fbpx

ସରକାରୀ ବିଭାଗରେ ୮.୭୨ ଲକ୍ଷ ପଦ ଖାଲି, ସଂସଦରେ ତଥ୍ୟ ରଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ିଚାଲିଛି ବେକାରୀ ସମସ୍ୟା । ସେପଟେ ବିଭିନ୍ନ ରାଜନୈତିକ ଦଳ ନିଜର ରାଜନୈତିକ ଇସ୍ତାହାରରେ ନିଯୁକ୍ତି ନେଇ ମଧ୍ୟ ଘୋଷଣା କରୁଛନ୍ତି । ତେବେ ଏହାରି ମଧ୍ୟରେ କେନ୍ଦ୍ର ସରକାର ଦେଶରେ ଖାଲି ପଡ଼ିଥିବା ବିଭିନ୍ନ ସରକାରୀ ପଦ ନେଇ ସଂସଦରେ ସୂଚନା ଦେଇଛନ୍ତି ।

କେନ୍ଦ୍ର ସରକାର ଗୁରୁବାର ରାଜ୍ୟସଭାରେ ସୂଚନା ଦେଇଛନ୍ତି ଯେ ୧ ମାର୍ଚ୍ଚ ୨୦୨୦ ସୁଦ୍ଧା କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ୮.୭୨ ଲକ୍ଷରୁ ଅଧିକ ଖାଲି ପଦବୀ ରହିଛି । ଶ୍ରମ ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ଦ୍ୱାରା ଦିଆଯାଇଥିବା ଏକ ଲିଖିତ ଉତ୍ତର ଅନୁଯାୟୀ, ୧ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ୬,୮୩,୮୨୩  ପଦବୀ, ୧ ମାର୍ଚ୍ଚ ୨୦୧୯ ସୁଦ୍ଧା କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ୯,୧୦,୧୫୩  ଖାଲି ପଦବୀ ରହିଥିଲା । ସେହିପରି ୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ୮,୭୨,୨୪୩ ଖାଲି ପଦବୀ ରହିଥିଲା । ଦେଶର ତିନି ପ୍ରମୁଖ ଚୟନକାରୀ ସଂସ୍ଥା- SSC, UPSC, ଏବଂ Railway Board ୨୦୧୮-୧୯ ଏବଂ ୨୦୨୦-୨୧ ରେ ୨,୬୫,୪୬୮ ଭର୍ତ୍ତି କରାଇଛନ୍ତି ।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ଦେଶରେ ବେକାରୀ ସମସ୍ୟା ରାଜନୈତିକ ମୁଦ୍ଧା ପାଲିଟିଛି । ୨୦୧୯ ରୁ ଅଟକିଥିବା ରେଲୱେ ଭର୍ତ୍ତିକୁ ନେଇ ବଡ଼ ଛାତ୍ର ଆନ୍ଦୋଳନ ବିହାର ଏବଂ ୟୁପି ର କିଛି ଅଞ୍ଚଳରେ ଦେଖିବାକୁ ମିଳିଥିଲା । ସେହିଭଳି ରାଜସ୍ଥାନ REET ପରୀକ୍ଷାକୁ ନେଇ ଛାତ୍ରଙ୍କ ପ୍ରଦର୍ଶନ ଜାରି ରହିଛି ।

Get real time updates directly on you device, subscribe now.