fbpx

ବଡ଼ ଖୁଲାସା! ଇମ୍ରାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବାକୁ ପାକିସ୍ତାନକୁ ଧମକ ଦେଇଥିଲା ଆମେରିକା

ନୂଆଦିଲ୍ଲୀ: ଗତ ୫ ତାରିଖରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହୋଇଥିଲେ । ତୋଷଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପାକିସ୍ତାନର ଜିଲ୍ଲା ଓ ସେସନ୍ସ କୋର୍ଟ ଇମ୍ରାନଙ୍କୁ ୩ ବର୍ଷର ଜେଲଦଣ୍ଡାଦେଶ ଦେବା ସହିତ ୧ ଲକ୍ଷ ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଥିଲେ । ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଦୁର୍ନୀତିରେ ଲିପ୍ତ ଥିବା ପ୍ରମାଣିତ ହୋଇଥିବା ବିଚାରପତି ଘୋଷଣା କରିଥିଲେ ।

ତେବେ କୋର୍ଟଙ୍କ ରାୟ ପରେ ଏବେ ଇମ୍ରାନ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ କୌଣସି ନିର୍ବାଚନ ଲଢ଼ି ପାରିବେ ନାହିଁ । ତେଣୁ ତାଙ୍କର ରାଜନୈତିକ ଭବିଷ୍ୟତ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ମାମଲାରେ ଆଶ୍ୱସ୍ତି ମିଳିବା ନେଇ ଇମ୍ରାନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ହେଁ ତାଙ୍କର ଯାଚିକା ଖାରଜ ହୋଇଯାଇଥିଲା । ତେବେ ଏହା ମଧ୍ୟରେ ଦେଖିବାକୁ ମିଳିଛି ଏକ ବଡ଼ ଖୁଲାସା । ଇମ୍ରାନଙ୍କ କାର୍ଯ୍ୟକୁ ନେଇ ଆମେରିକା ଅସନ୍ତୁଷ୍ଟ ରହିଥିଲା । ତେଣୁ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପାଇଁ ଆମେରିକା ପାକିସ୍ତାନ ଉପରେ ଚାପ ପକାଇଥିଲା ବୋଲି କୁହାଯାଉଛି ।

ଋଷ-ୟୁକ୍ରେନ ଯୁଦ୍ଧ ସମୟରେ ପାକିସ୍ତାନ ନିରପେକ୍ଷ ନୀତି ଆପଣାଇଥିଲା । ତେଣୁ ତାହାକୁ ନେଇ ଆମେରିକା ଇମ୍ରାନଙ୍କୁ ପଦରୁ ହଟାଇବାକୁ ପାକିସ୍ତାନ ଉପରେ ଚାପ ପ୍ରୟୋଗ କରିଥିଲା । ପାକିସ୍ତାନୀ ସୈନ୍ୟ ସୂତ୍ରରୁ ମିଳିଥିବା ଏକ ସିକ୍ରେଟ ତଥ୍ୟର ଏବେ ଖୁଲାସା ହୋଇଛି । ୨୦୨୨ ମସିହା ମାର୍ଚ୍ଚ ମାସ ୭ ତାରିଖରେ ଆମେରିକାର ବିଦେଶ ବିଭାଗର ଅଧିକାରୀ ଓ ପାକିସ୍ତାନର ରାଷ୍ଟ୍ରଦୂତଙ୍କ ମଧ୍ୟରେ ଆମେରିକାରେ ଏକ ବୈଠକ ବସିଥିଲା । ଉକ୍ତ ବୈଠକରେ ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନେଇ ଇମ୍ରାନଙ୍କ ଆଭିମୁଖ୍ୟ ଉପରେ ଆଲୋଚନା ହୋଇଥିଲା ।

ଇମ୍ରାନଙ୍କ ମସ୍କୋ ଗସ୍ତର ଦୁଇ ସପ୍ତାହ ପରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ଗସ୍ତକୁ ନେଇ ୱାଶିଂଣ୍ଟନ କ୍ରୋଧିତ ହୋଇ ପଡ଼ିଥିଲା । ପାକିସ୍ତାନ ୟୁକ୍ରେନକୁ ନେଇ କାହିଁକି ନିରପେକ୍ଷ ନୀତି ଆପଣାଉଛି ବୋଲି ଆମେରିକାର ସହାୟକ ସଚିବ ନିଜର ପାକିସ୍ତାନୀ ସମକକ୍ଷଙ୍କୁ ବୈଠକରେ କହିଥିଲେ । ତେବେ ଯଦି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ସଫଳ ହୁଏ, ତେବେ ୱାଶିଂଣ୍ଟନ ସବୁ କ୍ଷମା କରିଦେବ । ଇମ୍ରାନ ପଦରୁ ହଟିବା ପରେ ଦ୍ୱିପାକ୍ଷିକ ସମ୍ବନ୍ଧ ସାମାନ୍ୟ ହୋଇଯିବ ବୋଲି ବୈଠକରେ ଆମେରିକା ପକ୍ଷରୁ କୁହାଯାଇଥିଲା । ଏପରି କି ଆଗକୁ ବଢ଼ିବା କଠିନ ହେବ ବୋଲି ଆମେରିକା ମଧ୍ୟ ଧମକ ଦେଇଥିଲା । ଆମେରିକା ଇମ୍ରାନଙ୍କୁ ପଦରୁ ହଟାଇବାକୁ ଚାହୁଁଥିଲା ବୋଲି ରିପୋର୍ଟରେ କୁହାଯାଇଛି ।

Get real time updates directly on you device, subscribe now.