ବାରାଣସୀ: ଉତ୍ତର ପ୍ରଦେଶ ସହିତ ସମଗ୍ର ଦେଶରେ ସଂପ୍ରତି ଚର୍ଚ୍ଚାର ବିଷୟ ପାଲଟିଥିବା ଜ୍ଞାନବ୍ୟାପୀ ମସଜିଦ ଏବଂ ଶୃଙ୍ଗାର ଗୌରୀ ମାମଲାରେ ରବିବାର ନୂତନ ମୋଡ ଆସିଛି। ଏହି ମାମଲାରେ ହିନ୍ଦୁ ପକ୍ଷଙ୍କ ତରଫରୁ ୫ ପ୍ରତିବାଦୀଙ୍କ ମଧ୍ୟରୁ ଏକ ପ୍ରତିବାଦୀ ରାକ୍ଷୀ ସିଂହ ସୋମବାର ନିଜ କେସ୍ ପ୍ରତ୍ୟାହାର କରିବେ। ବାକି ୪ ପ୍ରତିବାଦୀ ନିଜ ଆଭିମୁଖ୍ୟରେ କାଏମ ରହିଛନ୍ତି ଏବଂ ସେମାନେ ମାମଲାକୁ ଆଗକୁ ନେବେ ବୋଲି କହିଛି ହିନ୍ଦୁ ପକ୍ଷ। ହିନ୍ଦୁ ପକ୍ଷଙ୍କ ଓକିଲ ଏବଂ ଅନ୍ୟ ପଦାଧିକାରୀ ବୈଠକ କରି ଆଗାମୀ ରଣନୀତି ପ୍ରସ୍ତୁତ କରିବେ।
ଯେଉଁ ୪ ପ୍ରତିବାଦୀ(ମୋକଦ୍ଦମାକାରୀ) କେସ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି, ସେମାନଙ୍କ ମଧ୍ୟରେ ଅଛନ୍ତି ସୀତା ସାହୁ, ମଞ୍ଜୁ ବ୍ୟାସ୍, ଲକ୍ଷ୍ମୀ ଦେବୀ ଏବଂ ରେଖା ପାଠକ। ରାକ୍ଷୀ ସିଂହ କେସ୍ ଫେରାଇବା ପଛର କାରଣ ଅଦ୍ୟାବଧି ସ୍ପଷ୍ଟ ହୋଇ ନାହିଁ। ସନାତନ ସଂଘର ପ୍ରମୁଖ ଜିତେନ୍ଦ୍ର ସିଂହ ବିସେନ ରବିବାର ଖୋଦ୍ ଉପରୋକ୍ତ ସୂଚନା ଦେଇଛନ୍ତି। ଜିତେନ୍ଦ୍ର ବିସେନଙ୍କ ନେତୃତ୍ଵରେ ହିଁ ତାଙ୍କ ଝିଆରୀ ରାକ୍ଷୀ ସିଂହ ସହିତ ପାଞ୍ଚ ମହିଳା ବାରାଣସୀ ଜିଲ୍ଲା ଅଦାଲତରେ ଯାଚିକା ଦାଖଲ କରିଥିଲେ।
ଜିତେନ୍ଦ୍ର ସିଂହ କହିଛନ୍ତି, ସୋମବାର ରାକ୍ଷୀ ସିଂହ ଦିଲ୍ଲୀରୁ ବାରାଣସୀ ପହଞ୍ଚି ମନ୍ଦିର ପକ୍ଷ ତରଫରୁ ନିଜର ମୋକଦ୍ଦମା ପ୍ରତ୍ୟାହାର କରିବେ। ହେଲେ ଅଚାନକ ମାମଲା ପ୍ରତ୍ୟାହାର କରାଯିବା ପଛର କାରଣ କହି ନାହାନ୍ତି। ସୂଚନାଯୋଗ୍ୟ,ଏହି ପାଞ୍ଚ ମହିଳାଙ୍କ ଆବେଦନ ଉପରେ ବିଚାର କରି ଅଦାଲତ ଧାର୍ମିକ ସ୍ଥଳର ଭିଡିଓଗ୍ରାଫି ଏବଂ ସର୍ବେକ୍ଷେଣ କରିବା ପାଇଁ ଆଦେଶ ଦେଇଥିଲେ। ଏହାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ଯାଇଛି। ଜ୍ଞାନବ୍ୟାପୀ ମସଜିଦର ବାହାର କାନ୍ଥରେ ଭଗବାନ ଗଣେଶ, ହନୁମାନ ଏବଂ ନନ୍ଦୀ ରହିଛନ୍ତି।