fbpx

ମଇଁଷି ଚିକିତ୍ସା ପାଇଁ ଆସିଥିଲେ ପଶୁ ଡାକ୍ତର, ନିଶା ଦେଇ ଜୋର ଜବରଦସ୍ତି ଯୁବତୀଙ୍କ ସହ ବିବାହ କରାଇଦେଲେ ଲୋକେ

AAKASH

ବିହାର: ମଇଁଷି ଚିକିତ୍ସା ପାଇଁ ଖବର ପାଇ ଆସିଲେ । ହେଲେ ହଠାତ୍‌ ଜବରଦସ୍ତ ବାହାଘର ହୋଇଯିବ ବୋଲି ଜାଣିନଥିଲେ । ଏମିତି ଏକ ଅଜବ ଘଟଣା ଜଣେ ପଶୁ ଡାକ୍ତରଙ୍କ ସହ ଘଟିଛି । ତାଙ୍କୁ ଚିକିତ୍ସା ପାଇଁ ଡାକି କିଛି ଲୋକେ ଅପହରଣ କରି ତାଙ୍କର ବିବାହ କରାଇ ଦେଇଛନ୍ତି । ବିହାରର ବେଗୁସରାୟରେ ଘଟିଛି ଏଭଳି ଏକ ଫିଲ୍ମ ଷ୍ଟାଇଲ୍‌ର ଘଟଣା ।

ସତ୍ୟମ କୁମାର ଝା । ସେ ପେସାରେ ଜଣେ ପଶୁ ଡାକ୍ତର । ବେଗୁସରାୟ ଜିଲ୍ଲା ତେଘରା ଥାନା ପିଧୌଲି ଗାଁରେ ରୁହନ୍ତି ସତ୍ୟମ । ସୋମବାର ସନ୍ଧ୍ୟାରେ କିଛି ବ୍ୟକ୍ତି ତାଙ୍କ ମଇଁଷି ଅସୁସ୍ଥ ଥିବା କହି ଚିକିତ୍ସା ପାଇଁ ସତ୍ୟମଙ୍କୁ ଡାକିଥିଲେ । ଏହାପରେ ଉକ୍ତ ବ୍ୟକ୍ତିମାନେ ପଶୁ ଡାକ୍ତରଙ୍କୁ ଅପହରଣ କରିନେଇଥିଲେ । ପରେ ଜଣେ ଯୁବତୀଙ୍କ ସହ ତାଙ୍କର ଜୋରଜବରଦସ୍ତ ବିବାହ କରାଇ ଦେଇଥିଲେ । ଏନେଇ ସତ୍ୟମଙ୍କ ବାପା ସୁବୋଧ କୁମାର ଝା ମଙ୍ଗଳବାର ଥାନାରେ ଅଭିଯୋଗ କରିଛନ୍ତି ।

ତାଙ୍କ କହିବା ମୁତାବକ, ସତ୍ୟମ ବିଳମ୍ବିତ ରାତି ଯାଏ ନ ଫେରିବା ପରେ ତାଙ୍କୁ ଖୋଜାଖୋଜି କରିବା ଆରମ୍ଭ କରିଥିଲେ । ମଙ୍ଗଳବାର ସକାଳେ ତାଙ୍କ ଫୋନକୁ ଏକ ଭିଡିଓ ମେସେଜ ଆସିଥିଲା । ଯେଉଁଥିରେ ତାଙ୍କ ପୁଅର ବିବାହ ଏକ ଝିଅ ସହ କରାଯାଉଥିବା ଦେଖିବାକୁ ମିଳିଥିଲା । ତାଙ୍କ ପୁଅକୁ ନିଶା ଦେଇ ମଣ୍ଡପରେ ବସାଇ ବିବାହ କରାଯାଇଥିଲା । ଏ ନେଇ ସେ ତେଘରା ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ କହିଛି, ଏହି ଜବରଦସ୍ତି ବିବାହ ସମ୍ପର୍କିତ ଅଭିଯୋଗ ଆମକୁ ମିଳିଛି । ମାମଲାର ତଦନ୍ତ ଚାଲିଛି ।

ଉଲ୍ଲେଖଯୋଗ୍ୟ, ବିହାରରେ ଏଭଳି ବିବାହ ନୂଆ ଘଟଣା ନୁହେଁ । ଏଠାକାର ବିଭିନ୍ନ ଅଞ୍ଚଳରେ ଜରଦସ୍ତି ଉଠାଇ ନେଇ ବିବାହ କରାଯିବା ପ୍ରଥା ରହିଛି । ଗତ ବର୍ଷ ନଭେମ୍ବର ମାସରେ ଏଭଳି ଏକ ବିବାହ କରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା ।

Get real time updates directly on you device, subscribe now.