନା ସଫଳତାରେ ପରିବାରକୁ ମୁହଁ ଦେଖାଇବା ସେମାନଙ୍କ ପକ୍ଷେ ସମ୍ଭବ ହୋଇନଥାଏ । ଏପରି ସ୍ଥିତିରେ ଅନେକ ଆଶାୟୀ ମାନସିକ ଅବସାଦ ଦେଇ ଗତି କରିଥାନ୍ତି । ଶେଷରେ କିଛି ପ୍ରାର୍ଥୀ ଆତ୍ମହତ୍ୟା କରିବାକୁ ପଛାଇ ନଥାନ୍ତି । ତେଣୁ ଏପରି ପରିସ୍ଥିତିର ସାମ୍ନା କରୁଥିବା ପ୍ରାର୍ଥୀମାନେ ନିଜକୁ ସଂଯତ କରିବା ଆବଶ୍ୟକ । ଜୀବନର ଅର୍ଥ ୟୁପିଏସସି ନୁହେଁ । ଈଶ୍ୱର ଆମ ସମସ୍ତଙ୍କୁ କିଛି ନା କିଛି ବଡ଼ ଦାୟିତ୍ୱ ଦେଇ ଏଇ ପୃଥିବୀ ବକ୍ଷକୁ ପଠାଇଛନ୍ତି । ବହୁ ବଡ଼ ବଡ଼ ପରୀକ୍ଷାରେ ଅସଫଳତା ଲାଭ କରିବା ପରେ ଜୀବନରେ ବହୁ ଆଗକୁ ଯିବାର ଅନେକ ଉଦାହରଣ ରହିଛି । ତେଣୁ ଆପଣମାନେ ହାରି ନଯାଇ ସଂଘର୍ଷ ଜାରି ରଖନ୍ତୁ, ଅନ୍ୟମାନଙ୍କ ପାଇଁ ପ୍ରେରଣାର ସ୍ରୋତ ହୁଅନ୍ତୁ ।

Get real time updates directly on you device, subscribe now.