fbpx

ଜୀବନ ଯୁଦ୍ଧରେ ହାରିଗଲେ ବେଦିକା: ବିଜେପି ନେତା କରିଥିଲେ ଗୁଳି, ଅଫିସ ସିସିଟିଭି ଗାଏବ୍

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଜବଲପୁରର ବହୁଚର୍ଚ୍ଚିତ ବେଦିକା ଠାକୁର ହତ୍ୟାକାଣ୍ଡ ମାମଲାରେ ନୂଆ ଅପଡେଟ୍ ଆସିଛି । ଅଭିଯୁକ୍ତ ପ୍ରିୟାଂଶ ବିଶ୍ୱକର୍ମାଙ୍କ ବିରୋଧରେ ପୋଲିସ ହତ୍ୟା ମାମଲା ଦାୟର କରିଥିବା ବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ବେଦିକା ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ବେଦିକାଙ୍କୁ ହସ୍ପିଟାଲରେ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା । ଦୀର୍ଘ ୧୦ ଦିନର ସଂଘର୍ଷ ପରେ ବେଦିକା ଆଖି ବୁଜିଛନ୍ତି ।

ଗତ ୧୬ ତାରିଖରେ ବେଦିକାଙ୍କୁ ବିଲଡର ତଥା ବିଜେପି ନେତା ପ୍ରିୟାଂଶଙ୍କ ଅଫିସରେ ଗୁଳିମାଡ଼ କରାଯାଇଥିଲା । ପୋଲିସ ଏବେ ଏହି ମାମଲାର ଯାଞ୍ଚ କରୁଥିବା ବେଳେ ଗୁଳି ଜାଣିଶୁଣି କରାଯାଇଥିଲା ନା ଭୁଲରେ ହୋଇଥିଲା ତାହା ଖୁଲାସା ହେବ । ଜବଲପୁର ପୋଲିସ ଏହି ପୂରା ମାମଲାକୁ ଅପରାଧ ଶ୍ରେଣୀରେ ରଖିଥିବା ବେଳେ ଏହି ସମ୍ପୂର୍ଣ୍ଣ ଗୁଳିକାଣ୍ଡ ପଛର ଅସଲ କାରଣ ଏବେ ବି ଅସ୍ପଷ୍ଟ ରହିଛି ।

ବେଦିକାଙ୍କ ମୃତ୍ୟୁ ପରେ ଏବେ ଧାରା ୩୦୭କୁ ବଢ଼ାଯାଇ ୩୦୨ ଲଗାଯିବ । ପ୍ରିୟାଂଶ ଗୁଳି କରିବା ପରେ ଗୁଳିଟି ବେଦିକାଙ୍କ ପେଟର ମେରୁଦଣ୍ଡର ହାଡ଼ ଭିତରେ ଫସିଯାଇଥିଲା । ବେଦିକାଙ୍କ ମୃତ୍ୟୁ ପରେ ଡାକ୍ତର ପୋଷ୍ଟମର୍ଟମ କରି ଗୁଳିକୁ କାଢ଼ିଥିଲେ ଓ ପୋଲିସ ତାହାକୁ ଜବତ କରି ଫରେନସିକ ଲ୍ୟାବକୁ ପଠାଇଛି । ବେଦିକାଙ୍କ ପେଟରୁ ମିଳିଥିବା ଗୁଳି ପ୍ରିୟାଂଶଙ୍କ ପାଖରେ ଥିବା ପିସ୍ତଲରୁ ଯାଇଛି କି ନା ତାହା ବାଲିଷ୍ଟିକ ଏକ୍ସପର୍ଟ ସ୍ଥିର କରିବେ । ତେବେ ପ୍ରିୟାଂଶ ଏବେ ଜେଲରେ ରହିଥିବା ବେଳେ ତାଙ୍କର ମୁସ୍କିଲ ଆହୁରି ବଢ଼ିବାର ସମ୍ଭାବନା ରହିଛି । ବେଦିକାଙ୍କ ମୃତ୍ୟୁ ପରେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କମଲନାଥ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.