fbpx

ବେଆଇନ୍ ଦରଘା ହଟାଇବା ନୋଟିସ ପରେ ଜୁନାଗଡରେ ହିଂସା: ଡିଏସପିଙ୍କ ସମେତ ୪ ପୋଲିସ ଆହତ

ଜୁନାଗଡ: ଗୁଜୁରାଟର ଜୁନାଗଡ ଜିଲ୍ଲାରେ ଜୋର ଧରିଛି ହିଂସା । ଜବରଦଖଲ ଜମିରେ ନିର୍ମିତ ଦରଘା ଭାଙ୍ଗିବା ପାଇଁ ନୋଟିସ ଦିଆଯିବା ପରେ ଏଠାରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି । ମାରପିଟ ଏବଂ ଗଣ୍ଡଗୋଳ ଭଳି ସ୍ଥିତିରେ ତ୍ରାହି ପାଇନାହାନ୍ତି ସ୍ଥାନୀୟ ପୋଲିସ କର୍ମଚାରୀ । ଏଠାକାର କିଛି ଲୋକ ଦରଘା ଉଚ୍ଛେଦକୁ ବିରୋଧ କରିବା ସହ ପୋଲିସ ଉପରକୁ ମଧ୍ୟ ଆକ୍ରମଣ କରିଛନ୍ତି । ଫଳରେ ଡିଏସପିଙ୍କ ସମେତ ୪ ପୋଲିସ କର୍ମୀ ଆହତ ହୋଇଥିବା ଜାଣିବାକୁ ମିଳିଛି ।

ସୂଚନା ଅନୁସାରେ, ଜବରଦଖଲ ଜମିରେ ତିଆରି ହୋଇଥିବା ଦରଘା ଭାଙ୍ଗିବା ପାଇଁ ମ୍ୟୁନିସିପାଲଟି ତରଫରୁ ନୋଟିସ ଜାରି ହୋଇଥିଲା । ଏହାପରେ ଗୁଜୁରାଟର ଜୁନାଗଡ ଜିଲ୍ଲାରେ ଅସ୍ୱାଭାବିକ ସ୍ଥିତି ସୃଷ୍ଟି ହୋଇଛି । ଦରଘା ଉଚ୍ଛେଦକୁ ପ୍ରତିବାଦ କରି ୨୦୦-୩୦୦ ଲୋକ ହଠାତ ପୋଲିସ ଉପରକୁ ଆକ୍ରମଣ କରିଛନ୍ତି । ଏହି ଗଣ୍ଡଗୋଳରେ ଜଣେ ବ୍ୟକ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ବେଳେ ଡିଏସପିଙ୍କ ସମେତ ୪ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଏହାସହିତ ପୋଲିସ ଗାଡି ଉପରକୁ ଟେକା ପଥର ଫିଙ୍ଗୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୧୭୪ ଜଣଙ୍କୁ ଅଟକ ରଖିଛି । ତେବେ ଆକ୍ରମଣ ସମୟର ଏକ ଭିଡିଓ ମଧ୍ୟ ଏବେ ଇଣ୍ଟରନେଟରେ ଘୁରି ବୁଲୁଛି ।

ସୂଚନା ଅନୁଯାୟୀ, ଦରଘା ବାହାରେ ଉଚ୍ଛେଦ ନୋଟିସ ଲଗାଇବା ପାଇଁ ‘ଜୁନାଗଡ ମୁନିସିପାଲ କର୍ପୋରେସନ’ର କର୍ମଚାରୀମାନେ ମାଜେୱାଡି ଗେଟ୍ ସମ୍ମୁଖରେ ପହଞ୍ଚିଥିଲେ । ଏହି ଦରଘା ବେଆଇନ ବୋଲି ନୋଟିସରେ ଉଲ୍ଲେଖ ରହିଛି । ତେବେ ଯଦି ଏହା ଆଇନ ଅନୁସାରେ ପ୍ରସ୍ତୁତ ହୋଇଛି, ତେବେ ୫ ଦିନ ମଧ୍ୟରେ ଏହାର ପ୍ରମାଣ ଦେବାକୁ କୁହାଯାଇଛି । ନଚେତ ଏହାକୁ ଭାଙ୍ଗି ଦିଆଯିବ ଏବଂ ଭଭ୍ଗା ବାବଦ ବ୍ୟୟ ଦରଘା ପରିଚାଳନା କମିଟି ବହନ କରିବ । ଏହାପରେ ଜୁନାଗଡରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ବହୁସଂଖ୍ୟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛନ୍ତି ।

Get real time updates directly on you device, subscribe now.