fbpx

ଚପଲ ଆଣିନଥିବାରୁ ବିଦାୟ ବେଳେ କନ୍ୟା ନେଲେ ଏମିତି ନିଷ୍ପତ୍ତି, ସଭିଏ ଶୁଣି ଚକିତ

ଆଗ୍ରା: ବାହାଘରରେ ବର ଏବଂ କନ୍ୟା ପକ୍ଷଙ୍କ ମଧ୍ୟରେ ଝଗଡାର ଅନେକ ଖବର ଆପଣ ଶୁଣିଥିବେ। ଅନେକ ଥର ଯୌତୁକ ଏବଂ ଘରକରଣା ସାମଗ୍ରୀକୁ ନେଇ କନ୍ୟା ପକ୍ଷଙ୍କୁ ଅପମାନିତ ହେବାକୁ ପଡିଛି। ଏମିତି ଏକ ମାମଲା ଉତ୍ତର ପ୍ରଦେଶର ଆଗ୍ରାରେ ଦେଖିବାକୁ ମିଳିଛି। ତେବେ ଏଠାରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। କନ୍ୟା ପଞ୍ଚାୟତ ସାମ୍ନାରେ ଏମିତି ନିଷ୍ପତ୍ତି ଶୁଣାଇଛନ୍ତି, ଯାହାକୁ ଶୁଣି କେବଳ ବର ନୁହେଁ ବର ପକ୍ଷ ବି ଚକିତ ହୋଇ ପଡିଛନ୍ତି। ବିନା କନ୍ୟାରେ ବରପକ୍ଷ କାନମୁଣ୍ଡା ଆଉଁସି ଘରକୁ ଫେରିଛନ୍ତି। କାରଣ ବରପକ୍ଷ କନ୍ୟା ପାଇଁ ଚପଲ ଆଣିନଥିଲେ। ଏହାକୁ ନେଇ କନ୍ୟା ଏତେ ଅସନ୍ତୁଷ୍ଟ ହୋଇ ପଡିଲେ ଯେ, ବର ସହ ଘରକୁ ଯିବାକୁ ମନା କରି ଦେଇଥିଲେ। ମାମଲା ଥାନା ପର୍ଯ୍ୟନ୍ତ ପହଞ୍ଚିଗଲା। ପଞ୍ଚାୟତ ବୈଠକ ବି ବସିଲା ମାତ୍ର କନ୍ୟା ନିଜ ଜିଦରେ ଅଟଳ ରହିଲେ। ଶେଷରେ ବର ବିନା କନ୍ୟାରେ ଘରକୁ ଫେରିଛନ୍ତି।

ଏହି ମାମଲା ଆଗ୍ରାର ଖେରାଗଢ ଥାନା ଅନ୍ତର୍ଗତ ନଗଲା ସୋନରେ ଘଟିଛି। ଖେରାଗଢ ମାର୍ଗ ସ୍ଥିତ ଯୋଧାପୁର ଢାଢକି ଗାଁରେ ଦେବୋସ୍ଥାନ ଏକାଦଶୀରେ ସାମୂହିକ ବିବାହ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଥିରୁ ଜଣେ ବର ଧୋଲପୁରର ମନିଆ ଟାଉନରୁ ଆସିଥିଲା। ବିବାହ ସରିବା ପରେ କନ୍ୟା ବର ଘରକୁ ଯିବାକୁ ପ୍ରସ୍ତୁତ ହେଉଥିଲେ। ତା ପୂର୍ବରୁ ବର ଏବଂ କନ୍ୟା ଝିଅ ଘରକୁ ଯାଇଥିଲେ।

ଏହା ମଧ୍ୟରେ ବର ଚପଲ ଆଣିନଥିବା କନ୍ୟା ଜାଣିବାକୁ ପାଇଥିଲେ। ଏହାକୁ ନେଇ କନ୍ୟା ଖୁବ୍ ରାଗି ଯାଇଥିଲେ। ବରପକ୍ଷ ମହଲରେ ଚହଳ ପଡିଗଲା। ବରଘରର ଲୋକେ କନ୍ୟାକୁ ବହୁତ ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର କନ୍ୟା ବରଘର ଯିବାକୁ ରୋକ୍ ଠୋକ୍ ମନା କରି ଦେଇଥିଲେ। କନ୍ୟା ଅରାଜି ହେବାରୁ ବରପକ୍ଷ ୧୧୨ ଫୋନ କରି ପୋଲିସକୁ ଡକାଇଥିଲେ। ତଥାପି ସମାଧାନ ହୋଇ ପାରିନଥିଲା।

କେବଳ ଚପଲ କଥା ନୁହେଁ, ବର ପକ୍ଷ ମଦ ପିଇ ଆସିଥିଲେ ଏବଂ ଦୁର୍ବ୍ୟବହାର କରୁଥିଲେ ବୋଲି କନ୍ୟାପକ୍ଷ ଅଭିଯୋଗ କରିଛନ୍ତି। ଶନିବାର ସକାଳେ ବର ଏବଂ କନ୍ୟାପକ୍ଷଙ୍କୁ ନେଇ ପଞ୍ଚାୟତ ବସିଥିଲା। ହେଲେ କନ୍ୟା ବରଘରକୁ ଯିବନି ବୋଲି ନିଜ ଜିଦ୍ ରେ ଅଟଳ ରହିଥିଲା। ଶେଷରେ ବରପକ୍ଷ କାନମୁଣ୍ଡା ଆଉଁସି ଫେରି ଯାଇଛନ୍ତି।

Get real time updates directly on you device, subscribe now.