ସତ୍ୟନଗରରେ ହେବ ଉତ୍ତମଙ୍କ ଶେଷକୃତ୍ୟ: ସାଢ଼େ ୧୧ଟା ସୁଦ୍ଧା ବିମାନବନ୍ଦରରେ ପହଞ୍ଚିବ ପାର୍ଥିବ ଶରୀର

ଭୁବନେଶ୍ୱର: ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତା ଉତ୍ତମ ମହାନ୍ତିଙ୍କର ପରଲୋକ ହୋଇଯାଇଛି  । ଗୁରୁଗାଓଁର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି  । ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ହେବ ଉତ୍ତମଙ୍କ ଶେଷକୃତ୍ୟ। ଉତ୍ତମ ମହାନ୍ତିଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର ଏନେଇ ସୂଚନା ଦେଇଛନ୍ତି । ସାଢ଼େ ୧୧ଟା ସୁଦ୍ଧା ବିମାନବନ୍ଦରରେ ପହଞ୍ଚିବ ପାର୍ଥିବ ଶରୀର । ଜଗନ୍ନାଥ ବିହାର ସ୍ଥିତ ବାସଭବନରେ ହେବ ଶେଷ ଦର୍ଶନ ।

କିଛି ମାସ ହେବ ସେ ଲିଭର୍‍ ସିରୋସିସ୍‍ ରୋଗରେ ପୀଡ଼ିତ ଥିଲେ  । ୧୯୫୮ ମସିହା ଡିସେମ୍ବର ୨୩ ତାରିଖରେ ସେ ମୟୂରଭଞ୍ଜର ବାରିପଦାଠାରେ ଜନ୍ମ ଗ୍ରହଣ କରିଥିଲେ  । ସେ ଶତାଧିକ ଓଡ଼ିଆ ଚଳଚ୍ଚିତ୍ର ସହ ହିନ୍ଦୀ ଓ ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ  । ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସହ ଜୟଦେବ ପୁରସ୍କାର ଆଦି ବିଭିନ୍ନ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା  ।

୧୯୭୭ ମସିହାରେ ‘ଅଭିମାନ’ ଚଳଚ୍ଚିତ୍ରରୁ ଅଭିନୟ କ୍ଷେତ୍ରକୁ ସେ ପଦାର୍ପଣ କରିଥିଲେ  । ଦଣ୍ଡାବାଳୁଙ୍ଗା, ରାମାୟଣ, ଫୁଲଚନ୍ଦନ, ଝିଅଟିସୀତାପରି, ଉଦଣ୍ଡୀ ସୀତା, ସୁନା

ଚଢ଼େଇ ଆଦି ଏକାଧିକ ଲୋକପ୍ରିୟ ଚଳଚ୍ଚିତ୍ରରେ ସହ ବିଭିନ୍ନ ଧାରାବାହିକରେ ସେ ଅଭିନୟ କରିଥିଲେ  । ଉତ୍ତମ ମହାନ୍ତିଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସ୍କୃତିମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି  । ତାଙ୍କ ବିୟୋଗ ଓଡ଼ିଆ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଦର୍ଶାଇବା ସହ ଶେଷକୃତ୍ୟ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି  । ସୂଚନା ଅନୁସାରେ ଆଜି ତାଙ୍କର ପାର୍ଥିବ ଶରୀର ଭୁବନେଶ୍ୱର ପହଞ୍ଚିବା ପରେ ଶେଷକୃତ୍ୟ ସଂପନ୍ନ ହେବ  ।