(Breaking) ସୁଭଦ୍ରା ଯୋଜନାରୁ ବାଦ ଥିବା ମହିଳାଙ୍କୁ ଦୀପାବଳିରେ ଭେଟିଦେବେ ସରକାର!

ଭୁବନେଶ୍ୱର: ସୁଭଦ୍ରା ଯୋଜନାରୁ ବାଦ ପଡିଥିବା ହିତାଧିକାରୀଙ୍କ ପାଇଁ ଖୁସି ଖବର । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦେଇଛନ୍ତି ସୂଚନା । ମନ୍ତ୍ରୀ କହିଛନ୍ତି, ଶୀଘ୍ର ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ବାକି ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଯିବ । ମନ୍ତ୍ରୀଙ୍କ ବୟାନରୁ ଜଣାଯାଉଛି କି, ଦୀପବଳି ଭେଟି ଭାବେ ତୃତୀୟ ପର୍ଯ୍ୟାୟ ଟଙ୍କା ଖାତାକୁ ଆସିବ ।

ତେବେ ସୁଭଦ୍ରା ଯୋଜନା ପାଇଁ ବର୍ତ୍ତମାନ ଯାଏ ୧ କୋଟିରୁ ଅଧିକ ମହିଳା ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରୁ ୬୦ ଲକ୍ଷ ମହିଳାଙ୍କୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୫ ହଜାର ଲେଖା ଟଙ୍କା ଦିଆ ସରିଲାଣି । ବାକି ରହିଥିବା ୪୦ ଲକ୍ଷଙ୍କ ଖାତାକୁ ଖୁବ ଶୀଘ୍ର ଟଙ୍କା ଆସିବା ଆଜି ମନ୍ତ୍ରୀଙ୍କ ବୟାନ ପରେ ସ୍ପଷ୍ଟ ହୋଇଛି । କିନ୍ତୁ ଏହି ଭେଟି ଦୀପାବଳିରେ ବା ଦୀପାବଳି ପରେ ପରେ ମିଳିବା ସୁନିଶ୍ଚିତ ହୋଇଛି । ଏହି ଟଙ୍କା ସିଧାସଳଖ ୫ ହଜାର ଆକାରରେ ଆସିବ ।

ସେପଟେ ସୁଭଦ୍ରାକୁ ନେଇ ହୋଇଥିବା କ୍ୟାବିନେଟ ବୈଠକରେ ୨ ଲକ୍ଷରୁ ଅଧିକ ମହିଳାଙ୍କ ଆବେଦନ ରଦ୍ଦ କରିଛନ୍ତି ସରକାର । ତେଣୁ କେଉଁ କାରଣରୁ ଏହି ଆବେଦନ ଖାରଜ ହୋଇଛି, କଣ କଲେ ଜଣେ ଯୋଗ୍ୟ ହିତାଧିକାରୀ ଟଙ୍କା ପାଇବେ, ତା ଉପରେ କାମ ଚାଲିଛି ପ୍ରଶାସନିକ ସ୍ତରରେ ।

ଏଠାରେ କହି ରଖୁଛୁ କି, ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ପ୍ରଥମେ ଏକଟଙ୍କା ଲେଖା ହିତାଧିକାରୀଙ୍କ ଖାତାକୁ ଯାଇଥିଲା । ପରବର୍ତ୍ତୀ ସମୟରେ ୪୯୯୯ ଟଙ୍କା ଯାଇଥିଲା । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ଏକା ସାଙ୍ଗରେ ୫ ହଜାର ଲେଖା ଖାତାକୁ ଯାଇଥିଲା । ତେଣୁ ତୃତୀୟ ପର୍ଯ୍ୟାୟ ଟଙ୍କା ଏକା ସାଙ୍ଗରେ ତଥା ଦୀପାବଳି ଆଖପାଖରେ ଆସିବା ନିଶ୍ଚିତ ହେଉଛି ।