fbpx

Vedanta ହାତକୁ ଯାଇପାରେ BPCL, କେନ୍ଦ୍ର ସରକାର ପ୍ରତ୍ୟାହାର କରିବେ ୫୩ ପ୍ରତିଶତ ଅଂଶଧନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ସରକାରଙ୍କ ଜାତୀୟ ମୁଦ୍ରୀକରଣ ପାଇପଲାଇନ (ଏନଏମପି) ପ୍ରକ୍ରିୟାକୁ ନେଇ ଏକ ନୂଆ ଅପଡେଟ୍ ଆସିଛି । ପୂର୍ବରୁ ଅନେକ କ୍ଷେତ୍ରର ଘରୋଇକରଣ ସରିଥିବା ବେଳେ ଆଗକୁ କିଛି କିଛି ସଂସ୍ଥା ଏହି ଲିଷ୍ଟରେ ସାମିଲ ହେବେ । ସଦ୍ୟ ସୂଚନା ମୁତାବକ, ଭାରତୀୟ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ)ର ବର୍ତ୍ତମାନ ଘରୋଇକରଣ ପ୍ରକ୍ରିୟା ନେଇ ପ୍ରସ୍ତୁତି ଜାରି ରହିଛି ।

ତେବେ ଜଣାପଡ଼ିଛି ଯେ, ବିପିସିଏଲର ଅଂଶଧନକୁ କିଣିବା ପାଇଁ ବେଦାନ୍ତ ଗ୍ରୁପ୍ ଆଗ୍ରହ ପ୍ରକାଶ କରିଛି । ଏହି କମ୍ପାନୀ ଏଥିପାଇଁ ମୋଟ ୬୫ ହଜାର କୋଟିରୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଅଛି । ସରକାର ବିପିସିଏଲର ଅଂଶଧନ ବିକ୍ରି ନେଇ ବହୁଦିନରୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ବିପିସିଏଲର ବିକ୍ରି ପରେ ଏହା ଦେଶର ବଡ଼ ଆସେଟ୍ ସେଲରେ ସାମିଲ ହେବ । ଏନେଇ ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ କରିଛନ୍ତି ଯେ, ବେଦାନ୍ତ କମ୍ପାନୀ ନିଲାମୀ ପ୍ରକ୍ରିୟାରେ ପ୍ରତିଯୋଗିତା କରିବାକୁ ଚାହୁଁନାହିଁ, ତଥାପି କମ୍ପାନୀ ସଠିକ୍ ମୂଲ୍ୟ ଦାଖଲ କରିବ । ଏଥିପାଇଁ ଆମେ ୬୫ ହଜାର କୋଟି ମଧ୍ୟରେ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ରହିଛୁ । ଯଦି ବିପିସିଏଲ ଆମ ଅଧୀନକୁ ଆସେ ତେବେ ଲୋକଙ୍କୁ ଏହା ଫାଇଦା ପ୍ରଦାନ କରିବ ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ ଯେ, ବିପିସିଏଲ ଦେଶର ଦ୍ୱିତୀୟ ବୃହତ୍ତମ ରିଫାଇନରୀ କମ୍ପାନୀ । ଏଥିରେ କେନ୍ଦ୍ର ସରକାରଙ୍କର ୫୩ ପ୍ରତିଶତ ଅଂଶଧନ ରହିଛି । ବିପିସିଏଲକୁ କିଣିବା ପାଇଁ ବେଦାନ୍ତ ଛଡ଼ା ଘରୋଇ କମ୍ପାନୀ ଓପୋଲୋ ଗ୍ଲୋବାଲ ମ୍ୟାନେଜମେଣ୍ଟ ଓ ଆଇ ସ୍କୋୟାର୍ଡ କ୍ୟାପିଟାଲ ମଧ୍ୟ ଆଶାୟୀ ଅଛନ୍ତି । ଗତବର୍ଷ ଅଗଷ୍ଟ ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନଏମପିର ଶୁଭାରମ୍ଭ କରିଥିଲେ । ଆର୍ଥକ ବର୍ଷ ୨୦୨୨ରୁ ୨୦୨୫ ଚାରିବର୍ଷ ମଧ୍ୟରେ ସରକାର ମୋଟ ୬ ଲକ୍ଷ କୋଟିର ପୁଞ୍ଜି ଯୋଗାଡ଼ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।

Get real time updates directly on you device, subscribe now.