fbpx

୨୦୨୦-୨୧ରେ ବୟସସୀମା ସରିଯାଇଥିବା ୟୁପିଏସସି ପରୀକ୍ଷାର୍ଥୀଙ୍କୁ ମିଳିବ ଅତିରିକ୍ତ ସୁଯୋଗ

ନୂଆଦିଲ୍ଲୀ ୦୯ । ୦୫ (ଓଡ଼ିଶା ଭାସ୍କର) : ୟୁପିଏସସି ପରୀକ୍ଷାର୍ଥୀମାନଙ୍କ ଲାଗି ଖୁସି ଖବର । କରୋନା ଯୋଗୁ ୨୦୨୦ରେ ୟୁପିଏସସି ପରୀକ୍ଷାରେ ନିଜର ଅନ୍ତିମ ସୁଯୋଗ ହରାଇ ସାରିଥିବା ପ୍ରାର୍ଥୀମାନଙ୍କୁ ଆଉ ଏକ ସୁଯୋଗ ଦିଆଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସରକାରଙ୍କ ପକ୍ଷରୁ ସୁପ୍ରିମ କୋର୍ଟରେ ସତ୍ୟପାଠ ଦାଖଲ କରାଯାଇ ଥିବା ସୂଚନାରେ ଦିଆଯାଇଛି ।

ଏ.ଏମ. ଖାନଭିଲକରଙ୍କ ଖଣ୍ଡପୀଠକୁ କେନ୍ଦ୍ର ସରକାର ଜଣାଇଛନ୍ତି ଯେ, କରୋନା ଯୋଗୁ ୨୦୨୦ ଅକ୍ଟୋବରରେ ୟୁପିଏସସି ଦ୍ୱାରା ଆୟୋଜିତ ହୋଇଥିବା ନାଗରିକ ସେବା ପ୍ରାରମ୍ଭିକ ପରୀକ୍ଷାରେ ଅନେକ ପ୍ରାର୍ଥୀ ବିଭିନ୍ନ କାରଣରୁ ଅଂଶଗ୍ରହଣ କରିପାରି ନ ଥିଲେ। ନିର୍ଦ୍ଧାରିତ ବୟସସୀମା ଅତିକ୍ରମ କରିଯିବାରୁ ବହୁ ପ୍ରାର୍ଥୀଙ୍କ ଲାଗି ଉକ୍ତ ପରୀକ୍ଷା ଶେଷ ସୁଯୋଗ ଥିଲା। ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସେହି ପ୍ରାର୍ଥୀମାନଙ୍କୁ ଆଉ ଏକ ଅତିରିକ୍ତ ସୁଯୋଗ ଦେବେ ବୋଲି କହିଛନ୍ତି । ଏହାଦ୍ୱାରା ୧୦,୩୩୬ ଆଶାୟୀ ପରୀକ୍ଷାର୍ଥୀ ଉପୃକତ ହେବେ।

ସୂଚନାଯୋଗ୍ୟ, ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ଏବଂ ୟୁପିଏସସି ମଧ୍ୟରେ ଅନେକ ଥର ଆଲୋଚନା ହୋଇସାରିଛି। ନାଗରିକ ସେବା ଆଶାୟୀ ରଚନା ସିଂହଙ୍କ ପକ୍ଷରୁ ସୁପ୍ରିମ କୋର୍ଟରେ ଦାଖଲ ହୋଇଥିବା ଏକ ପିଟିଶନର ଶୁଣାଣି ସମୟରେ କେନ୍ଦ୍ର ସରକାର ଏହି ତଥ୍ୟ ଦେଇଛନ୍ତି।

Get real time updates directly on you device, subscribe now.