ଉପରାଷ୍ଟ୍ରପତି ନିର୍ବାଚନ: ଭାଗ ନେବନି ବିଜେଡି! ପିସିସି ସଭାପତି କହିଲେ- ଐତିହାସିକ ନିଷ୍ପତି ନେବାର ସମୟ ଆସିଛି
ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବନି ବିଜେଡି!
ଭୁବନେଶ୍ୱର: ଜଗଦୀପ ଧନଖଡ଼ଙ୍କ ଅଚାନକ ଇସ୍ତଫା ପରେ ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବ, ଏହା ଉପରେ ସମସ୍ତଙ୍କ ନଜର। ତେବେ କମିଶନ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ପ୍ରକାଶ କରିସାରିଛନ୍ତି।
ସେପ୍ଟେମ୍ବର ୯ ତାରିଖ ଅର୍ଥାତ ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ହେବ। କିନ୍ତୁ ଏହାରି ମଧ୍ୟରେ ଖବର ଆସିଛି ଯେ, ଏହି ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭାଗ ନେବନି। ଅନୁପସ୍ଥିତ ରହିବା ନେଇ ବିଶେଷ ସୂତ୍ରରୁ ସୂଚନା ପ୍ରକାଶ ପାଇଛି।
ଏବେ ଐତିହାସିକ ନିଷ୍ପତି ନେବାର ସମୟ: ଏହି ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ବିଜୁ ଜନତାଦଳ ପାଇଁ ଏବେ ଐତିହାସିକ ନିଷ୍ପତି ନେବାର ସମୟ ଆସିଛି। ରାଜ୍ୟରେ ବହୁ ଦିନରୁ ଚର୍ଚ୍ଚା ହେଉଥିଲା ବିଜେଡି ଏବଂ ବିଜେପି ଗୋଟିଏ ଦଳ। ଯଦି ଏଥିରେ ସତ୍ୟତା ନାହିଁ, ତେବେ ତାହା ଏବେ ପ୍ରମାଣିତ କରିବାର ସମୟ ଆସିଛି।
ଭୟରୁ ବିଜେଡି ମୁକ୍ତ ହେବା ଦରକାର: ସେ ଆହୁରି କହିଛନ୍ତି ଯେ, 51 ବିଧାୟକ ଜିତିଲେ ହେଲେ ଗୋଟିଏ ସଂସଦ କେଉଁଭଳି ଜିତିପାରିଲେ ନାହିଁ। ଦଳର ତ୍ରୁଟି ପୁର୍ଣ ନିଷ୍ପତି ପାଇଁ ବହୁ ବିଧାୟକ ହାରିଛନ୍ତି।ରାଜ୍ୟସଭାରେ ଯେଉଁ ନେତା ଅଛନ୍ତି ସେମାନେ ଇଣ୍ଡି ମେଣ୍ଟାକୁ ସମର୍ଥନ କରିବାକୁ କହୁଛନ୍ତି।
ତେଣୁ ବିଜେଡି ଏବେ ଇଣ୍ଡିଆ ମେଣ୍ଟ କୁ ସହଯୋଗ କରିବାର ସମୟ ଆସିଛି।ଭୟରୁ ବିଜେଡି ମୁକ୍ତ ହେବା ଦରକାର। ଏତେ ବଡ ଦଳକୁ ଏଭଳି ନଷ୍ଟ କରିବା କଥା ନୁହେଁ। ନବୀନ ବାବୁଙ୍କ ନିଷ୍ପତିରେ ବିଜେଡି ଭବିଷ୍ୟତ ନିର୍ଧାରଣ ହେବ। ନବୀନ ବାବୁ ଛୁଇଁବାକୁ କେନ୍ଦ୍ର ସରକାର ଙ୍କ ସାହସ ନାହିଁ। କାହିଁକି ନବୀନ ବାବୁ ଚାପ ରେ ରହୁଛନ୍ତି।
କେତେ ଜଣ ଭୋଟ ଦେବେ- ଭାରତୀୟ ସମ୍ବିଧାନର ଧାରା 66 ଅନୁଯାୟୀ, ସଂସଦର ଉଭୟ ଗୃହର ସଦସ୍ୟଙ୍କୁ ନେଇ ଗଠିତ ଏକ ନିର୍ବାଚକ ମଣ୍ଡଳ ଦ୍ୱାରା ଉପରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି । ଏହା 17ତମ ଉପରାଷ୍ଟ୍ରପତି ନିର୍ବାଚନ ।
ରାଜ୍ୟସଭାର 233 ନିର୍ବାଚିତ ସଦସ୍ୟ (ବର୍ତ୍ତମାନ 05 ଆସନ ଖାଲି ଅଛି)
ରାଜ୍ୟସଭାର 12 ମନୋନୀତ ସଦସ୍ୟ
ଲୋକସଭାର 543 ନିର୍ବାଚିତ ସଦସ୍ୟ (ବର୍ତ୍ତମାନ 01 ଆସନ ଖାଲି ଅଛି)
ନିର୍ବାଚନ କମିଶନ କହିଛନ୍ତି ଯେ, ନିର୍ବାଚକ ମଣ୍ଡଳରେ ସଂସଦର ଉଭୟ ଗୃହର ମୋଟ 788 ସଦସ୍ୟ (ବର୍ତ୍ତମାନ 782 ସଦସ୍ୟ) ଥାଆନ୍ତି । ଯେହେତୁ ସମସ୍ତ ଭୋଟର ସଂସଦର ଉଭୟ ଗୃହର ସଦସ୍ୟ, ତେଣୁ ସଂସଦର ପ୍ରତ୍ୟେକ ସଦସ୍ୟଙ୍କ ଭୋଟର ମୂଲ୍ୟ ସମାନ ହେବ ଅର୍ଥାତ୍ 1 (ଗୋଟିଏ)।