fbpx

ଧର୍ମେନ୍ଦ୍ରଙ୍କ କଟାକ୍ଷ ପରେ ବିଜେପିକୁ ବିଜେଡିର ସଣ୍ଡୁଆସି ଆକ୍ରମଣ, ପ୍ରସନ୍ନ କହିଲେ ‘ଗୋଦରୀ ଲୋ ତୋ ଗୋଡକୁ ଅନା’

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟରେ ରାଜନୈତିକ ବାକ୍ ଯୁଦ୍ଧ ସେତିକି ବଢି ଚାଲିଛି । ପଦ୍ମପୁର ପ୍ରଚାର ମଇଦାନରେ ଏବେ ମୁହାଁମୁହିଁ ହୋଇଛନ୍ତି ବିଜେଡି ବିଜେପି । ପଦ୍ମପୁରରେ ପ୍ରଚାର ମଇଦାନରେ ଦ୍ୱିତୀୟ ଦିନରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ । ଏବେ ଏହାର ଜବାବ ରଖିଛି ବିଜେଡି । ପୁର୍ବତନ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ବିଜେପି ତଥା କେନ୍ଦ୍ର ସରକାରଙ୍କୁ ସଣ୍ଡୁଆସୀ ଆକ୍ରମଣ କରିଛନ୍ତି ।

ଆଜି ପଦ୍ମପୁରରେ ପ୍ରଚାର ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଧା ସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିବା ସହ ‘ରାଜ୍ୟ ସରକାର ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଉଥିବା’ କହିଥିଲେ । ଏହା ସହିତ ରାଜ୍ୟ ସରକାର କିପରି କେନ୍ଦ୍ର ସରକାରଙ୍କ ବିଭୀନ୍ନ ଯୋଜନାର ନାମ ପରିବର୍ତ୍ତନ କରି ବାଃାହାବା ନେଉଛନ୍ତି, ସେ ବିଷୟରେ ମଧ୍ୟ ଆଲୋଚନା କରି ‘ପର ଘର ତିଅଣରେ ନବୀନ ସରକାର କୁଣିଆ ସତ୍କାର କରୁଛନ୍ତି’ ବୋଲି କହିଥିଲେ ।

ତେବେ କେନ୍ଦ୍ର ମନ୍ତ୍ରୀଙ୍କ କଟାକ୍ଷର ଜବାବ ରଖିଛି ବୁଜୁ ଜନତା ଦଳ । ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ସିଧା ସଳଖ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍ କରି ‘ଗୋଦରୀ ଲୋ ତୋ ଗୋଡକୁ ଅନା’ ବୋଲି କହିଛନ୍ତି । ପ୍ରସନ୍ନ କହିଛନ୍ତି, ସତ୍ୟକୁ ବିକୃତ କରି ଲୋକମାନଙ୍କ ଆଗରେ ଉପସ୍ଥାପନ କରାଯାଉଛି । ଯାହାକୁ ଶୁଣି ଏବେ ପଦ୍ମପୁରବସୀ କହୁଛନ୍ତି, ‘ଗୋଦରୀ ଲୋ ତୋ ଗୋଡକୁ ଅନା’ । ତେବେ ଗତକାଲି ଏବଂ ଆଜି ବିଜେପି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ନେଇ ଜବାବ ରଖିଛି ବିଜେଡି । ବିଜେଡି ସରକାର ରାଜ୍ୟକୁ ଋଣ ଭାରରେ ବୁଡାଇ ଦେଲାଣି ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ରାଜ୍ୟରେ ଅପାରଗ ସରକାର ରାଜ୍ୟକୁ ଦେବାଳିଆ କରି ଦେଲେଣି । ହେଲେ ଭାରତ ସରକାର ବିଭିନ୍ନ ଯୋଜନା ପାଇଁ କେତେ ଟଙ୍କା ଋଣ ଆଣିଛନ୍ତି, ସେ ତଥ୍ୟ କେନ୍ଦ୍ରମନ୍ତ୍ରୀ ରଖୁ ନାହାନ୍ତି । ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ଅନ୍ୟ ବିଜେପି ଶାସିତ ରାଜ୍ୟ ଅପେକ୍ଷା ଓଡ଼ିଶା ଋଣ ମାମଲାରେ ଭଲ ସ୍ଥିତିରେ ଥିବା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।

Get real time updates directly on you device, subscribe now.