ଉପନିର୍ବାଚନ ରେଜଲ୍ଟ: ତ୍ରିପୁରାରେ BJP ତ’ କେରଳର ପୁଥୁପଲ୍ଲୀରେ ଜିତିଲା କଂଗ୍ରେସ, ଘୋସିରେ ଆଗରେ ରହିଛି ସପା

ନୂଆଦିଲ୍ଲୀ : : ୬ ରାଜ୍ୟର ୭ଟି ବିଧାନସଭା ଆସନରେ ହୋଇଥିବା ଉପ-ନିର୍ବାଚନର ଗଣତି ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ତ୍ରିପୁରାର ବକ୍ସନଗର ଏବଂ ଧନପୁର ବିଧାନସଭା ଉପ-ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି, ଯେଉଁଥିରେ ବିଜେପି ଏକ ବଡ଼ ବ୍ୟବଧାନରେ ଜିତିଛି । ଏଥି ସହିତ ସମାଜବାଦୀ ପାର୍ଟିର ପ୍ରାର୍ଥୀ ସୁଧାକର ସିଂ ଉତ୍ତରପ୍ରଦେଶର ଘୋସିରେ ସ୍ଥିର ନେତୃତ୍ୱ ବଜାୟ ରଖିଛନ୍ତି ।

ଏହା ବ୍ୟତୀତ ଉତ୍ତରାଖଣ୍ଡ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ବାଗେଶ୍ୱର ଆଗୁଆ ଅଛନ୍ତି । ପଶ୍ଚିମବଙ୍ଗର ଧୁପଗୁଡୀ ବିଧାନସଭା ଆସନରେ ବିଜେପି ଆଗୁଆ ରହିଛି । କଂଗ୍ରେସ ପ୍ରାର୍ଥୀ ଚଣ୍ଡି ଓମାନ କେରଳର ପୁଥୁପଲ୍ଲୀ ବିଧାନସଭା ଆସନରୁ ଜିତିଛନ୍ତି । ଏହା ବ୍ୟତୀତ ଏନଡିଏ ପ୍ରାର୍ଥୀ ଝାଡଖଣ୍ଡର ଡୁମରୀ ବିଧାନସଭା ଆସନରେ ଆଗୁଆ ରଖିଛନ୍ତି ।

ତେବେ ଘୋସି ଉପନିର୍ବାଚନରେ ସମାଜବାଦୀ ପାର୍ଟିର ପ୍ରାର୍ଥୀ ସୁଧାକର ସିଂ ଲଗାତାର ଦାରା ସିଂ ଚୌହ୍ୱାନଙ୍କଠାରୁ ଆଗୁଆ ରହିଛନ୍ତି । ଦଶମ ରାଉଣ୍ଡ ଗଣନା ପରେ ସୁଧାକର ସିଂ ୧୨୧୩୯ ଭୋଟରେ ଆଗୁଆ ଅଛନ୍ତି ।

ଝାଡଖଣ୍ଡର ଡୁମରୀ ବିଧାନସଭା ଆସନରେ ଏନଡିଏ ସମର୍ôଥତ ପ୍ରାର୍ଥୀ ଯଶୋଦା ଦେବୀ ୨୮୩୯ ଭୋଟରେ ଆଗୁଆ ଅଛନ୍ତି । ୮ ରାଉଣ୍ଡ ଗଣନା ପରେ ଝାଡଖଣ୍ଡ ମୁକ୍ତି ମୋର୍ଚାର ବେବି ଦେବୀ ୨୬୭୯୪ ଭୋଟ୍ ପାଇଥିବା ବେଳେ ଯଶୋଦା ଦେବୀ ୨୯୬୩୩ ଭୋଟ୍ ପାଇଛନ୍ତି । ଏଠାରେ ସମୁଦାୟ ୨୪ ରାଉଣ୍ଡ ଗଣନା ହେବ ।

ଉତ୍ତରାଖଣ୍ଡ ବାଗେଶ୍ୱର ବିଧାନସଭା ଉପ-ନିର୍ବାଚନ ଭୋଟ୍ ଗଣନର ଦଶମ ରାଉଣ୍ଡ ଶେଷ ହୋଇଛି । ବିଜେପି ପ୍ରାର୍ଥୀ ପାର୍ବତୀ ଦାସ ୨୦୪୧ ଭୋଟରେ ଆଗୁଆ ଅଛନ୍ତି ।

କେରଳର ପୁଥୁପଲ୍ଲୀରେ କଂଗ୍ରେସ ଏକ ବଡ଼ ବିଜୟ ହାସଲ କରିଛି । କଂଗ୍ରେସ ପ୍ରାର୍ଥୀ ପୁଥୁପଲ୍ଲୀ ଆସନରେ ୩୬ ହଜାରରୁ ଅଧିକ ଭୋଟ୍ ହାସଲ କରିଛି । କଂଗ୍ରେସ ପ୍ରାର୍ଥୀ ଚଣ୍ଡି ଓମେନ୍ ସିପିଆଇ (ଏମ୍) ର ଜ୍ୟାକ୍ ସି ଥୋମାସ୍ଙ୍କୁ ପରାସ୍ତ କରିଛନ୍ତି ।

ତେବେ ସେପ୍ଟେମ୍ବର ୨ ରେ ତ୍ରିପୁରାର ୨ଟି ଆସନ ବକ୍ସନଗର ଏବଂ ଧନପୁର, ପଶ୍ଚିମବଙ୍ଗର ଧୁପଗୁଡୀ, ଝାଡଖଣ୍ଡର ଡୁମରି ଆସନ, ଉତ୍ତରାଖଣ୍ଡର ବାଗେଶ୍ୱର ଏବଂ ଉତ୍ତରପ୍ରଦେଶର ଘୋସି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଇଥିଲା ।