ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ,, ଧରା ପଡିଗଲେ ସୁପର ଭାଇଜର

ଜନ୍ମ ପ୍ରମାଣ ପତ୍ର କରିବାକୁ ଲାଞ୍ଚ ନେଉଥିଲେ ସୁପର ଭାଇଜର, ବେଆଇନ୍ ରେ ଟଙ୍କା ନେଇଥିବାରୁ ତାଙ୍କୁ କାବୁ କରିଥିଲା ଭିଜିଲାନ୍ସ ।

ରାମପୁର : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ମହୁଲପାଟଣା ସ୍ବାସ୍ଥ୍ୟ ଉପକେନ୍ଦ୍ର ହେଲ୍ଥ ୱାର୍କର ଓ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର (ଭାଇଟାଲ ଷ୍ଟାର୍ଟସ୍ଟିକ) କ୍ଲର୍କ ଭାବେ ଦାୟିତ୍ୱରେ ଥିବା ଅଧିକାରୀ ଲକ୍ଷ୍ମୀ ନାରାୟଣ ମହାରଣା ଗୁରୁବାର ସନ୍ଧ୍ୟା ସମୟରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ନିକେଶଜୋର ଗ୍ରାମର ବବ୍ଲୁ ନାଏକ, ଅର୍ଜୁନ ନାଏକ, ଘାସିରାମ ନାଏକ ଏ ତିନି ଜଣଙ୍କ ଠାରୁ ଜନ୍ମ ପ୍ରମାଣ ପତ୍ର କରେଇ ଦେବା ପାଇଁ ୪ହଜାର ଟଙ୍କା ଲାଞ୍ଚ ମାଗିଥିଲେ ପରେ ଏହି ତିନିଜଣ ଜିଲା ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ଆଗରୁ ବିଛାଇ ଥିଲା ଜାଲରେ ଜନ୍ମମୃତ୍ୟୁ ପ୍ରମାଣପତ୍ର ଅଧିକାରୀ ଲକ୍ଷ୍ମୀ ନାରାୟଣ ମହାରଣା ରଙ୍ଗ ବୋଲା ଟଙ୍କା ସହ ତାଙ୍କ ‘ଫୋନ ପେ’ରେ ଅନେକ ଅଭିଭାବକଙ୍କ ଠାରୁ ବେଆଇନ୍ ରେ ଟଙ୍କା ନେଇଥିବା ପ୍ରମାଣ ପାଇଁ ତାଙ୍କୁ କାବୁ କରିଥିଲେ।

ପ୍ରକାଶଯୋଗ୍ୟ ଯେ ପୂର୍ବରୁ ମଧ୍ୟ ଏହି ବିଭାଗର ଦାୟିତ୍ୱରେ ଥିବା ଜଣେ ଅଧିକାରୀ ୫ ରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ି ବର୍ତ୍ତମାନ୍ ସେ ଆଇନ୍ ଅନୁଯାୟୀ ଦଣ୍ଡିତ ହୋଇଥିବା ବେଳେ ମହାରଣାଙ୍କୁ ଏହି ଦାୟିତ୍ଵ ଦିଆଯାଇଥିଲା। ଅଧିବାସୀ ଅଧ୍ୟୁଷିତ ଅଞ୍ଚଳର ଗରିବ ନିରୀହ ଲୋକଙ୍କ ଠାରୁ ଏମିତି ଅଫିସର୍ ବାବୁ ମାନେ ସରକାରୀ କାମ ଯାହାକି ସମ୍ପୂର୍ଣ୍ଣ ମାଗଣା କରିବା କଥା ହେଲେ ଲୁଟିବାରେ ଲାଗିଛନ୍ତି। ଏମିତି କି ଏହି ଲାଞ୍ଚୁଆ ଅଧିକାରୀଙ୍କୁ କୌଣସି ବଡ଼ ଭି.ଭି.ଆଇ.ପି ଙ୍କୁ ଜଗିଲା ଭଳି ଘଣ୍ଟା ଘଣ୍ଟା ଜଗିବାକୁ ପଡେ। ବାବୁ ଜଣକ ସପ୍ତାହକୁ ଦୁଇ ଦିନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆସି ତରବରିଆ କାମ କରି ପଳାଇଥାନ୍ତି। ଥୁଆମୂଳ ରାମପୁର ବ୍ଲକ୍ ର ଭୌଗଳିକ ସ୍ଥିତି ପାଖାପାଖି ୧୫୦ କି.ମି ରୁ ୨୦୦ କି.ମି ଥିବାରୁ ଅନେକ ଲୋକ ତାଙ୍କ ଛୁଆଙ୍କ ପ୍ରମାଣ ପତ୍ର କିମ୍ବା ମୃତକଙ୍କ ପରିବାର ମୃତ୍ୟୁ ପ୍ରମାଣ ପତ୍ର କରାଇବା ପାଇଁ ଆସିଥାନ୍ତି ହେଲେ ଅଧିକାଂଶ ସମୟ ସେମାନଙ୍କ କାମ ନ ହୋଇପାରିଲେ ବହୁତ ହଇରାଣ ହରକତ ହୋଇ ଘରକୁ ଫେରି ଥାଆନ୍ତି। ଚଡାଉ ସମୟରେ କଳାହାଣ୍ଡି ଜିଲା ଭିଜିଲାନ୍ସ ଡ଼ିଏସପି ପ୍ରଦୀପ କୁମାର ଅୟଂଦଙ୍କ ନେତୃତ୍ୱ ଏକ ଟିମ୍ ସାମିଲ ଥିଲେ ସେଥିରେ ଇନ୍ସପେକ୍ଟର ପ୍ରମିଳା ସୁନା, ଏ ଏସ ଆଇ ସଞ୍ଜୟ ସାହୁ, ଷ୍ଟେନୋ ସନ୍ତୋଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।