fbpx

ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଥମ ରାଜ୍ୟସ୍ତରୀୟ ଅନ୍ତଃବିଶ୍ୱବିଦ୍ୟାଳୟ ସହ-ଶୈକ୍ଷିକ ପ୍ରତିଭା ପ୍ରତିଯୋଗିତା ଉଦଘାଟିତ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଅନ୍ତଃବିଶ୍ୱବିଦ୍ୟାଳୟ ସହ-ଶୈକ୍ଷିକ ପ୍ରତିଭା ପ୍ରତିଯୋଗିତା ତଥା ସାହିତ୍ୟ ଓ ସାଂସ୍କୃତିକ ଉତ୍ସବକୁ ଉଦଘାଟନ କରିଛନ୍ତି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ । ଏହି ଅବସରରେ ସେ କହିଛନ୍ତି ଯେ ଶିକ୍ଷାଗ୍ରହଣ ସହିତ ଛାତ୍ରଛାତ୍ରୀଙ୍କ ଅନ୍ତନିର୍ହିତ ପ୍ରତିଭା ଓ ଦକ୍ଷତାର ବିକାଶ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଜିଠାରୁ ଅର୍ଥାତ୍ ମଙ୍ଗଳବାର ଠାରୁ ଏହି ପ୍ରତିଯୋଗିତା ଆରମ୍ଭ କରାଯାଇଛି । ସେ କହିଥିଲେ ପ୍ରତିଟି ଛାତ୍ରଛାତ୍ରୀଙ୍କ ନିକଟରେ ପ୍ରତିଭା ରହିଛି । ସେମାନଙ୍କ ନିକଟରେ ଥିବା ଲୁକ୍କାୟିତ ପ୍ରତିଭା ଉନ୍ମୋଚନ ହେବା ଦରକାର । ପ୍ରତିଯୋଗୀ ମନୋଭାବ ନେଇ ପ୍ରତିଭା ପ୍ରଦର୍ଶନ କଲେ ତାହା ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶରେ ସହାୟକ ହୋଇପାରିବ ବୋଲି କୁଳପତି ପ୍ରକାଶ କରିଥିଲେ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଆଯାଇଥିବା ଏଭଳି ପଦକ୍ଷେପକୁ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସ୍ୱାଗତ ଜଣାଇବା ସହ ପ୍ରତିଭା ବିକାଶ ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ କୁଳସଚିବ ଡ.ଅଭୟ କୁମାର ନାୟକ, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଦୁର୍ଗାଶଙ୍କର ପଟ୍ଟନାୟକ, ବିତ୍ତ ନିୟନ୍ତ୍ରକ ସୁରେନ୍ଦ୍ର କୁମାର ସାହୁ, ଓଡ଼ିଆ ବିଭାଗ ସହକାରୀ ପ୍ରଫେସର ରୁଦ୍ରନାରାୟଣ ମହାପାତ୍ର ବକ୍ତବ୍ୟ ରଖିଥିଲେ । ଛାତ୍ର ମଙ୍ଗଳ ନିର୍ଦେଶକ ପ୍ରଫେସର ମିତାଲି ଚିନ୍ନାରା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ସହ-ଶୈକ୍ଷିକ ପ୍ରତିଭା ପ୍ରତିଯୋଗିତାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀଙ୍କୁ ଯଥାକ୍ରମେ ୩୦ହଜାର, ୨୫ହଜାର ଓ ୨୦ହଜାର ପୁରସ୍କାର ରାଶି ପ୍ରଦାନ କରାଯିବ । ମାର୍ଚ୍ଚ ୧୭ରେ ଅନୁଷ୍ଠିତ ହେବାକୁ ଥିବା ଉଦ୍ୟାପନ ଉତ୍ସବ ଓ ପୁରସ୍କାର ବିତରଣ ସମାରୋହରେ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ଓ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ମଙ୍ଗଳବାର ଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଥିବା ସହ-ଶୈକ୍ଷିକ ପ୍ରତିଭା ପ୍ରତିଯୋଗିତା ତଥା ସାହିତ୍ୟ ଓ ସାଂସ୍କୃତିକ ଉତ୍ସବରେ ରାଜ୍ୟ ସରକାରଙ୍କ ଅଧୀନସ୍ଥ ୧୬ଟି ସରକାରୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଛନ୍ତି । ସେଥିମଧ୍ୟରୁ ୧୪ଟି ରାଜ୍ୟ ସରକାରଙ୍କ ବିଶ୍ୱବିଦ୍ୟାଳୟ ହୋଇଥିବାବେଳେ ୨ଟି କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଅଂଶ୍ରଗହଣ କରିଛନ୍ତି । ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଉତ୍କଳ, ରେଭେନ୍ସା, ବ୍ରହ୍ମପୁର, ଫକୀର ମୋହନ, ଗଙ୍ଗାଧର ମେହେର, କଳାହାଣ୍ଡି, ସମ୍ବଲପୁର, ଖଲିକୋଟ, ରାଜେନ୍ଦ୍ର, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମେତ ଓଏସଓୟୁ, ଓୟୁଟିଆର, ନାଇଜର ଓ ଆଇଜରର ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରିଛନ୍ତି ।

ସହ-ଶୈକ୍ଷିକ ପ୍ରତିଭା ପ୍ରତିଯୋଗିତା ତଥା ସାହିତ୍ୟ ଓ ସାଂସ୍କୃତିକ ଉତ୍ସବର ପ୍ରଥମ ଦିବସରେ ଓଡ଼ିଆ, ଇଂରାଜୀ ଏବଂ ହିନ୍ଦୀରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା, କୁଇଜ, ବାଦ୍ୟସଙ୍ଗୀତ ଏବଂ ‘ଜଷ୍ଟ ଏ ମିନିଟ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆସନ୍ତାକାଲି ଚିତ୍ରାଙ୍କନ/ପେଣ୍ଟିଂ, ଏକକ ଅଭିନୟ, ସ୍କିଟ ପ୍ରତିଯୋଗିତା ସମେତ ଚୂଡ଼ାନ୍ତ ପର୍ଯ୍ୟାୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ ।

Get real time updates directly on you device, subscribe now.